ଅନେକ ବିବାଦର କେନ୍ଦ୍ରବିନ୍ଦୁ ସାଜିଥିବା ସିପିଆଇ ନେତା କହ୍ନେୟା କୁମାର,ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି।କହ୍ନେୟାଙ୍କ ସହ ଗୁଜୁରାଟର ସ୍ୱାଧିନ ବିଧାୟକ ଜିଗ୍ନେସ ମେବାନୀ ମଧ୍ୟ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲି ହୋଇଛନ୍ତି।
ପାଓ୍ୱାର ପଲଟିକ୍ସ ପାଇଁ କଂଗ୍ରେସ !
୨୦୧୯ ଲୋକସଭା ନିର୍ବାଚନରେ ବିହାର ବେଗୁସରାଇ ଆସନରୁ ସିପିଆଇରୁ ପ୍ରାର୍ଥୀ ହୋଇ ୪,୨୨,୨୧୭ ଭୋଟ ବ୍ୟବଧାନରେ ପରାଜିତ ହେବା ପରେ ବାମପନ୍ଥୀ ବିଚାରଧାରାରୁ ମୋହ ତୁଟାଇଛନ୍ତି କହ୍ନେୟା କୁମାର।କ୍ଷମତା ରାଜନୀତିରେ ସଫଳତା ହାସଲ କରିବାକୁ କଂଗ୍ରେସକୁ ମାଧ୍ୟମ କରୁଥିବା କହ୍ନେୟା, ୨୦୧୫ରେ ବାମପନ୍ଥୀ ଛାତ୍ର ସଂଗଠନ ଏଆଇଏସଏଫର ପ୍ରାର୍ଥୀ ଭାବେ ଜେ.ଏନ୍.ୟୁର ସଭାପତି ଭାବେ ନୀର୍ବାଚିତ ହୋଇଥିଲେ।ଅନେକ ସମୟରେ ଦେଶ ବିରୋଧି ଶକ୍ତିଙ୍କ ସହ ସ୍ୱର ମିଳାଇବା ଅଭିଯୋଗରେ ଅତୀତରେ ସେ ଜେଲ ଯାଇଛନ୍ତି। ଯେତେବବେଳେ କହ୍ନେୟା କୁମାର ଦିଲ୍ଲୀର ତିହାର ଜେଲରେ ଥିଲେ ସେତେବେଳେ ରାହୁଲ ଗାନ୍ଧିଙ୍କ ସମର୍ଥନ ହାସଲ କରିଥିଲେ। ଏବେ ହାତ ଚିହ୍ନକୁ ନିଜର କରିବା ପରେ କହ୍ନେୟା କୁମାର,ଆଗାମୀ ନିର୍ବାଚନରେ କଂଗ୍ରେସ ଟିକେଟରୁ ବେଗୁସରାଇରେ ନିର୍ବାଚନ ଲଢ଼ିପାରନ୍ତି।
ଅନ୍ୟପକ୍ଷରେ ଜିଗ୍ନେସ ମେବାନୀ ଗତ ବିଧାନସଭା ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀ ଭାବେ ଲଢ଼ି ଗୁଜୁରାଟର ବଡ଼ଗାଁ ଆସନରୁ ବିଜୟୀ ହୋଇଛନ୍ତି। ବିଜେପିର ସମସ୍ତ ରଣନୀତିକୁ ଫସର ଫଟାଇ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଜ ରାଜ୍ୟ ଗୁଜୁରାଟରୁ ଜିଗ୍ନେସ ବିଜୟୀ ହୋଇଥିଲେ। ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚର ଆବାହକ ଜିଗ୍ନେସ, ଆରଏସଏସ ବିରୋଧି ଭାବେ ଜଣାଶୁଣା। ତେବେ ଆଗାମୀ ବର୍ଷ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ସ୍ୱାଧିନ ଭାବେ ନଲଢ଼ି, ସେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ପସନ୍ଦ କରିଛନ୍ତି।
ରାହୁଲ-ପ୍ରିୟଙ୍କା ସମକ୍ଷକଙ୍କୁ ହଟାଓ !
ତେବେ ରାହୁଲ ଗାନ୍ଧିଙ୍କୁ ତାଳ ଦେଇ ପଲଟିକ୍ସ କରୁଥିବା ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଜିତେନ ପ୍ରସାଦ ଏହା ଭିତରେ କଂଗ୍ରେସ ଛାଡି ଚାଲି ଯାଇଛନ୍ତି। ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଫାୟାରବ୍ରାଣ୍ଡ ନେତା ଜ୍ୟୋତିରାଦିତ୍ୟ ଏବଂ ଜିତେନ ଏକଦା ରାହୁଲଙ୍କ ଫେଭାରାଇଟ୍ ଥିଲେ।କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି।ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କ୍ୟାବିନେଟରେ ସାମିଲି ହୋଇ ଜିତେନ ପ୍ରସାଦ, ବିଜେପିର ସ୍ଥିତିକୁ ୟୁପିରେ ମଜଭୁତ କରିବାରେ ଲାଗିଛନ୍ତି।
ଜ୍ୟୋତିରାଦିତ୍ୟ ଏବଂ ଜିତେନଙ୍କ ବାପା ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ସହ କାମ କରୁଥିଲେ ମଧ୍ୟ ଏହି ପ୍ରତିଭାବାନ ଯୁବନେତାଙ୍କୁ କଂଗ୍ରେସରୁ ଦୂରେଇ ଦିଆଗଲା। ଅନୁମାନ କରାଯାଉଛି ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଜିତେନ ପ୍ରସାଦ, ଉଭୟ ଭାଇ-ଭଉଣୀ ରାହୁଲ-ପ୍ରିୟଙ୍କାଙ୍କ ପାଇଁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେଉଥିଲେ।ସେଥିପାଇଁ ଏବେ ଦିଲ୍ଲୀ ଦରବାରରେ ଆଲୋଚନା ଜ୍ୟୋତିରାଦିତ୍ୟ ଏବଂ ଜିତେନଙ୍କ ବିକଳ୍ପ କଣ କହ୍ନେୟା କୁମାର ଓ ଜିଗ୍ନେସ ମେବାନୀ ?
ଏହି ଷ୍ଟୋରୀକୁ ଲେଖିଛନ୍ତି-ଦେବେନ୍ଦ୍ର କୁମାର ନାୟକ