ସାଂସଦରେ ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ,ଏବେ ରାଜ୍ୟରେ ମାହୋଲ ସରଗରମ ହେଉଛି। ପୁରୀ ସାଂସଦ ପିନାକୀ ମିଶ୍ର ନା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ? ଶ୍ରୀମନ୍ଦିର ପ୍ରସଙ୍ଗରେ କିଏ ସତ କହୁଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ଗୁରୁବାର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକସଭାରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଥିଲେ। ଯାହାର ଜବାବ ଦେବାକୁ ଯାଇ ବିଜେଡି ସାଂସଦ ପିନାକୀ ମିଶ୍ର କହିଥିଲେ, ଶ୍ରୀମନ୍ଦିର ପାଖରେ କେବଳ ୪ଟି ଶୌଚାଳୟ ନିର୍ମାଣ କରାଯାଉଛି। ଏହାଦ୍ୱାରା ମନ୍ଦିରର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ।ତେବେ ପିନାକୀଙ୍କ ଏପରି ମନ୍ତବ୍ୟ ଯୋଗୁ ବିବାଦ ଆହୁରି ଘନେଇଛି। ଶ୍ରୀକ୍ଷେତ୍ରରେ ତାଙ୍କ କୁଶପୁତ୍ତଳିକା ବି ଦାହ କରାଯାଇଛି।

JAGANNATH MANDIR

ଏନ୍‌ଓସି ନା ଚିଠି?
ଶ୍ରୀମନ୍ଦିର ଖନନ ପ୍ରସଙ୍ଗକୁ ନେଇ ଅପରାଜିତା ଓପିନାକୀ ଉଭୟଙ୍କ ପାଖରେ ସମାନ କାଗଜ ରହିଛି। ପିନାକୀ ଏହାକୁ ଏନ୍‌ଓସି କହୁଥିବା ବେଳେ ଅପରାଜିତା କହୁଛନ୍ତି,ଏହା ଏନ୍‌ଓସି ନୁହେଁ, ବରଂ ଏକ ଚିଠି। ତେବେ ଏଠି ଜନ ସାଧାରଣଭ୍କ ମନରେ ପ୍ରଶ୍ନ ଉଠୁଛି ଯେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ କିଏ ସତ କହୁଛି ଆଉ କିଏ ମିଛ କହୁଛି।
ପିନାକୀ-ଅପରାଜିତା କଥା କଟାକଟି
ପିନାକୀ ମିଶ୍ର ଏନେଇ ନିଜ ସପକ୍ଷରେ ସ୍ପଷ୍ଟୀକରଣ ରଖିଛନ୍ତି। ଖଣ୍ଡିଏ କାଗଜ ଦେଖାଇ ସେ କହିଛନ୍ତି, ଏହା ହେଉଛି ଗତ ସେପ୍ଟେମ୍ୱର ୪ ତାରିଖରେ NMA ଦେଇଥିବା ଏନ୍‌ଓସି। ଏହି ଏନ୍‌ଓସି ମୁତାବକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କ୍ଲକ ରୁମ୍‌, ମିନି କ୍ଲକ ରୁମ୍‌, ସେଲ୍‌ଟର ପାଭିଲିଅନ, ପୁରୁଷ, ମହିଳା ଓ ସେବାୟତଙ୍କ ପାଇଁ ଟଏଲେଟ ନିର୍ମାଣ କରିବାକୁ ଅନୁମତି ମିଳିଛି। କିନ୍ତୁ ସମୟ ଅଭାବରୁ ସଂସଦରେ କେବଳ ଟଏଲେଟ କଥା କହିଦେଇଥିଲି। ସଂସଦରେ କିଛି ମିଛ କହିନି।
ପିନାକୀଙ୍କ ଏନ୍‌ଓସି ମନ୍ତବ୍ୟକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ  ଜବାବ ରଖିଛନ୍ତି। ସେ କହିଛନ୍ତି କୌଣସି ଐତିହ୍ୟ ସ୍ଥଳର ୧୦୦ ମିଟର ଭିତରେ ନିର୍ମାଣ କାର୍ଯ୍ୟ କରିବା ପାଇଁ ଅନୁମତି ଦେବାକୁ ଏନ୍‌ଏମ୍‌ଏ (ନ୍ୟାସନାଲ୍‌ ମନୁମେଟ୍‌ ଅଥରିଟିର)ର କ୍ଷମତା ନାହିଁ। କେବଳ ଏଏସ୍‌ଆଇର ଡିଜିଙ୍କ ସ୍ୱତନ୍ତ୍ର ଅନୁମତି କ୍ରମେ କିଛିଟା ସୁବିଧା ନିର୍ମାଣ ହୋଇପାରିବ। କିନ୍ତୁ କଥା ହେଉଛି, ଯେଉଁ ସବୁ କାର୍ଯ୍ୟ ହୋଇଛି, ସେଥିରେ ୪ଟା ଶୌଚାଳୟ ହେଉଛି ବୋଲି ସେ (ପିନାକୀ ମିଶ୍ର) ବାରମ୍ୱାର କହିଥିଲେ। କିନ୍ତୁ ଆଜି କହୁଛନ୍ତି ଆହୁରି ଅନେକ କାମ ହେଉଛି। ଏତେ ସବୁ କାମ ପାଇଁ ଏନ୍‌ଓସି ମିଳିଥିବା କଥା କହୁଛନ୍ତି। କିନ୍ତୁ ସେ ଯାହାକୁ ଏନ୍‌ଓସି କହୁଛନ୍ତି ସେଇଟା ଏନ୍‌ଏମ୍‌ଏର ଚିଠି, ଏନ୍‌ଓସି ନୁହେଁ। ଏନ୍‌ଓସିର ଫର୍ମାଟ୍‌ ଅଲଗା।ତେଣୁ ଉଭୟଙ୍କ ଏ ପ୍ରକାରର ବିସ୍ଫୋରକ ବୟାନ ପରେ ପ୍ରକୃତ ସତ କଣ ତାହା ଜାଣିବାକୁ ଏକ ନିରପେକ୍ଷ ତଦନ୍ତ ହେବା ଉଚିତ୍ ବୋଲି ଦାବୀ ହେଉଛି।ଭକ୍ତଙ୍କ ଭାବାବେଗ ସହିତ ଜଡ଼ିତ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ କୌଣଷି ପ୍ରକାରର ଅନୈତିକ କାର୍ଯ୍ୟକୁ ବରଦାସ୍ତ କରାଯିବ ପାହିଁ ବୋଲି କହା ଚେତାବନୀ ମଧ୍ୟ ଦିଆଯାଉଛି।