କଟାକ୍ଷ ପୁରୁଷ ନୀରବିଲେ

ଆଖି ଆଗରେ ଝଲସିବନି ସାମ୍ପ୍ରତିକ ପ୍ରସଙ୍ଗ ଆଧାରିତ ବ୍ୟଙ୍ଗ ବାଣୀ। ଗୁଞ୍ଜରୀତ ହେବନି କିଶୋରଙ୍କ କଥା। ଜମିବନି କଟାକ୍ଷର ଆସର,ଦେଖିବାକୁ ମିଳିବନି କିଶୋରଙ୍କ ବ୍ୟଙ୍ଗ ଚିତ୍ର। କାରଣ ସରକାରଙ୍କୁ ଚେତେଇବା ଓ ଲୋକଙ୍କୁ ଚିନ୍ତାର ଚୈତନ ପ୍ରଦାନ କରୁଥିବା କଟାକ୍ଷର ସ୍ରଷ୍ଟା କିଶୋର ରଥ ଏବେ ଆର ପାରିର ଯାତ୍ରୀ। ଚିତ୍ର, ଶବ୍ଦ ଓ ଛନ୍ଦରେ କଟାକ୍ଷ ଭରି କଲମର ତରବାରୀ ଚଲାଉଥିବା କିଶୋର ରଥଙ୍କ କଲମ ଯୁଦ୍ଧ ଆଉ ଦେଖିବାକୁ ମିଳିବନି।
ଦୈନିକ ଖବର କାଗଜ ‘ସମ୍ବାଦ’ରେ ‘କଟାକ୍ଷ’ ଓ ‘ସ୍ପୋର୍ଟାକ୍ଷ’ କାର୍ଟୁନ ଲାଗି କିଶୋର ରଥ ଘରେ ଘରେ ପରିଚିତ ଥିଲେ। କାର୍ଟୁନ୍ ବ୍ୟତୀତ ଢ଼ୁମ୍ପା ସଙ୍ଗୀତ ପାଇଁ ଖୁବ୍ ପ୍ରସିଦ୍ଧ ଥିଲେ। ତାଙ୍କ କବିତାରେ ଅନନ୍ୟ ରସ ଓ ଚଟୁଳତା ଆପେ ବାରି ହେଉଥିଲା। ଏଥିପାଇଁ ସେ ନୟାଗଡ଼ ଓ ଗଞ୍ଜାମରେ ଖୁବ ପ୍ରଶଂସା ସାଉଁଟି ଥିଲେ। ଓଡ଼ିଶାର ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ସୋମବାର ହୃଦ୍ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା। ଶ୍ୱାସ ଜନିତ ସମସ୍ୟା ହେତୁ ମୃତ୍ୟୁ ତାଙ୍କ ସାଧନାରେ ଶେଷ ଅଧ୍ୟାୟ ଆଙ୍କିଛି।

ନୀରବିଲେ କଟାକ୍ଷ ପୁରୁଷ
ଦୀର୍ଘ ତିରିଶି ବର୍ଷ ଧରି ସେ କଟାକ୍ଷ ମାଧ୍ୟମରେ ନିଜ କଲମକୁ ଶାଣିତ କରି ଆସିଥିଲେ। ବ୍ୟବସ୍ଥା ପ୍ରତି ବିଦ୍ରୁପ କରିବାରେ ସେ ଥିଲେ ମାହିର। ଅନ୍ୟାୟ ଓ ଅଖବରକୁ ସେ ବ୍ୟଙ୍ଗ ମାଧ୍ୟମରେ ସମାଲୋଚନା କରୁଥିଲେ। ସମ୍ବାଦ ପ୍ରଥମ ପୃଷ୍ଠାର ଚାରି ଇଞ୍ଚର ଜାଗାରେ ଆଙ୍କୁଥିଲେ ସେ ଆଖି ଲାଖିଲା ଭଳି ଖବର। ଅଳ୍ପ କେଇ ପଦ କବିତା ସହିତ ଛୋଟିଆ କାର୍ଟୁନ୍ ମାଧ୍ୟମରେ ବାନ୍ଧି ରଖିଥିଲେ ଅନେକ ପାଠକଙ୍କୁ।
ସୋମବାରରେ ଶେଷ କଟାକ୍ଷ
ବ୍ୟଙ୍ଗାକାରଙ୍କ ବିୟୋଗରେ ବ୍ୟଙ୍ଗ ପୃଷ୍ଠାରେ ବୋହୁଥିଲା ବେଦନାର ଅଶ୍ରୁଧାର। ମଙ୍ଗଳବାର ଖବର କାଗଜରେ କଟାକ୍ଷ ପରିବର୍ତ୍ତେ ବଡ଼ ବଡ଼ ଅକ୍ଷରରେ କିଶୋରଙ୍କ ମୃତ୍ୟୁ ଖବର ସ୍ଥାନ ପାଇବ। ବ୍ୟଙ୍ଗ ପରିବର୍ତ୍ତେ ଶ୍ରଦ୍ଧାଞ୍ଜଳୀ ସେହି ପୃଷ୍ଠାରେ ଆଖିଠାର ମାରିବ। ସ୍ୱାସ୍ଥ୍ୟ ଖରାପ ଥିବା ସତ୍ତ୍ୱେ ମଧ୍ୟ କିଶୋର କଲମ ଛାଡ଼ି ନଥିଲେ। ସୋମବାର ସମ୍ବାଦ ଖବର କାଗଜରେ ମମିତା ହତ୍ୟାକାଣ୍ଡ ସମ୍ପର୍କିତ କଟାକ୍ଷ ପ୍ରକାଶିତ ହୋଇଛି। ସମାଜର ବିଭିନ୍ନ ପ୍ରସଙ୍ଗରେ ବ୍ୟଙ୍ଗ ମାଧ୍ୟମରେ ଆଲୋଚନା, ପର୍ଯ୍ୟାଲୋଚନା ଓ ସମାଲୋଚନାର ମୁଖଶାଳା ଆଙ୍କୁଥିବା କିଶୋର ସବୁଦିନ ପାଇଁ ନୀରବି ଯାଇଛନ୍ତି।
Connect With Us