ଗୁରୁଦିବସର ଗହନ କଥା:ଦେଶର ସର୍ବୋଚ୍ଚ ପଦବୀରେ ବସିଛନ୍ତି ୭ ଶିକ୍ଷକ

ପବିତ୍ର ଗୁରୁଦିବସ ଅବସରରେ ଦେଶବ୍ୟାପୀ ଗୁରୁ ଅର୍ଥାତ ଶିକ୍ଷକଙ୍କ ଗୁଣଗାନ ହେଉଛି।ବିଦ୍ୟାଳୟ ମହାବିଦ୍ୟାଳୟଠୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଓ ବ୍ୟକ୍ତିଗତ କ୍ଷେତ୍ରରେ ମଧ୍ୟ ଏ ପର୍ବ ପାଳନ କରାଯାଉଛି। ମାତ୍ର ଆପଣ ଜାଣନ୍ତି କି ଦେଶର ସର୍ବୋଚ୍ଚ ପଦବୀର ମାନ୍ୟତା ପାଇଥିବା ରାଷ୍ଟ୍ରପତି ଆସନରେ ମଧ୍ୟ ଅନେକ ଶିକ୍ଷକ ଅର୍ଥାତ୍ ଗୁରୁ ବସିସାରିଛନ୍ତି।ଦେଶରେ ଏଯାବତ୍ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଅନେକ ଶିକ୍ଷକ ପ୍ରତିଦ୍ୱନ୍ଦିତା ବି କରିଛନ୍ତି। ଏପରିକି ବର୍ତ୍ତମାନ ସୁଦ୍ଧା ନିର୍ବାଚିତ ହୋଇସାରିଥିବ ୧୫ ଜଣ ରାଷ୍ଟ୍ରପତି ମଧ୍ୟରୁ ୭ ଜଣ ଶିକ୍ଷକତା କରୁଥିଲ। ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ମଧ୍ୟ ରାଜନୀତିକୁ ଆସିବା ପୂର୍ବରୁ ଶିକ୍ଷକତା କରୁଥିଲେ। ତେବେ କେଉଁ କେଉଁ ରାଷ୍ଟ୍ରପତି ତାଙ୍କ ଜୀବନରେ ଶିକ୍ଷକତା କରୁଥିଲେ ଆସନ୍ତୁ ସେ ସମ୍ପର୍କରେ ଜାଣିବା।

ଗୁରୁଦିବସ ସେପ୍ଟେମ୍ବର ୫ ରେ କାହିଁକି?
ସେପ୍ଟେମ୍ବର ୫ ରେ ଗୁରୁ ଦିବସ ପାଳନ କରାଯିବାର ମଧ୍ୟ ଏକ ନିର୍ଦ୍ଦିଷ୍ଟ କାରଣ ରହିଛି। ଏହି ଦିନରେ ଦେଶର ସର୍ବପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ ଜନ୍ମଗ୍ରହହଣ କରିଥିଲେ। ସେ ଏକାଧାରାରେ ଜଣେ ଶିକ୍ଷକ,ଅଧ୍ୟାପକ ଓ ଦାର୍ଶନୀକ ଥିଲେ। ଶିକ୍ଷା କ୍ଷେତ୍ରରେ ତାଙ୍କର ଗଭୀର ପାରଦର୍ଶିତା ରହିଥିଲା।ସେ ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟ,କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟରେ କୂଳପତିର ଦାୟିତ୍ୱ ମଧ୍ୟ ଲିଭାଇଥିଲେ। ଶିକ୍ଷା କ୍ଷେତ୍ରରେ ତାଙ୍କର ଗଭୀରତା ହେତୁ ଜବାହରଲାଲଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ତାଙ୍କୁ ଉପରାଷ୍ଟ୍ରପତି ଆସନରେ ବସାଯାଇଥିଲା।ଏହାପରେ ସେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ମଧ୍ୟ ହୋଇଥିଲେ। ତାଙ୍କର ଜନ୍ମଦିନକୁ ଶିକ୍ଷକ ସମାଜକୁ ଉତ୍ସର୍ଗୀକୃତ କରିବାକୁ ସେ ସେହିଦିନକୁ ଗୁରୁଦିବସ ରୁପେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ସେବେଠାରୁ ସମଗ୍ର ଦେଶରେ ତାଙ୍କର ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ।

ଶିକ୍ଷକରୁ ରାଷ୍ଟ୍ରପତି…
ଭାରତର ସର୍ବୋଚ୍ଚ ଆସନରେ ବସିଥିବା ଅନେକ ବ୍ୟକ୍ତି ଶିକ୍ଷକତା କରିଛନ୍ତି। ସମୟକ୍ରମେ ରାଜନୀତିରେ ପାଦ ଥାପିଥିଲେ ସୁଦ୍ଧା ଶିକ୍ଷକତା ହିଁ ସେମାନଙ୍କର ନିଶା। ଦେଶର ସର୍ବପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ମଧ୍ୟ ବୃତ୍ତିରେ ଜଣେ ଶିକ୍ଷକ ଥିଲେ। ସର୍ବପଲ୍ଲୀ ରାଧାକୃଷ୍ଣ ମଧ୍ୟ ଶିକ୍ଷକତା କରୁଥିଲେ,ସେ ଦର୍ଶନଶାସ୍ତ୍ରରେ ଅଧ୍ୟାପନା କରୁଥିଲେ। ଜାକିର ହୁସେନ ମଧ୍ୟ ବିଦେଶରୁ ଉଚ୍ଚଶିକ୍ଷା ହାସଲ କରିବା ପରେ ଅଧ୍ୟାପନା କରୁଥିଲେ। ସେ ଜାମିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ୧୯୯୨ ରୁ ୧୯୯୭ ରାଷ୍ଟ୍ରପତି ଥିବା ଶଙ୍କର ଦୟାଲ ଶର୍ମା ମଧ୍ୟ ଶିକ୍ଷକ ଥିଲେ। ଏପିଜି ଅବଦୁଲ କାଲାମ ବୈଜ୍ଞାନିକ ଥିଲେ ସୁଦ୍ଧା ଶିକ୍ଷାଦାନ ଓ ଅଧ୍ୟାପନା କରିବାକୁ ସେ ବହୁତ ପସନ୍ଦ କରୁଥିଲେ। ୨୦୧୨ରେ ରାଷ୍ଟ୍ରପତି ହୋଇଥିବା ପ୍ରଣବ ମୁଖାର୍ଜୀ ରାଜନୀତିକୁ ଆସିବାପୂର୍ବରୁ ସାମ୍ବାଦିକତା ଏବଂ ଶିକ୍ଷକତା କରୁଥିଲେ।ନବନିର୍ବାଚିତ ରାଷ୍ଟପତି ଦ୍ରୌପ୍ରଦି ମୁର୍ମୁ ମଧ୍ୟ ରାଜନୀତିକୁ ଆସିବା ପୂର୍ବରୁ ସ୍କୁଲ ଶିକ୍ଷୟିତ୍ରୀ ଥିଲେ। ଏହିଭଳି ଭାବେ ଭାରତର ଅନେକ ଶିକ୍ଷକ ଶିକ୍ଷା ପରିସରରୁ ରାଜନୀତିରେ ପାଦ ଥାପି ସର୍ବୋଚ୍ଚ ଆସନରେ ବସି ରେକର୍ଡ କରିଛନ୍ତି।
Connect With Us