କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଥମେ ରାହୁଲ ଗାନ୍ଧୀଙ୍କ ନାମରେ ସହମତି ପ୍ରକାଶ ପାଇବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଗାନ୍ଧୀ ପରିବାର ରେସରେ ଯୋଡି ହେବେନାହିଁ ବୋଲି ସ୍ପଷ୍ଟ ହୋଇଛି। ପରେ ଶଶୀ ଥରୁର ଏବଂ ଅଶୋକ ଗେହଲଟ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ଏହି ଆଶାୟୀଙ୍କ ତାଲିକାରେ ଆଉ ଦୁଇ ନାମ ଯୋଡ଼ି ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ଦିଗ୍‌ବିଜୟ ସିଂହ  ଦିଲ୍ଲୀ ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବେ। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ୍‌ନାଥଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ଅନ୍ୟପକ୍ଷରେ ମନୀଷ ତିୱାରୀ ଦଳୀୟ ପ୍ରତିନିଧିଙ୍କୁ ଭେଟିବା ପାଇଁ ନିଜ ନିର୍ବାଚନ କ୍ଷେତ୍ରକୁ ଗସ୍ତ କରିଛନ୍ତି।  ମନୀଷ ତିୱାରୀ ଶ୍ରୀ ଆନନ୍ଦପୁର ଲୋକସଭା ଆସନରୁ ସାଂସଦ ଅଛନ୍ତି। ସେ ଦିଲ୍ଲୀରେ ନିଜ ସମର୍ଥକଙ୍କ ସହ ବୈଠକ କରିବେ। ଏଥି ସହିତ ମୁକୁଲ ୱାନସିକ, ପୃଥିରାଜ ଚୌହ୍ୱାନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ସୋନିଆ ଗାନ୍ଧୀ,ସୀତାରାମ କେଶରୀ

୨୪ ବର୍ଷ ପରେ କଂଗ୍ରେସର ମଙ୍ଗ ଧରିବେ ଅଣ ଗାନ୍ଧୀ!
ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସର ସଭାପତି ନିର୍ବାଚନ ହେବାକୁ ଯାଉଛି। ପ୍ରାୟତଃ କଂଗ୍ରେସର ଅଧ୍ୟକ୍ଷ ପଦ ଗାନ୍ଧୀ ପରିବାର ସଦସ୍ୟଙ୍କ ଅକ୍ତିଆରରେ ରହିଆସିଛି। ବିଭିନ୍ନ କାରଣରୁ ନୂଆ ଅଧ୍ୟକ୍ଷ ନିର୍ବାଚନ ହୋଇପାରୁ ନଥିବା ବେଳେ ଚଳିତ ବର୍ଷ କିନ୍ତୁ କଂଗ୍ରେସ ଅଣ୍ଟା ଭିଡିଛି। ୨୪ ବର୍ଷ ପରେ ଅଣ ଗାନ୍ଧୀ ପରିବାରର ଜଣେ ବ୍ୟକ୍ତି କଂଗ୍ରେସର ମଙ୍ଗ ଧରିବାକୁ ଯାଉଛନ୍ତି। ଶେଷଥର ପାଇଁ ୧୯୯୬-୧୯୯୮ ଯାଏଁ ଜଣେ ଅଣଗାନ୍ଧୀ ଭାବରେ ସୀତାରାମ କେଶରୀ କଂଗ୍ରେସ ଅଧ୍ୟକ୍ଷ ପଦରେ ବସିଥିଲେ। ୧୯୯୮ ପରଠାରୁ  ଗାନ୍ଧୀ ପରିବାର କଂଗ୍ରେସର ଅଧ୍ୟକ୍ଷ ପଦରେ ଅଛନ୍ତି। ରାହୁଲ ଗାନ୍ଧୀଙ୍କ ସଭାପତି ହେବାକୁ ୧୦ରୁ ଅଧିକ ରାଜ୍ୟ କଂଗ୍ରେସ ସଙ୍କଳ୍ପ ପାରିତ କରିଥିଲେ ବି ସେ ସଭାପତି ହେବାକୁ ମନାକରିଦେଇଛନ୍ତି। ତେବେ କଂଗ୍ରେସ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହେବ। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ସଭାପତି ରେସରେ ବହୁ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା ବେଳେ କିଏ ସେ ବାଜି ଜିତିବ ତା ଉପରେ ଏବେ ସମସ୍ତଙ୍କ ନଜର। 
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା