ବିବାଦର ପିଛା ଛାଡୁନି ବଲିଉଡ। ବିଭିନ୍ନ ପ୍ରକାର ବିବାଦ ଘେରରେ ରହି ଆସୁଥିବା ବଲିଉଡ ଜଗତକୁ ଏବେ ବୟକଟ୍ ଟ୍ରେଣ୍ଡ ଅଡୁଆରେ ପକାଇଛି। କରୋନାରେ ଦୁଇବର୍ଷ ଧରି ପ୍ରଭାବିତ ହୋଇ ଦୁର୍ଦ୍ଦିନର ସମୟ ଅତିକ୍ରାନ୍ତ କରିଥିବା ବଲିଉଡ ଜଗତ ଅଣ୍ଟା ସଳଖୁଥିବା ବେଳେ କାଳ ସାଜିଛି ବୟକଟ ଟ୍ରେଣ୍ଡ। ବଲିଉଡରେ ଦର୍ଶକଙ୍କ ସଂଖ୍ୟା ଧିରେଧିରେ କମୁଥିବାରୁ ଫିଲ୍ମ ନିର୍ଦ୍ଦେଶକ,ନିର୍ମାଣକାରୀ ସଂସ୍ଥା ପ୍ରଭାବିତ ହେଉଛନ୍ତି। କଳାକାର ଜଗତ ମଧ୍ୟ ଏଥିରେ ବହୁ ମାତ୍ରାରେ ପ୍ରଭାବିତ ହୋଇ ଆର୍ଥିକ ଦୁରାବସ୍ଥାର ଶିକାର ହେଉଛନ୍ତି। ବୟକଟ ଟ୍ରେଣ୍ଡରେ ବ୍ରେକ୍ ନ ଲାଗିଲେ ଆଗାମୀ ଦିନରେ ଏହାର ସ୍ଥିତି ସଙ୍କଟାପନ୍ନ ହୋଇପାରେ ବୋଲି ଅନୁମାନ କରାଯାଉଛି।
୨୯ରୁ ୨୬ ଫିଲ୍ମ ଫ୍ଲପ:ବିପଦରେ ବଲିଉଡ
କରୋନାରେ ପ୍ରଭାବିତ ହୋଇ ବ୍ୟବସାୟିକ କ୍ଷତି ସହିଲା ପରେ ପୁଣିଥରେ ଟ୍ରାକକୁ ଫେରିବାକୁ ଚାହୁଁଛି ବଲିଉଡ। ମାତ୍ର ‘ବୟକଟ୍ ଟ୍ରେଣ୍ଡ’ ବଲିଉଡ୍ ପାଇଁ କାଳ ସାଜିଛି। ପ୍ରଥମଥର ବଲିଉଡ୍ ଇତିହାସରେ ଏତେ ମାତ୍ରରେ ବୟକଟ ଦେଖିବାକୁ ମିଳିଛି।ଗତ ୮ମାସରେ ରିଲିଜ୍ ହୋଇଥିବା ୨୯ରୁ ୨୬ ଫିଲ୍ମ ଫ୍ଲପ୍ ହୋଇଛି। ନିକଟରେ ଆମୀର ଖାନ୍ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ଫ୍ଲପ୍ ହୋଇଥିଲା ବେଳେ ବକ୍ସ ଅଫିସରେ ‘ଲାଲ୍ ସିଂ ଚଡ୍ଡା’ ବୟକଟ ହୋଇଛି। ଗୋଟିଏ ପଟେ ନୂଆ ଫିଲ୍ମର ଘୋଷଣା ହେଉଛି ସତ ମାତ୍ର ‘ବୟକଟ୍ ବଲିଉଡ୍’ ଟ୍ରେଣ୍ଡ ଦ୍ୱାରା ଫିଲ୍ମର ବ୍ୟବସାୟ ଉପରେ ପ୍ରଭାବ ପଡୁଛି। ବୟକଟର ସିଧାସଳଖ ପ୍ରଭାବ ଫିଲ୍ମ ଉପରେ ପଡ଼ୁଛି। ବଡ଼ ବ୍ୟାନର ଓ ନାମୀ ଷ୍ଟାରଙ୍କ ଫିଲ୍ମ ଫ୍ଲପ୍ ହେଇଯାଉଛି। ପ୍ରଥମେ ଲାଲ ସିଂ ଚଡ୍ଡା, ପଠାନ ଓ ରକ୍ଷାବନ୍ଧନକୁ ବୟକଟ୍ କରିବା ନେଇ ଟ୍ରେଣ୍ଡ ହୋଇଥିଲା। ଏବେ ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କ ଆଗାମୀ ଫିଲ୍ମ ‘ଟାଇଗର୍-୩’କୁ ବୟକଟ୍ କରିବାକୁ ଦାବି କରାଯାଉଛି। ଆମିର ଖାନ୍, ଶାହରୁଖ ଖାନ୍ ଓ ଅକ୍ଷୟ କୁମାରଙ୍କ ପରେ ଏବେ ସୋସିଆଲ ମିଡିଆ ଟ୍ରୋଲରଙ୍କ ଟାର୍ଗେଟରେ ଅଛନ୍ତି ସଲମାନ୍ ଖାନ୍। ଫିଲ୍ମ ନିର୍ମାତା, କଳାକାର ଓ ଅନ୍ୟ କର୍ମଚାରୀଙ୍କ ପ୍ରାପ୍ୟ ଉପରେ ପ୍ରଭାବ ପଡୁଥିବାରୁ ଆଗାମୀ ଦିନରେ ବଲିଉଡର ଭବିଷ୍ୟତକୁ ନେଇ ଆଶା ଆଶଙ୍କା ସୃଷ୍ଟି ହେଉଛି। ଯଦି ଏମିତି ବୟକଟ୍ ଟ୍ରେଣ୍ଡ ଜାରି ରହିବ, ତାହେଲେ ଆଗକୁ ବଲିଉଡର ସ୍ଥିତି ଆହୁରି ଖରାପ ହେବା ନେଇ ଆଶଙ୍କା କରାଯାଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା