୫ ପୃଷ୍ଠାରେ କଂଗ୍ରେସର ଭିତିରି କଥା:କଂଗ୍ରେସରେ କୋଣଠେସା ବରିଷ୍ଠ ନେତା

ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ବିଗତ କିଛି ଦିନ ହେଲା ଦଳୀୟ ଆଚରଣ ଓ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରି ନାରାଜ ରହିବା ପରେ କଂଗ୍ରେସକୁ ସେ ବାଏ ବାଏ କରିଛନ୍ତି। କଂଗ୍ରେସର ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଏକ ଚିଠି ପଠାଇ ନିଜ ଇସ୍ତଫାପତ୍ରରେ ଦଳ ଛାଡିବା ପଛର ବଡ କାରଣ ଲେଖିଛନ୍ତି। ଏହାସହ କଂଗ୍ରେସର କାର୍ଯ୍ୟଶୈଳୀକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ରାହୁଲ ଗାନ୍ଧିଙ୍କ ପାଇଁ ସେ ଇସ୍ତଫା ଦେବା କଥା ସ୍ପଷ୍ଟ କରିଛନ୍ତି।

ରାହୁଲ ଗାନ୍ଧୀ ଜଣେ ଅପରିପକ୍ୱ ନେତା:ଗୁଲାମ ନବୀ ଆଜାଦ
ଗୁଲାମ ନବୀ ଆଜାଦ ତାଙ୍କ ଇସ୍ତଫା ପତ୍ରରେ ରାହୁଲଙ୍କ ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆଣିବା ସହ ତାଙ୍କ ଉପରେ ବର୍ଷିଛନ୍ତି। କଂଗ୍ରେସର ପତନପାଇଁ ରାହୁଲଙ୍କୁ ଦାୟୀ କରିଛନ୍ତି ଗୁଲାମ। ରାହୁଲଙ୍କୁ ସେ ଅପରିପକ୍ୱ କହିବା ସହ ସେ ଉପାଧ୍ୟକ୍ଷ ହେବା ପରେ ବରିଷ୍ଠ ନେତାଙ୍କୁ ଅସମ୍ମାନ କରାଯାଉଥିବା ଅଭିଯୋଗ କରିଛନ୍ତି। ସବୁ ସିନିୟର ନେତାଙ୍କୁ ସେ ସାଇଡ କରିଥିବା ଗୁଲାମ ନବୀ ପ୍ରକାଶ କରିଛନ୍ତି । ସୋନିଆଗାନ୍ଧୀ ଦଳର ଅଧ୍ୟକ୍ଷ ହୋଇଥିଲେ ସୁଦ୍ଧା ଅନେକ କ୍ଷେତ୍ରରେ ରାହୁଲ ନିଷ୍ପତ୍ତି ନେବା ସେ ପ୍ରକାଶ କରିଛନ୍ତି।
ଭାରତ ଯୋଡୋ ଯାତ୍ରା ପୂର୍ବରୁ କଂଗ୍ରେସ ଯୋଡୋ ଯାତ୍ରା ଜରୁରୀ
ଦଳୀୟ କଳେବର ବୃଦ୍ଧିପାଇଁ ଭାରତ ଯୋଡୋ ଯାତ୍ରା କଂଗ୍ରେସ ତରଫରୁ ଆରମ୍ଭ ହୋଇଥିଲା ବେଳେ ଏହାକୁ କଟାକ୍ଷ କରିଛନ୍ତି ଗୁଲାମ ନବୀ ଆଜାଦ। ଭାରତ ଯୋଡୋ ପୂର୍ବରୁ କଂଗ୍ରେସକୁ ଯୋଡିବା ସମୟର ଆହ୍ୱାନ ବୋଲି ସେ କହିଛନ୍ତି। ରାହୁଲଙ୍କ ପିଲାଳିଆମୀ ପାଇଁ 2024 ନିର୍ବାଚନରେ କଂଗ୍ରେସର ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦ୍ୱାରା ଜାରି କରାଯାଇଥିବା ଅଧ୍ୟାଦେଶକୁ ଚିରି ରାହୁଲ ନିଜ ଅଯୋଗ୍ୟତାର ଶ୍ରେଷ୍ଠ ପ୍ରମାଣ ଦେଇଛନ୍ତି। କଂଗ୍ରେସରେ ରହି ଆସିଥିବା ମତ ବିନିମୟ ବ୍ୟବସ୍ଥାକୁ ରାହୁଲ ନଷ୍ଟ କରିଥିବା ଗୁଲାମ ଟାର୍ଗେଟ୍ କରିଛନ୍ତି।

ବରିଷ୍ଠଙ୍କୁ ସାଇଡଲାଇନ୍ କରିଛନ୍ତି ରାହୁଲ
ଜି-୨୩ ଗ୍ରୁପରେ ସାମିଲ ଥିବା ଗୁଲାମ ନବୀ ଆଜାଦ୍ ଇସ୍ତଫାପତ୍ରରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ଦଳର ବରିଷ୍ଠ ନେତାଙ୍କୁ ସାଇଡଲାଇନ କରାଯାଉଛି। ରାହୁଲ ଗାନ୍ଧୀଙ୍କୁ ପୂର୍ବରୁ ମଧ୍ୟ ପାର୍ଟ ଟାଇମ ରାଜନେତା ବୋଲି କୁହାଯାଉଥିଲା। ଏହାପୂର୍ବରୁ ହାର୍ଦ୍ଦିକ ପଟେଲ ଓ ହିମନ୍ତ ବିଶ୍ୱଶର୍ମା ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ଏହାବାଦ୍ କଂଗ୍ରେସର ସିଡବ୍ଲୁସି ମଧ୍ୟ ଏକ କୋଟରୀ ଦ୍ୱାରା ପରିଚାଳିତ ହେଉଥିବା ଗୁଲାମନବୀ କହିଛନ୍ତି। ଜି-୨୩ ଗ୍ରୁପ୍ କଂଗ୍ରେସ କାର୍ଯ୍ୟଶୈଳୀ ଓ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ଏଥିରେ ପରିବର୍ତ୍ତନର ଆବଶ୍ୟକତା ବୋଲି କହିଥିଲେ। କିନ୍ତୁ ସେମାନଙ୍କ କଥା ଶୁଣିବା ପରିବର୍ତ୍ତେ ଜି-୨୩ରେ ଥିବା ସମସ୍ତ ନେତାଙ୍କୁ ଦଳ ଅପମାନିତ କରାଯାଇଥିଲା। ଦଳରେ ବରିଷ୍ଠ ନେତାଙ୍କୁ ସାଇଡଲାଇନ କରିବା ସବୁଠୁ ବିପଦଜନକ ସ୍ଥିତି ସୃଷ୍ଟି କରିଛି। ଆଗାମୀ ଦିନରେ ଏହା କଂଗ୍ରେସ ପାଇଁ କ୍ଷତିକାରୀ ହୋଇପାରେ ବୋଲି ସେ ମତ ରଖିଛନ୍ତି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us