ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଗଜପତିଙ୍କ ସମର୍ଥନ, ASIର ବିରୋଧ

ଶ୍ରୀମନ୍ଦିର ଚାରି ପାଖେ ଚାଲିଥିବା ନିର୍ମାଣ କାର୍ଯ୍ୟ ଠିକ୍ ବା ଭୁଲ ତାର ବିଚାର କରୁଛନ୍ତି ହାଇକୋର୍ଟ। ଏଭଳି ସ୍ଥିତିରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଐତିହ୍ୟ କରିଡର ନିର୍ମାଣକୁ ଠିକ୍ ବୋଲି କହିଲେଣି। ଭାରତ ସରକାରଙ୍କ ବିଶେଷଜ୍ଞ ଅନୁଷ୍ଠାନ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା(ଏଏସଆଇ) ଐତିହ୍ୟ କରିଡର ନିର୍ମାଣକୁ ବିରୋଧ କରୁଛନ୍ତି। କିନ୍ତୁ ଦୀର୍ଘ ଦିନ ଚୁପ ରହିଥିବା ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ହଠାତ୍ ବିବାଦୀୟ ଐତିହ୍ୟ କରିଡର ପ୍ରକଳ୍ପ ନିର୍ମାଣକୁ ସମର୍ଥନ କରିଛନ୍ତି।
ପ୍ରଥମେ ଶୁଭ,ଏବେ ସମର୍ଥନ
ଶ୍ରମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗଜପତି କହିଛନ୍ତି ଯେ “ଶ୍ରୀମନ୍ଦିର ସୁରକ୍ଷିତ ରହିଛି। ପରିକ୍ରମା ପ୍ରକଳ୍ପ ଶେଷ ହେଲେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରଭାବ ପକାଇବ। ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିବା ଆବଶ୍ୟକ। ମହାପ୍ରଭୁଙ୍କ କାର୍ଯ୍ୟ ସମସ୍ତଙ୍କ କାର୍ଯ୍ୟ।ଏଥିରେ ବାଧା ଦେବା ଉଚିତ ନୁହେଁ। ସବୁ ଦ୍ୱନ୍ଦ୍ୱର ସମାଧାନ ମିଳିତ ଭାବେ ହେବା ଜରୁରୀ। ଯଦି କିଛି ସମସ୍ୟା ରହିଛି, ଆପୋଷ ଆଲୋଚନାରେ ସମାଧାନ କରାଯାଉ। ଶ୍ରଦ୍ଧାଳୁ ସମୁହଙ୍କ ଉପକାର କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ରହିବା ଉଚିତ। ସମସ୍ତେ ମିଶି ପ୍ରକଳ୍ପ କାମ ଆଗେଇ ନେବା ଉଚିତ”। ଅବଶ୍ୟ ଗତବର୍ଷ ନଭେମ୍ବର ୨୪ରେ ଏହି ନିର୍ମାଣ କାର୍ଯ୍ୟ ଶୁଭ ଦେଇଥିଲେ ଗଜପତି। ତେଣୁ ଏ ପ୍ରକଳ୍ପ ପ୍ରତି ତାଙ୍କର ପୂର୍ଣ୍ଣ ସମର୍ଥନ ରହିଥିବା ଚର୍ଚ୍ଚା ହେଉଛି।

ଟାର୍ଗେଟରେ ସାଂସଦ
ଅନ୍ୟପଟେ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ ସଂସଦରେ ଉଠାଇ ଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଐତିହ୍ୟ କରିଡରକୁ ଯୁକ୍ତି ସଂଗତ ଢ଼ଙ୍ଗରେ ବିରୋଧ କରି ଆସୁଛନ୍ତି। ସେ ଲୋକସଭା ଭବନରେ ଏ ନେଇ ଯୁକ୍ତି ବାଢ଼ିବା ସହ ମାର୍ଚ୍ଚ ୩୦ରେ ଏଏସଆଇ ମହାନିର୍ଦ୍ଦେଶକ ଭି.ବିଦ୍ୟାଭାତିଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ। ଖନନ ପ୍ରକ୍ରିୟାକୁ ବିରୋଧ କରିବା ପାଇଁ ଆସନ୍ତା ବୁଧବାର(ଏପ୍ରିଲ ୨୭) ପୁରୀରେ ଶୋଭାଯାତ୍ରା କରିବେ। ଅପରାଜିତାଙ୍କ ଶୋଭାଯାତ୍ରର ୨ ଦିନ ଆଗରୁ ଗଜପତିଙ୍କ ବିବାଦୀୟ ନିର୍ମାଣ ସପକ୍ଷରେ କହିବା ପ୍ରସଙ୍ଗକୁ ଭିନ୍ନ ମୋଡ ଦେଉଛି। ପ୍ରଥମେ ସରକାରୀ ଦଳ ସଂପର୍କରେ ଥିବା କିଛି ସେବାୟତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ ଦେବା ଏବଂ ତାର ୨୪ ଘଣ୍ଟା ମଧ୍ୟରେ ନିର୍ମାଣ ସପକ୍ଷରେ ଗଜପତି କହିବା ପ୍ରସଙ୍ଗକୁ ତାଜା କରିଦେଉଛି।

ସେପଟେ ହାଇକୋର୍ଟଙ୍କ ନିକଟରେ ଏଏସଆଇ ଶ୍ରୀମନ୍ଦିର ଚାରିପଟେ ନିର୍ମାଣ ସଂପର୍କରେ ଚୂଡ଼ାନ୍ତ ରିପୋର୍ଟ ମେ’ ୧୬ରେ ଦାଖଲ କରିବ। ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ୧୦୦ ମିଟର ପରିଧି ମଧ୍ୟରେ ହେଉଥିବା ନିର୍ମାଣ ବନ୍ଦ ପାଇଁ ମାମଲାର ବିଚାର କରୁଥିବା ହାଇକୋର୍ଟ ଏଏସଆଇକୁ ଜବାବ ମାଗିଥିଲେ। ମାତ୍ର ଏଏସଆଇ ଗତ ଥର (ଏପ୍ରିଲ୨୧) ଶୁଣାଣି ବେଳେ ବିସ୍ତୃତ ରିପୋର୍ଟ ଦାଖଲ କରିପାରିଲେ ନାହିଁ।
ଅପର ପକ୍ଷରେ ଗତ ଫେବ୍ରୁଆରୀ୫’ରେ ଏଏସଆଇ ପକ୍ଷରୁ ଓଡ଼ିଶା ସରକାରଙ୍କୁ ତାଗିଦ କରାଯାଇ ଥିଲା। ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ୧୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନକରିବାକୁ ବାରଣ କରିଥିଲା।ମାର୍ଚ୍ଚ ୨୧ରେ ପୁରି ଗସ୍ତରେ ଆସିଥିବା ଏଏସଆଇ ମହାନିର୍ଦ୍ଦେଶକ ଭି.ବିଦ୍ୟାଭାତି ମଧ୍ୟ କାର୍ଯ୍ୟକୁ ଗ୍ରୀନ୍ ସିଗନାଲ୍ ଦେଇ ନଥିଲେ।ଗଜପତି ମହାରାଜ ପ୍ରକଳ୍ପକୁ ସମର୍ଥନ କରିଥିଲା ବେଳେ ଏହାକୁ ବିରୋଧ କରିଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଭାପତି ପ୍ରବୀଣ ତେଗାଡିଆ। ବିକାଶ ନାଁରେ ଏହା ବିନାଶ ବୋଲି କହିବା ସହ ସେ କହିଛନ୍ତି ଯେ ‘’ପୁରାତନ ମଠ ମନ୍ଦିର ନ ଭାଙ୍ଗି ମଧ୍ୟ ବିକାଶ ହୋଇ ପାରିଥାଆନ୍ତା।ବିକାଶ ନାଁରେ ପୁରାତନ ମଠ ମନ୍ଦିର ଭାଙ୍ଗିବା ଠିକ୍ ନୁହେଁ।‘’ ଦୀର୍ଘଦିନ ଧରି ଶ୍ରୀମନ୍ଦିର ପ୍ରସଙ୍ଗରେ ନୀରବ ରହିଥିବା ଗଜପତିଙ୍କ ଏଭଳି ମନ୍ତବ୍ୟ ଭକ୍ତ ମହଲରେ ଆଲୋଡନ ସୃଷ୍ଟି କରିଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us