ଗାଇ ଥାଆନ୍ତେ‘ତୋ ସନ୍ଧ୍ୟାଦର୍ଶନ ଲାଗି ବଳିଛି ମନ, ହେ ଚକାନୟନ’ ମାତ୍ର, ତା ପୁର୍ବରୁ ଘୋଟିଗଲା ଅନ୍ଧକାର..

ସ୍ୱର ସମ୍ରାଜ୍ଞୀ,କୋକିଳ କଣ୍ଠୀ ,ଭାରତ ରତ୍ନ,ପଦ୍ମଭୂଷଣ, ପଦ୍ମ ଭୂଷଣ ଏବଂ ଦାଦାସାହେବ ଫାଲକେ ଆଦି ପୁରସ୍କାର ପ୍ରାପ୍ତ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର ୯୨ ବର୍ଷରେ ଦେହାନ୍ତ ହୋଇଛି। ସେ ଭାରତୀୟ ସିନେମାର ଏକ ଆଇକନ୍ ଭାବେ ପରିଚିତ ଥିଲେ।ତାଙ୍କ ମୃତ୍ୟୁରେ ସଙ୍ଗୀତ,ସିନେମା ଜଗତ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ହିନ୍ଦୀ ମରାଠୀ ଏବଂ ବଙ୍ଗାଳୀ ସମେତ ଅନେକ ଆଞ୍ଚଳିକ ଭାଷାରେ ଗୀତ ଗାଇଥିଲେ। ଖ୍ୟାତନାମା ସଙ୍ଗୀତଜ୍ଞ ପରିବାରରେ ମଧପ୍ରଦେଶର ଇନ୍ଦୋରରେ ତାଙ୍କର ଜନ୍ମ। ପଣ୍ଡିତ ଦୀନନାଥ ମଙ୍ଗେସକର୍ ଓ ସେବତୀ ମଙ୍ଗେସକରଙ୍କ ସେ ହେଉଛନ୍ତି ଜ୍ୟେଷ୍ଠ ସନ୍ତାନ। ସଙ୍ଗୀତ ତଥା ସିନେମା ଜଗତକୁ ଅନବଦ୍ୟ ଅବଦାନ ପାଇଁ ଦେଶବ୍ୟାପୀ ସମସ୍ତେ ତାଙ୍କୁ ଝୁରୁଛନ୍ତି।

ଲତା ମଙ୍ଗେଶକର
ନୀରବିଲେ ନାଇଟିଙ୍ଗେଲ୍
ଭାରତୀୟ ସଙ୍ଗୀତ ଜଗତରେ ଲତା ମଙ୍ଗେସକରଙ୍କ ସ୍ଥାନ ଅତୁଳନୀୟ।ତାଙ୍କ କଣ୍ଠରେ ମା ସରସ୍ୱତୀଙ୍କର ଆଶୀର୍ବାଦ ପ୍ରତିଫଳିତ ହୁଏ ବୋଲି ଅନେକ ମତବ୍ୟକ୍ତ କରନ୍ତି ।ସେ କରୋନା ଓ ନିମୋନିଆ ପାଇଁ ଚିକିତ୍ସିତ ହେଉଥିଲେ ।ଡାକ୍ତରଙ୍କ ଶତଚେଷ୍ଠା ସତ୍ତ୍ୱେ ତାଙ୍କର ଦେହାନ୍ତ ହୋଇଛି ।୩୬ଟି ଭାଷାରେ ହଜାରରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଗୀତ ଗାଇ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ତାଙ୍କର ସ୍ୱତନ୍ତ୍ରତା ପାଇଁ ସେ ପଦ୍ମବିଭୂଷଣ,ପଦ୍ମଭୂଷଣ,ମହାରାଷ୍ଟ୍ର ଭୂଷଣ,NTR ରାଷ୍ଟ୍ରୀୟ ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।ତାଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତିଙ୍କ ସମେତ ପ୍ରତିଷ୍ଠିତ ସିନେ କଳାକାର ଶୋକ ପ୍ରକାଶ କରିଛନ୍ତି।
‘ୟେ ହୈ ମେରେ ୱତନ୍ କି ଲୋଗୋଁ’……
ୟେ ହୈ ମେରେ ୱତନ୍ କି ଲୋଗୋଁ ଗୀତ ମାଧ୍ୟମରେ ସେ ସାରା ଦେଶବାସୀଙ୍କୁ କନ୍ଦାଇଥିଲେ।ଏହା ଏକମାତ୍ର ସମୟ ନୁହେଁ ଯେତେବେଳେ ଲତା ମଙ୍ଗେଶକର ନିଜକୁ ଜାତି ସହିତ ପରିଚିତ କରିଥିଲେ,ଏହା ପୁର୍ବରୁ ସେ ସୁମଧୁର ସଙ୍ଗୀତ ମାଧ୍ୟମରେ ସେ ସାରା ଦେଶବାସୀଙ୍କୁ ପ୍ରଭାବିତ କରିଛନ୍ତି।

କାନ୍ଦି ପକାଇଥିଲେ ପଣ୍ଡିତ ନେହେରୁ
ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଲତାଙ୍କ ଗୀତ ଶୁଣି କାନ୍ଦି ପକାଇଥିଲେ।୧୯୬୩ ରେ, ଦିଲ୍ଲୀରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଗାୟକ ଲତା ମଙ୍ଗେଶକର ରାଷ୍ଟ୍ରପତି ଏସ ରାଧାକ୍ରିଷ୍ଣନ୍, ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ବହୁ ବିଶିଷ୍ଟ ଅତିଥିଙ୍କ ସାମ୍ନାରେ ପରିବେଷଣ କରିଥିଲେ। ଦିଲୀପ କୁମାରଙ୍କ ଅନୁରୋଧ କ୍ରମେ ଭଜନ ଆଲ୍ଲା ତେରୋ ନାମ ପରେ ସେ ‘ୟେ ହୈ ମେରେ ୱତନ୍ କି ଲୋଗୋଁ’ ଗାଇଥିଲେ। ହଠାତ୍ ମେହବୁବ୍ ଖାନ୍ ସାର୍ ତାଙ୍କୁ ଡାକି କହିଥିଲେ ‘ଚଲୋ, ପଣ୍ଡିତଜୀ ନେ ବୁଲାୟା ହୈ’ ସେ ଯେତେବେଳେ ବାହାରକୁ ଯାଇ ଦେଖିଲେ ଖୁବ୍ ଖୁସି ହୋଇଗଲେ ।ପଣ୍ଡିତ ଜବାହର ଲାଲ୍ ନେହେରୁ, ଇନ୍ଦିରା ଗାନ୍ଧୀ, ଡ. ରାଧାକ୍ରୀଷ୍ଣନଙ୍କ ସମେତ ସମେତ ସମସ୍ତେ ତାଙ୍କୁ ଅଭିବାଦନ ଜଣାଇବା ପାଇଁ ଭଦ୍ର ଭାବରେ ଠିଆ ହୋଇଥିଲେ।ଜବାହର୍ ଲାଲ୍ ନେହେରୁ ମୁଗ୍ଧ ହୋଇ କହିପକାଇଲେ ଯେ ମେରେ ଆଖୋଁ ମେଁ ପାନି ଆ ଗୟା।ଲତା ତାଙ୍କର ସୁମଧୁର କଣ୍ଠ ପାଇଁ ଅନେକ ହୃଦୟରେ ଚିରଦିନ ପାଇଁ ରହିବେ।
ଅପରାଜିତା ଲତା
ଶ୍ରୀମତୀ ମଙ୍ଗେଶକର ମଧୁବାଲାଙ୍କ ଅଭିନୀତ ଚଳଚ୍ଚିତ୍ର ମହଲରୁ ଆୟେଗା ଅନୱାଲା ଗୀତରେ ଶୀଘ୍ର ହିଟ୍ ହୋଇଥିଲେ।ସେ ମଦର ଇଣ୍ଡିଆ ,ମୋଗଲ-ଇ-ଆଜମ, ଶଙ୍କର-ଜୟକିଶନଙ୍କ ମେଲୋଡିକ୍ ହିଟ୍ ଭଳି ଚଳଚ୍ଚିତ୍ରରେ ନାଉ ଶାଦଙ୍କ ଦ୍ୱାରା ରାଗ ଆଧାରିତ ରଚନା ଗାନ କରିଥିଲେ। ପାରିକାଇ, କୋରା କାଗାଜ ଏବଂ ଲେକିନ୍ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ମହିଳା ପ୍ଲେ ବ୍ୟାକ୍ ସିଙ୍ଗର ଲତା ମଙ୍ଗେଶକର ତିନୋଟି ଜାତୀୟ ପୁରସ୍କାର ଜିତିଥିଲେ। ତାଙ୍କ କ୍ରେଡିଟରେ ଥିବା ଅନ୍ୟ ସ୍ମରଣୀୟ ଚଳଚ୍ଚିତ୍ର ଗୁଡ଼ିକରେ ଅଭିମାନ, ଅମର ପ୍ରେମ,ସିଲସିଲା, ଚାନ୍ଦନୀ, ସାଗର, ରୁଦାଲି ଏବଂ ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ ଅନ୍ତର୍ଭୁକ୍ତ।
ଅଧୁରା ରହିଗଲା ଲତାଙ୍କ ଇଛା
ଓଡିଆ ସିନେମା ଜଗତ ସହ ବେଶ୍ ସଂଶ୍ଳିଷ୍ଠ ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଜଗନ୍ନାଥ ଭଜନ ଗାଇବାର ଇଛା ସବୁଦିନ ପାଇଁ ଅବଶୋଷ ପାଲଟିଗଲା।‘ସୂର୍ଯ୍ୟମୂଖି’ ଓ ‘ଅରୁନ୍ଧତୀ’ ଫିଲ୍ମରେ କଣ୍ଠଦାନ କରି ଓଡିଶା ବାସୀଙ୍କ ମନ ଜିତିଥିବା ଲତା ଏକ ଜଗନ୍ନାଥ ଭଜନ ଗାଇଥାଆନ୍ତେ।ଗୀତିକାର ମୋହିତ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ ତୋ ସନ୍ଧ୍ୟାଦର୍ଶନ ଲାଗି ବଳିଛି ମନ, ହେ ଚକାନୟନ ଗୀତରେ ସେ କଣ୍ଠଦାନ କରିବାକୁ କହିଥିଲେ।କୋଭିଡ୍ କଟକଣା ହେତୁ ରେକର୍ଡିଂ ହୋଇପାରି ନଥିଲା ବେଳେ ଲତାଙ୍କ ଅସୁସ୍ଥତା ପାଇଁ ତାଙ୍କର ଏ ଇଛା ପୂରଣ ହୋଇପାରିଲା ନାହିଁ।ତାଙ୍କର ଦେହାନ୍ତ ସାରା ଭାରତ ପାଇଁ ଏକ ଅପୂରଣୀୟ କ୍ଷତି।
Connect With Us