ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଗୋଟିଏ ପଟେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ  ଇଣ୍ଡିଆନ ପଲଟିକାଲ ଆକ୍ସନ କମିଟି (ଆଇପିଏସି) ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ସହ ହାତ ମିଳାଇଥିବା ଖବର ଆସିଛି। ଟିଆରଏସର ନେତୃତ୍ୱ ତେଲେଙ୍ଗାନର ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓ ନେଇଛନ୍ତି। ପ୍ରଶାନ୍ତ କିଶୋର ଟିଆରଏସ ପାଇଁ କାମ କରିବାକୁ ଦୀର୍ଘଦିନ ହେବ ଆଲୋଚନା ଚାଲିଥିଲା। ହେଲେ ସେ କଂଗ୍ରେସରେ ଯୋଗ ଦେଉଥିବା ଖବର ମଧ୍ୟରେ ଏ ଖବର ସାମ୍ନାକୁ ଆସିବା ପରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ଅଡୁଆରେ ପକାଇବ କି ଆଇପିଏସି?
ଆଇପିଏସିର କାର୍ଯ୍ୟଧାରା କଂଗ୍ରେସକୁ ଅଡୁଆରେ ପକାଇପାରେ। ଆଇପିଏସିର କମାଣ୍ଡ ଗୋଟିଏ ସମୟରେ ପ୍ରଶାନ୍ତ କିଶୋରଙ୍କ ହାତରେ ଥିଲା। ଏହି କମ୍ପାନୀ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଭଳି ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ଭିନ୍ନ ଭିନ୍ନ ଦଳଙ୍କ ପାଇଁ କାମ କରସାରିଛି। ଅନେକ ରାଜ୍ୟରେ ଏହାର ଏଜେଣ୍ଡା ଭଲ ଫଳ ମଧ୍ୟ ଦେଇଛି। ପ୍ରଶାନ୍ତ କିଶୋର ପଶ୍ଚିମବଙ୍ଗର ମମତା ବାନାର୍ଜୀ, ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ସହ ମିଶି କାମ କରିଛନ୍ତି। ତାଙ୍କ ପ୍ରସ୍ତାବ ଉପରେ ସୋନିଆ ଗାନ୍ଧୀ ଏକ କମିଟି ବି ଗଠନ କରିସାରିଛନ୍ତି। ଏହାସହ ସେ ସୋନିଆ, ରାହୁଲଙ୍କ ସମେତ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ସହ ବି ଭେଟ କରିଛନ୍ତି ।ମାତ୍ର କଂଗ୍ରେସର କିଛି ବରିଷ୍ଠ ନେତା ପ୍ରଶାନ୍ତ କିଶୋର କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ଭୟଭିତ ହୋଇପଡିଛନ୍ତି । ସେ କେବଳ କଂଗ୍ରେସ ପାଇଁ କାମ କରନ୍ତୁ ଓ ଅନ୍ୟ ରାଜନୈତିକ ଦଳମାନଙ୍କ ଠାରୁ ସଂପର୍କ ଦୂରେଇ ରଖନ୍ତୁ ବୋଲି କଂଗ୍ରେସର ଇଛା।ଯଦି ଏପରି ନ ହୁଏ ତେବେ ହୁଏତ କଂଗ୍ରେସ ଅଡୁଆରେ ପଡିପାରେ ବୋଲି ଚର୍ଚ୍ଚା ହେଉଛି।