Naba Das Minister!

ଭୁବନେଶ୍ୱର: ରୋହିତ ପୂଜାରୀ ଓ ଅନୁପ ସାଏଙ୍କ ପରି ଏଥର ମଧ୍ୟ ନିର୍ବାଚନ ଆଗରୁ କଂଗ୍ରେସକୁ ଝଟକା ଦେବ ଅବିଭକ୍ତ ସମ୍ବଲପୁର ଜିଲ୍ଲା! ୨୦୧୯ ନିର୍ବାଚନ ଆଗରୁ ବିଜେଡିରେ ମିଶିବାକୁ ଯାଉଛନ୍ତି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ। ଜାନୁଆରୀ ୨୪ରେ ବିଜେଡିରେ ମିଶୁଛନ୍ତି ବୋଲି ରବିବାର କିରିମିରା ବ୍ଲକର ଲକ୍ଷ ଘର ଗଣ୍ଡା ସମାଜ ଉତ୍ସବରେ ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ସ୍ପଷ୍ଟ କରିଛନ୍ତି। କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ଦେବା ଲାଗି ଜାନୁଆରୀ ୨୪ରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଯାଉଛନ୍ତି। ସେହି ଦିନ ନବ ତାଙ୍କ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ମିଶିବେ ବୋଲି ଖବର ରହିଛି। ତେବେ ଗତ ସେପ୍ଟମ୍ବର ୨୨ରେ ବିମାନ ବନ୍ଦର ଉଦଘାଟନ କରିବାକୁ ଝାରସୁଗୁଡା ଯାଇଥିବା ମୁଖ୍ୟମନ୍ତ୍ରୀଙ୍କୁ, ନବଙ୍କ ପରିବାର ଭେଟିଥିଲେ। କେବଳ ଅପେକ୍ଷା ଥିଲା ଶୁଭ ମୁହୂର୍ତ୍ତକୁ। ଆଉ ଝାରସୁଗୁଡ଼ା ସହରରେ କ୍ୟାନସର ହସ୍ପିଟାଲରେ ଶୁଭ ଦିଆଯିବ ପରେ ନବ ହାତ’କୁ ବାଏ ବାଏ କରି ଶଙ୍ଖନାଦ କରିବେ।

NABA-DAS-WITH-CM
ମୁଖ୍ୟମନ୍ତ୍ରୀଙ୍କ ସହ ନବଙ୍କ ପରିବାର

ବିଧାୟକ ପଦରେ ମନ ମାନୁନି
ତେବେ କଂଗ୍ରେସ ଦଳରୁ ଦୁଇ ଦଇ ଥର ଲଗାତର ବିଧାୟକ ହେଉଥିବା ନବଙ୍କ ବିଜେଡିକୁ ଯିବା ପଛରେ ମନ୍ତ୍ରୀ ହେବାର ଲାଳସା ବୋଲି ଚର୍ଚ୍ଚା। ଗତ ପଞ୍ଚାୟତ ନିର୍ବାଚନରେ ଝାରୁଗୁଡ଼ା ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନରୁ ୮ଟିରେ କଂଗ୍ରେସ ଜିତିଥିଲା। ତେଣୁ ୨୦୧୯ ନିର୍ବାଚନରେ ନବଙ୍କ ଜିତିବାରେ ଅସୁବିଧା ନଥିଲା। କିନ୍ତୁ ନବ ଜାଣିଛନ୍ତି ଯେ ଆଗାମୀ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ସ୍ଥିତି ସୁଧରିବ ନାହିଁ, ବିଜେଡିର ସରକାର ପୁଣି ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଝାରସୁଗୁଡ଼ାରୁ କଂଗ୍ରେସ ଟିକେଟରେ ବିଜୟୀ ହେଲେ ମଧ୍ୟ ମନ୍ତ୍ରୀ ହେବାର ସ୍ୱପ୍ନ ପୂରଣ ହେବ ନାହିଁ। ତେଣୁ ଅବିଭକ୍ତ ସମ୍ବଲପୁର ଜିଲ୍ଲା କୋଟାରେ ମନ୍ତ୍ରୀ ହେବା ନିଶାରେ ନବ ଦାସ ବିଜେଡିରେ ମିଶିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।
୩ଟି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେବେ
୧-ବ୍ରଜରାଜନଗର:ଝାରସୁଗୁଡ଼ା ଜିଲ୍ଲାର ଦ୍ୱିତୀୟ ବିଧାନସଭା କ୍ଷେତ୍ର ବ୍ରଜରାଜନଗରରୁ ବିଜେଡିର ପ୍ରାର୍ଥୀ(ଅନୁପ ସାଏ ବା କିଶୋର ମହାନ୍ତି)ଙ୍କୁ ଜିତାଇବା ଲାଗି କାମ କରିବେ।
୨-ରେଙ୍ଗାଲି:ସମ୍ବଲପୁର ଜିଲ୍ଲାର ସଂରକ୍ଷିତ ଆସନ ତଥା ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ପଡ଼ୋଶୀ ରେଙ୍ଗାଲିର ଦାୟିତ୍ୱ ନେବେ ନବ ଦାସ। ଜାତିଗତ ପ୍ରମାଣ ପତ୍ରରେ ଫସିଥିବା ବିଜେଡି ବିଧାୟକ ରମେଶ ପଟ୍ଟୁଆଙ୍କ ସ୍ଥାନରେ ପୂର୍ବତନ କଂଗ୍ରେସ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆଙ୍କୁ ଲଢ଼ାଇବେ ନବ। ଆଉ ରେଙ୍ଗାଲି ଆସନ ପାଇଁ ଉତ୍ତରଦାୟୀ ରହିବେ ନବ।
୩-କୁଚିଣ୍ଡା: ଆଦିବାସୀଙ୍କ ଲାଗି ସଂରକ୍ଷିତ ଆସନ କୁଚିଣ୍ଡାର ଦାୟିତ୍ୱ ମଧ୍ୟ ନବ ନେବାକୁ ପ୍ରତିଶ୍ରୁତି ଦେଇଥିବା ଖବର ରହିଛି। ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ପୂର୍ବତନ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କୁ ଶଙ୍ଖ ଚିହ୍ନରେ ଲଢ଼ାଇବା ଯୋଜନାରେ ଅଛନ୍ତି ନବ ଦାସ।

KISHORE-MOHANTY
କିଶୋର ମହାନ୍ତି-ପୂର୍ବତନ ବିଧାୟକ,ଝାରସୁଗୁଡ଼ା

ସମ୍ବଲପୁରରୁ ଲଢ଼ିବେ କିଶୋର!
ନବଙ୍କୁ ବିଜେଡିରେ ମିଶାଇ କିଶୋର ମହାନ୍ତିଙ୍କୁ ସମ୍ମାନର ସହ ଥଇଥାନ କରିବାକୁ ଚାହୁଁଛି ନବୀନ ନିବାସ। ବିଜୁ ପଟ୍ଟନାୟକଙ୍କ ବିଶ୍ୱସ୍ଥ ଭାବେ ଜଣାଶୁଣା କିଶୋର ମଧ୍ୟ ଦଳଡ଼ିଆଁରେ ବିଶ୍ୱାସ ରଖୁନାହାଁନ୍ତି ବୋଲି ବିଜେଡି ସୁପ୍ରିମୋଙ୍କ ପାଖରେ ପକ୍କା ଖବର ରହିଛି। ସେଥିପାଇଁ ତିନି ତିନି ଥର ବିଧାୟକ କିଶୋର ମହାନ୍ତିଙ୍କୁ ବ୍ରଜରାଜ ନଗର କିମ୍ବା ସମ୍ବଲପୁର ବିଧାନସଭା ଆସନରେ ବିଜେଡି ସୁପ୍ରିମୋ ଲଢ଼ାଇବାକୁ ଚାହୁଁଥିବାର ଖବର ରହିଛି। ତେବେ କିଶୋରଙ୍କ ପାଇଁ ସମ୍ବଲପୁର ଆସନଟି ଅଧିକ ସୁରକ୍ଷିତ। କାରଣ ବର୍ତ୍ତମାନର ସମ୍ବଲରୁର ଆସନର ପ୍ରାୟ ୨୦ପ୍ରତିଶତ ଅଞ୍ଚଳ ୨୦୦୯ ପର୍ଯ୍ୟନ୍ତ ଝାରସୁଗୁଡ଼ା ଅଧିନରେ ଆସୁଥିଲା। ତେଣୁ ସମ୍ବଲପୁର ବିଧାନସଭା ଅଧିନରେ ଆସୁଥିବା ହାରୀକୁଦ ଏନଏସି ଏବଂ ଅଇଁଠାପାଲି ଅଞ୍ଚଳକୁ ୩ଥର ପ୍ରତିନିଧିତ୍ୱ କରିଛନ୍ତି କିଶୋର ମହାନ୍ତି। ଏବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ସମ୍ବଲପୁରରେ ଅନେକ ପ୍ରକଳ୍ପ କରାଇଛନ୍ତି। ଏପରିକି ଗତ ୬ମାସ ହେବ ସପ୍ତାହକୁ ୩ଦିନ ସମ୍ବଲପୁର ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି କିଶୋର। ତେଣୁ ଗତ ଦୁଇ ଥର ହାରିବା ପରେ ରାଜ୍ୟସଭା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଥଇଥାନ ହୋଇଥିବା କିଶୋର ମହାନ୍ତି, ନବୀନ ନିବାସର ସମ୍ବଲପୁର ଅଫରରେ ଅରାଜି ହୋଇ ନପାରନ୍ତି!
ରାସେଶ୍ୱରୀଙ୍କୁ ରାଜ୍ୟସଭା!
ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ କିଶୋର ମହାନ୍ତିଙ୍କ ଲାଗି ସମ୍ବଲପୁର ଛାଡ଼ିବା ଲାଗି ବିଜେଡି ପକ୍ଷରୁ ପ୍ରସ୍ତାବ ରହିଛି। ବିଜେଡି ସୁପ୍ରିମୋଙ୍କ ଗୁଡବୁକରେ ଥିବା ରାସେଶ୍ୱରୀ ମାଡାମ୍ ରାଜ୍ୟସଭା ଯାଇପାରନ୍ତି। ଭିଏସଏସ୍ ମେଡିକାଲ କଲେଜର ପ୍ରିନିପାଲ ଭାବେ ରାସେଶ୍ୱରୀ ପାଣିଗ୍ରାହୀଙ୍କ ପଶ୍ଚିମ ଓଡ଼ିଶାରେ ସୁନାମ ରହିଛି। କ୍ଲିନ୍ ଇମେଜ୍ ଥିବା ରାସେଶ୍ୱରୀଙ୍କୁ ପ୍ରଚାରରେ ଲଗାଇ ପଶ୍ଚିମ ଓଡ଼ିଶାରେ ବିଜେପିକୁ କାଉଣ୍ଟର କରିବାକୁ ବିଜେଡି ପ୍ଲାନ କରୁଛି। ତେବେ ଏତିକି ବୁଝା ପଡୁଛି କଂଗ୍ରେସ-ବିଜେପି ଠାରୁ ନବୀନଙ୍କ ଗେମ୍ ପ୍ଳାନ ଯଥେଷ୍ଟ ଷ୍ଟ୍ରଙ୍ଗ୍ ରହିଛି।
ପଢ଼ନ୍ତୁ
ଚାଷୀଙ୍କ ଲାଗି ଆସୁଛି ନମୋ ତୋଫା! ବିନା ସୁଧରେ କୃଷିଋଣ ଏବଂ ଏକର ପିଛା ମିଳିବ ୮ହଜାର ଟଙ୍କା!

ପୈସା କ୍ୟା ନକରେ କାମ୍:କୋଟିପତିଙ୍କ ଲାଇଫ ପାର୍ଟନର ବି-ଟାଉନ ସେଲିବ୍ରିଟି