ମାଡ଼ି ଆସୁଛି ତୈଳ ସଙ୍କଟ

ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ୱ ଉପରେ ପଡୁଛି। ୟୁକ୍ରେନ ଉପରେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ ପରିବା ପରେ ବିଶ୍ବ ତୈଳ ବଜାର ପ୍ରଭାବିତ ହୋଇଛି। ପ୍ରତିଦିନ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଛି। ଭାରତ ଏହାକୁ ନେଇ ବେଶ ଚିନ୍ତିତ ହୋଇପଡ଼ିଛି। ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୧୯ ଡଲାର ହୋଇଯାଇଛି। ୨୦୧୨ ମେ’ ପରେ ପ୍ରଥମ ଥର ଲାଗି ଏହି ଦର ଏଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ଗୋଟିଏ ପଟେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବା ବେଳେ ଅନ୍ୟପଟେ ଅଶୋଧିତ ତେଲ ଦରବୃଦ୍ଧି ଯୋଗୁଁ ଭାରତ ଆଡ଼କୁ ଏକ ବଡ଼ ତୈଳ ସଙ୍କଟ ମାଡ଼ି ଆସୁଛି। ଏବେ ଦେଶରେ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କାରୁ ଅଧିକ ରହିଛି। ସେଥିରୁ ସରକାରଙ୍କ ଟିକସର ଭାଗ ହେଉଛି ୬୦%। ଗତ ନଭେମ୍ବରରେ ଅଶୋଧିତ ତୈଳ ଦର ୮୨ ଡଲାର ଥିବା ବେଳେ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଦରବୃଦ୍ଧିରେ ରୋକ ଲଗାଇଥିଲେ। ଦୀର୍ଘ ୧୧୯ ଦିନ ଧରି ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଇତି ମଧ୍ୟରେ ଅଶୋଧିତ ତୈଳ ଦାମ୍ ୩୬ ଡଲାର ମହଙ୍ଗା ହୋଇଗଲାଣି।

ହୁ ହୁ ହେଇ ବଢ଼ୁଛି ତୈଳଦର
ଯୁଦ୍ଧ ପ୍ରଭାବରେ ତେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି। ଭାରତ ମଧ୍ୟ ଏହା ପଳରେ ଖୁବ୍ ପ୍ରଭାବିତ ହୋଇଛି । ଭାରତରେ ବିକ୍ରି ହେଉଥିବା ପେଟ୍ରୋଲ୍ ଓ ଡିଜେଲ୍ର ଖୁଚୁରା ଦାମ୍ ତିନିଟି ପ୍ରମୁଖ ବିଷୟ ଉପରେ ନିର୍ଭରଶୀଳ। ତାହା ହେଉଛି ଅଶୋଧିତ ତୈଳ ଦର, ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲଗାଇଥିବା ଟିକସ। ଏଥିରୁ ପ୍ରଥମ ଦୁଇଟି ବିଷୟ ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଛି। ଯଦି ସରକାର କିଛି କରିପାରିବେ ତାହା ହେଉଛି ଟିକସ କମ୍ କରିବେ। କରୋନା ମହାମାରୀ ବ୍ୟାପିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ହୋଇଥିବାରୁ ଅନ୍ୟାନ୍ୟ ଉତ୍ସରୁ ଟିକସ ସଂଗ୍ରହ ବଢ଼ାଇବା କଷ୍ଟକର ହୋଇପଡ଼ିଛି। ସେଥିପାଇଁ ତେଲରୁ ସରକାର ଅଧିକ ଟିକସ ଆଦାୟ କରୁଛନ୍ତି। ଆଗାମୀ ଦିନରେ ତେଲ ଉପରୁ ଟିକସ କମ୍ କରାଯିବ ନା ନାହିଁ ତାହାକୁ ନେଇ ସରକାର ଏ ପର୍ଯ୍ୟନ୍ତ କୌଣଷି ନିଷ୍ପତ୍ତି ନେଇ ନଥିଲା ବେଳେ ତେଳ ଦର ଏବେ ଶଙ୍କଟରେ।
Connect With Us