ପୁରୀ ଜିଲ୍ଳା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ,ଏବେ ପଲିଟିକ୍ସର ଡିସକସନ୍ ପଏଣ୍ଟ। ସତ୍ୟବାଦୀରେ ପାଣ୍ଡ୍ୟାନଙ୍କ ଉପରେ କାଳି ମାଡ଼ ହେବା ଠାରୁ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା। ଉମାଙ୍କ ବିଜେଡି ଟିକେଟ ରହିବ କି ନାହିଁ, ତାହା ଏବେ ସସପେନସ୍। ସେପଟେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ବ୍ରହ୍ମଗିରି ଛାଡ଼ି ସତ୍ୟବାତୀ ଆଡ଼କୁ ଢଳିଲେଣି। ଆଉ ଗୁଇନ୍ଦା ରିପୋର୍ଟରେ ଉମାଙ୍କ ସ୍ଥିତି ଠିକ ନାହିଁ। ଏମିତି ତ ସତ୍ୟବାଦୀ ମାଟିରୁ ଲଗାତାର ତିନି ତିନି ଥର କେହି ହୋଇନାହାଁନ୍ତି ବିଧାୟକ। ଏପରି ସ୍ଥିତିରେ ସତ୍ୟବାଦୀରୁ ହ୍ୟାଟ୍ରିକ ମାରିବାର ଉମାଙ୍କ ସ୍ୱପ୍ନ ହୋଇପାରେ କି ଧୂଳିସାତ୍ ?
ଉମାକାନ୍ତ ସାମନ୍ତରାୟ ୨୦୧୪ରେ ସ୍ୱାଧୀନ ଭାବେ ସତ୍ୟବାଦୀରୁ ଜିତି, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ଗଡ଼ ଭାଙ୍ଗିଲେ। ୨୦୧୯ରେ ବିଜେଡି ଟିକେଟ ପାଇ ସତ୍ୟବାଦୀର ପ୍ରଥମ ବିଜେଡି ବିଧାୟକ ହେବାର ଗୌରବ ଅର୍ଜନ କଲେ ଉମା। ହେଲେ କୋଭିଡ ପରେ ଉମାଙ୍କ ସାଂଗଠନିକ ଦକ୍ଷତାରେ ସତେ ଯେପରି ଲକଡାଉନ୍। ବାକି ଯାହା ପଲିଟିକାଲ୍ ପ୍ଲେଟଲେଟ୍ ଅଛି,, ତାକୁ ବ୍ରହ୍ମଗିରିର ସଞ୍ଜୟ ଦାସବର୍ମା, ନଷ୍ଟ କରି ଦେଲେଣି।
ନିଜ ବ୍ଲକ କଣାସରେ, ଉମା ଏବେ ଅଲୋଡ଼ା। ଗତ ପଞ୍ଚାୟତ ନିର୍ବାଚନରେ କଣାସ ବ୍ଲକ ବିଜେପି ଖାତାକୁ ଗଲା। ସତ୍ୟବାତୀରୁ ୩ଟି ଜିଲ୍ଲା ପରିଷଦ ସିଟ୍ ବି ହାରିଲା ବିଜେଡି। ଯେଉଁଥିରୁ ଦୁଇଟି ଜୋନ୍,କଣାସ ବ୍ଲକରୁ। ତେବେ ଉମାଙ୍କ ପାଇଁ ଘାତକ ହେଲେ ନିଜ ସ୍ତ୍ରୀଙ୍କୁ ବ୍ଲକ ଅଧ୍ୟକ୍ଷା କରାଇବାର ଇଚ୍ଛା। ଯାହାକୁ ବିରୋଧ କଲେ କଣାସ ବ୍ଲକର ବିଜେଡି ନେତାଏ। ଫାଇଦାରେ ରହିଲା ବିଜେପି। ହାତେଇଲା ବ୍ଲକ ଅଧ୍ୟକ୍ଷା ପଦ। ଏହାକୁ ସଞ୍ଜୟଙ୍କ ଚକ୍ରାନ୍ତ କୁହାଗଲା। ଅବଶ୍ୟ କଣାସ ବିଜେଡିର ବ୍ରାଣ୍ଡେଡ ପଞ୍ଚାୟତ ନେତାଏ ଏବେ ସଞ୍ଜୟଙ୍କ ଶିବିରରେ। ଆଉ ସତ୍ୟବାଦୀରୁ ଗୁଇନ୍ଦା ରିପୋର୍ଟ ମଧ୍ୟ ଯାଇଛି,ସଞ୍ଜୟଙ୍କ ସପକ୍ଷରେ।
ସେପଟେ ଉମାଙ୍କ ପାଖ ପଞ୍ଚାୟତର ଭାଷ୍କର ସାହୁ, ପାଣ୍ଡ୍ୟାନଙ୍କ ଉପରେ କାଳି ମାଡ଼ କରିବା ପର ଠାରୁ ସତ୍ୟବାଦୀରେ ଗୋଟାଏ ଚର୍ଚ୍ଚା, ଗେଡ଼ା ଉମାର ଟିକେଟ୍ କଟିଲା। ଅବଶ୍ୟ ସତ୍ୟବାଦୀର ରାଜନୈତିକ ଇତିହାସ ସାକ୍ଷୀ ଯେ ଏଠାରୁ କୌଣସି ବିଧାୟକ, ହ୍ୟାଟ୍ରିକ ମାରି ନାହାନ୍ତି। ଅଧିକରୁ ଅଧିକ ଲଗାତାର ଦୁଇ ଥର। ହ୍ର୍ୟାଟ୍ରିକ ସତେ ଯେପରି ସତ୍ୟବାଦୀ ପାଇଁ ଅଭିଷାପ। ଯଦି ବିଜେଡି ପାୱାର କରିଡର, ଗ୍ରହ ନକ୍ଷେତ୍ରରେ ବିଶ୍ୱାସ କରୁଥିବେ, ସତ୍ୟବାଦୀର ଅଭିଷପ୍ତ ତୃତୀୟ ରାଉଣ୍ଡରୁ ଉମାଙ୍କୁ ଦେଇପାରନ୍ତି ବାଦ୍। ଆଉ ସଞ୍ଜୟଙ୍କୁ ସତ୍ୟବାଦୀର ଭେଟି ଦେଇ, ପୁରୀ ଜିଲ୍ଲାର ବିଗିଡ଼ା ସଂଗଠନକୁ ସଜାଡିବାକୁ ଚେଷ୍ଟା କରିପାରେ ବିଜେଡି।ଅବଶ୍ୟ କିଏ କହିପାରନ୍ତି, ସଞ୍ଜୟ ଦାସବର୍ମା ଅଟନ୍ତି ବାହାରିଆ ନେତା। କିନ୍ତୁ ସତ୍ୟବାଦୀର ମତଦାତା ଦଳ ଅପେକ୍ଷା, ପ୍ରାର୍ଥୀଙ୍କୁ ଦେଇଛନ୍ତି ଗୁରୁତ୍ୱ।
ନଜର ପକାଇବା ସତ୍ୟବାଦୀର ପଲିଟିକାଲ୍ ହିଷ୍ଟ୍ରି ଉପରେ:
ଯଦିଓ ଚନ୍ଦ୍ରମାଧବ ମିଶ୍ର ଏବଂ ପ୍ରସାଦ ହରିଚନ୍ଦନ ୩ଥର ଲେଖାଏଁ ସତ୍ୟବାଦୀକୁ ପ୍ରତିନିଧିତ୍ୱ କରିଛନ୍ତି। କିନ୍ତୁ ଏକାଥରକେ ୩ ଥର ଜିତିବାର ଭାଗ୍ୟ ରଖି ନଥିଲେ।
- ୧୯୫୨ର ପ୍ରଥମ ନିର୍ବାଚନରେ ପଞ୍ଚଶଖାଙ୍କ ମଧ୍ୟରୁ ଅନ୍ୟତମ ପଣ୍ଡିତ ନୀଳକଣ୍ଠ ଦାଶଙ୍କୁ ସ୍ୱାଧିନ ଭାବେ ବିଜୟୀ କରାଇଲା ସତ୍ୟବାଦୀ।
- ପରବର୍ତ୍ତୀ ସମୟରେ ଚନ୍ଦ୍ରମାଧବ ମିଶ୍ର,ରମାରଞ୍ଜନ ବଳିଆର ସିଂ ଏବଂ ଉମାକାନ୍ତ ସାମନ୍ତରାୟ ସ୍ୱାଧିନ ଭାବେ ବିଜୟୀ ହେଲେ।
- ୧୯୬୧ରେ ପୁରୀ ରାଜ ପରିବାରର ଦୟାଦ ରାଜାରାଜ ଦେବ,ସ୍ୱତନ୍ତ୍ର ପାର୍ଟି ଟିକେଟରେ ବିଧାୟକ ହେଲେ।
- ୧୯୫୨ରୁ ୧୯୯୦ ପର୍ଯ୍ୟନ୍ତ,୧୦ଟି ନିର୍ବାଚନରେ ବିଧାୟକ ହେଉଥିଲେ,ସତ୍ୟବାଦୀ ବ୍ଲକର ମୂଳବାସୀନ୍ଦା। ରାଜାରାଜ ଦେବଙ୍କୁ ବାଦ ଦେଲେ, ସେମାନେ ସମସ୍ତ ଥିଲେ ବ୍ରାହ୍ମଣ।
- ୧୯୯୫ ମସିହା ଯାଏଁ ବ୍ରାହ୍ମଣଙ୍କ ନିୟନ୍ତ୍ରଣରେ ରହୁଥିବା ସତ୍ୟବାଦୀ, ଗତ ୬ଟି ନିର୍ବାଚନରେ ଖଣ୍ଡାୟତଙ୍କୁ ବିଧାୟକ ଭାବେ ନିର୍ବାଚିତ କରାଉଛି।
- ଆଶ୍ଚର୍ଯ୍ୟର କଥା ହେଲା, ୧୯୯୫ ମସିହା ଠାରୁ ଆଜି ଯାଏଁ କଣାସ ବ୍ଲକର ନେତାଏ, ସେ କଂଗ୍ରେସର ହୁଅନ୍ତୁ ବା ସ୍ୱାଧିନ, ଅଥବା ବିଜେଡିର ପ୍ରାର୍ଥୀ; ଜିତୁଛନ୍ତି,କେବଳ ସେମାନେ।
ଫାଭିଓ: ଏବେ କିନ୍ତୁ ଚର୍ଚ୍ଚା, ବିବାଦୀୟ ଉମା ଶଂଖ ଫୁଙ୍କିବେ କି ନାହିଁ ! ସେପଟେ ସଞ୍ଜୟଙ୍କ ଅନୁଗତ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପି ମୁହାଁ। ଏ ସ୍ଥିତିରେ, ସଞ୍ଜୟଙ୍କୁ ସତ୍ୟବାଦୀ ଦିଆ ନଗଲେ, ଉଭୟ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜେଡି ସଂଗଠନ ହୋଇପାରେ ପ୍ରଭାବିତ !