KIRTI AZAD

ବିଜେପିରୁ ନିଲମ୍ବିତ ହୋଇଥିବା ସାଂସଦ କିର୍ତ୍ତୀ ଝା ଆଜାଦ କଂଗ୍ରେସରେ ମିଶିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଦଳରେ ସାମିଲି ହୋଇଛନ୍ତି କିର୍ତ୍ତୀ ଆଜାଦ।ବିହାରର ଦରଭଙ୍ଗା ଆସନରୁ ସାଂସଦ ଥିବା କିର୍ତ୍ତୀ,୨୩ଡିସେମ୍ବର ୨୦୧୫ରେ ବିଜେପିରୁ ନିଲମ୍ବିତ ହୋଇଥିଲେ। ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍(ଡିଡିସିଏ)ର ଆର୍ଥିକ ଅନିୟମିତତା ଅଭିଯୋଗ ଆଣି ଅରୁଣ ଜେଟଲୀଙ୍କୁ ଟାର୍ଗେଟ କରିଥିଲେ କିର୍ତ୍ତୀ ଆଜାଦ। ଅରୁଣ ଜେଟଲୀ ଡିଡିସିଏର ଅଧ୍ୟକ୍ଷ ଥିବାବେଳେ ଅର୍ଥ ହେରଫେର ହୋଇଥିଲା ବୋଲି ଏକ ପ୍ରେସମିଟରେ କିର୍ତ୍ତୀ ଅଭିଯୋଗ କରିଥିଲା। ଏହା ପରେ ବିଜେପି,କିର୍ତ୍ତୀଙ୍କୁ ଦଳରୁ ନିଲମ୍ବିତ କରିଥିଲା।
ବିଜେପିର ଟେନସନ୍
୧୯୮୩ କ୍ରିକେଟ ବିଶ୍ୱକପର ଚର୍ଚ୍ଚିତ ଖେଳାଳି କୀର୍ତ୍ତି ଝା ଆଜାଦଙ୍କୁ କାଉଣ୍ଟର କରିବା ପାଇଁ ଧୋନି-ଗମ୍ଭୀରଙ୍କୁ ନିଜ କ୍ୟାମ୍ପରେ ବିଜେପି ସାମିଲ କରାଇବାକୁ ଯାଉଛି ବୋଲି ଖବର ରହିଛି। ଭାରତୀୟ ରାଜନୀତିରେ କ୍ରିକେଟର ହିସାବରେ ସବୁଠାରୁ ସଫଳ ବ୍ୟକ୍ତି ହେଉଛନ୍ତି କୀର୍ତ୍ତି ଝା ଆଜାଦ।୧୯୮୩ ବିଶ୍ୱକପ୍ ସେମି ଫାଇନାଲରେ ଇଂଲଣ୍ଡର ଇଆନ୍ ବୋଥାନଙ୍କ ଓ୍ୱିକେଟ ନେଇ ଟିମ୍ ଇଣ୍ଡିଆକୁ ଫାଇନାଲରେ ପହଞ୍ଚାଇଥିବା ଏହି କ୍ରିକେଟର କମ୍ ପଲିଟିସିଆନ୍ ଏବେ ବିଜେପି ପାଇଁ କଣ୍ଟା ସାଜିଛନ୍ତି। ବିଜେପି ଟିକେଟରେ ଥରେ ବିଧାୟକ ଓ ତିନି ତିନି ଥର ସାଂସଦ ହୋଇଛନ୍ତି କୀର୍ତ୍ତୀ ଆଜାଦ। ବିହାର ଦରଭଙ୍ଗା ସାଂସଦ କୀର୍ତ୍ତି ହୁଏତ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରେ ବିହାରରୁ ଲଢ଼ି ପାରନ୍ତି।
ବାପାଙ୍କ ଦଳକୁ ଫେରିଗଲେ
ବିହାର-ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଗବତ ଝା ଆଜାଦଙ୍କ ପୁଅ କିର୍ତ୍ତୀଙ୍କ ଉଭୟ ବିହାର ଓ ଦିଲ୍ଲୀରେ ରାଜନୈତିକ ପତିଆରା ରହିଛି। ସ୍ୱାଧୀନତା ସଂଗ୍ରାମୀ ଭାଗବତ ଝା ଆଜାଦ ଭାଗଳପୁରରୁ ଛଅ ଛଅ ଥର ସାଂସଦ ଥିଲେ। ଇନ୍ଦିରା ଗାନ୍ଧିଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିଲେ ଭାଗବତ ଆଜାଦ। କିର୍ତ୍ତୀଙ୍କ ପରିବାରର ଏବେବି ବିହାର ଓ ଝାଡ଼ଖଣ୍ଡରେ ଯଥେଷ୍ଟ ପ୍ରଭାବ ରହିଛି। ବିଶେଷ କରି ଭାଗଲପୁରକୁ ଲାଗିଥିବା ଝାଡ଼ଖଣ୍ଡ ଅଞ୍ଚଳରେ କିର୍ତ୍ତୀ ବିଜେପି ଲାଗି ଅଡୁଆ କରିପାରନ୍ତି। ଏମିତି ବି ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା, ବିହାର ବିଜେପି ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି। ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା ନିଜ ପ୍ରଦେଶ ଝାଡ଼ଖଣ୍ଡରେ ବିଜେପିକୁ ଅଡୁଆରେ ପକାଇ ପାରନ୍ତି। ତେଣୁ ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ବିଜେପି ଫିଟ୍ କରିପାରେ।
ଦିଲ୍ଲୀରେ ମୋର୍ଚ୍ଚା ସମ୍ଭାଳିବେ!
୧୯୯୩ ମସିହାରେ ଦିଲ୍ଲୀର ଗୋଲ ମାର୍କେଟର ବିଧାୟକ ଥିଲେ କୀର୍ତ୍ତି ଝା ଆଜାଦ। ଏବେ ବି ସେଠାରେ ତାଙ୍କର ଭଲ ସଂଗଠନ ରହିଛି।ଏହି ଅଞ୍ଚଳର ବିଜେପି ସାଂସଦ ମୀନାକ୍ଷୀ ଲେଖିଙ୍କ ଲୋକପ୍ରିୟତା ଏହାରି ଭିତରେ ହ୍ରାସ ପାଇଛି। ନୂଆଦିଲ୍ଲୀ ଲୋକସଭା କ୍ଷେତ୍ରର ଭୋଟର ତାଙ୍କ କାମରେ ନାଖୁସ ଥିବାରୁ ୨୦୧୯ରେ ମୀନାକ୍ଷୀଙ୍କୁ ରିପିଟ୍ କରିବାକୁ ଚାହୁଁ ନାହାନ୍ତି ବିଜେପିର ପାଓ୍ୱାର କରିଡର। କାଳେ କୀର୍ତ୍ତୀ ଆଜାଦଙ୍କୁ ନୂଆଦିଲ୍ଲୀ ସିଟରେ କଂଗ୍ରେସ ଲଢ଼ାଇବ, ସେ ଦୃଷ୍ଟିରୁ ଗୌତମ ଗମ୍ଭୀରଙ୍କୁ ନୂଆଦିଲ୍ଲୀ ଆସନ ପାଇଁ ପ୍ରୋଜେକ୍ଟ କରିପାରେ ବିଜେପି।
ଧୋନି ଭରସା!
ସେପଟେ ଦରଭଙ୍ଗା ଆସନରେ କୀର୍ତ୍ତି ଆଜାଦଙ୍କୁ ଟକ୍କର ଦେଇପାରନ୍ତି ଜେଡିୟୁର ସଞ୍ଜୟ ଝା। ଯଦିଓ କୀର୍ତ୍ତିଙ୍କ ଘର ହେଉଛି ଭାଗଲପୁର। କିନ୍ତୁ ଶ୍ୱଶୂର ଘର ଦରଭଙ୍ଗା ଲୋକସଭା ଆସନରୁ ସେ ତିନି ଥର ବିଜୟୀ ହେଲେଣି। ତେବେ କୀର୍ତ୍ତିଙ୍କୁ ପାଓ୍ୱାର ପଲିଟିକ୍ସରୁ ଆଉଟ୍ କରିବା ପାଇଁ ବିଜେପି ପ୍ଲାନ କରୁଛି। ସେଥିପାଇଁ ଗତ ଅଗଷ୍ଟରେ ସମ୍ପର୍କ ଫର ସମର୍ଥନ କ୍ୟାମ୍ପେନରେ ଧୋନିଙ୍କୁ ଭେଟିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ। ତେବେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ଏକ ପ୍ରଦର୍ଶନୀ ମ୍ୟାଚର ଶେଷ ଓଭରର ଅନ୍ତିମ ବଲରେ ଚୌକା ମାରି ଭାରତୀୟ ଦଳକୁ ବିଜୟୀ କରାଇଥିବା ପୂର୍ବତନ ଅଲରାଉଣ୍ଡର୍ କୀର୍ତ୍ତି, ଶାହଙ୍କ ରଣନୀତି ଆଗରେ ଫେଲ୍ ମାରୁଛନ୍ତି, ନା ବ୍ୟାଟ୍ସମ୍ୟାନ୍ ଧୋନି ଓ ଗମ୍ଭୀରଙ୍କୁ ନିଜର ଯାଦୁଗରୀ ଅଫ୍ ସ୍ପିନରେ କ୍ଲିନ୍ ବୋଲ୍ଡ କରୁଛନ୍ତି। ଏଥିପାଇଁ ୨୦୧୯ନିର୍ବାଚନ ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।