ବ୍ରହ୍ମଗିରି : ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରଙ୍କୁ ନେଇ ଚାଲିଲାଣି ରାଜନୀତି।ବରପୁତ୍ରଙ୍କ ନାଁରେ ଭୋଟବ୍ୟାଙ୍କ ହାତେଇବା ପାଇଁ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଯେମିତି ବଲାଙ୍ଗିରି ମେଡିକାଲ କଲେଜସନ୍ଥକବି ଭୀମ ଭୋଇଙ୍କନାଁରେ ହେବା ଏବଂ ବାଲେଶ୍ୱର ମେଡିକାଲ କଲେଜ ଆଗରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାଁ ଯୋଡାଯିବା । ଏବେ ଓଡ଼ିଆ ଭାଗବତର ରଚୟିତା ଅତିବଡୀ ଜଗନ୍ନାଥ ଦାଶଙ୍କୁ ସମ୍ମାନର ପାଳି । ସେଥିପାଇଁ ଆଜି(୧୭ସେପ୍ଟମ୍ବର) ପୁରୀ ଜିଲ୍ଲା ବ୍ରହ୍ମଗିରିର କପିଳେଶ୍ୱରପୁର ଗାଁରେ ଜଗନ୍ନାଥ ଦାଶଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ ସାମଲ ଏବଂ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମ। ।
ଇତିହାସ ବଦଳିଲା
କେବଳ ନବୀନ ପଟ୍ଟନାୟକ ନୁହଁନ୍ତି, ମୋଦି ସରକାର ଓଡ଼ିଶାର ବରପୁତ୍ରଙ୍କ ସମ୍ମାନ ପାଇଁ ବଜେଟରେ ବ୍ୟୟବରାଦ କରିଛନ୍ତି। ଅବଶ୍ୟ ଉଭୟ ସରକାରଙ୍କ ନଜରରେ ରହିଛି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଜନ୍ମିତ ବରପୁତ୍ରଙ୍କଉପରେ । ଗଡରୋଡଙ୍ଗର ବକ୍ସି ଜଗବନ୍ଧୁ ବିଜେପି ପାଇଁ ଆଇକନ ପାଲଟିଥିବା ବେଳେ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତିକୁ କେନ୍ଦ୍ର ସରକାର ଧୂମଧାମରେ ପାଳନ କରିଛନ୍ତି । ଓଡ଼ିଶାରେ ୧୮୧୭ର ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେଲେ। ଏଥିପାଇଁ୨୦୧୭-୧୮ ବଜେଟ ଭାଷଣରେ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ପାଳନ ଲାଗି ୨୦୦କୋଟି ଟଙ୍କାର ଅର୍ଥ ଆବଣ୍ଟନ କଥା ଲୋକସଭାରେ ଘୋଷଣା କଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ଲଢେଇ ବୋଲି ଇତିହାସ ପୁସ୍ତକରେ ସ୍ଥାନ ପାଇବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ୨୩ ଅକ୍ଟୋବର୨୦୧୭ରେ ଘୋଷଣା କଲେ । ଯାହା ଅବିଭକ୍ତ ପୁରୀ ଜିଲ୍ଲାର ବ୍ରହ୍ମଗିରି, ଖୋର୍ଦ୍ଧା ଓ ଚିଲିକା ନିର୍ବାଚନ ମଣ୍ଡଳୀରେ ପାଇକ, କ୍ଷତ୍ରୀୟ, ଖଣ୍ଡାୟତ ଏବଂ ଚଷାଙ୍କ ଭୋଟ ସାଉଁଟି ହେବ ବୋଲି ହିସାବ କଲେ ମୋଦି ସରକାର। ଏହାପରେ ଦିଲ୍ଲୀରୁ ବକ୍ସି ଜଗବନ୍ଧୁଙ୍କ ଗାଁ ଗଡରୋଡଙ୍ଗ ଯାଏଁ ଧୂମଧାମରେ ପାଳନ ହେଲା ପାଇକ ବିଦ୍ରୋଦ ପୂର୍ତ୍ତି ଉତ୍ସବ।
ବିଜେଡିର ଆଖି ଗାଁରେ
ବିଜେପିର ବକ୍ସି ଜଗବନ୍ଧୁ କାର୍ଡକୁ କାଉଣ୍ଟରକରିବାକୁ ବିଜେଡି ପାଳିଲାଣି ଅତିବଡୀ ଜଗନ୍ନାଥ ଦାଶଙ୍କ ଜୟନ୍ତୀ । ଅତିବଡୀଙ୍କ ମାନସସନ୍ତାନ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଏବଂ କପିଳେଶ୍ୱରପୁର ଜନ୍ମମାଟିର ଉନ୍ନତି ଲାଗି ଓଡ଼ିଶା ସରକାର ୨୦୧୮-୧୯ ବଜେଟରେ ୧କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀର ବିକାଶ ଲାଗି ଆଜି ଠାରୁ(୧୭ସେପ୍ଟମ୍ବର) ଓଡ଼ିଶା ସରକାର ୫୦ହଜାର ଟଙ୍କାର ଅନୁଦାନ ଦେବା ଆରମ୍ଭ କରିଛନ୍ତି । ପୁରୀ ଜିଲ୍ଲା କପିଳେଶ୍ୱରପୁର ବ୍ରାହ୍ମଣ ଶାସନରେ ୧୪୯୧ ମସିହାର ପବିତ୍ର ରାଧାଷ୍ଟମୀରେ ଜନ୍ମ ନେଇଥିଲେ ଯୋଗଜନ୍ମା ଜଗନ୍ନାଥ ଦାଶ। ମହାପ୍ରଭୁ ଜଗନ୍ନାଥଙ୍କର ଅତି ପ୍ରିୟସେହି ଲେଖକ ଅତିବଡୀ ଜଗନ୍ନାଥ ଦାଶଙ୍କର ଭାଗବତ ସର୍ବ ଜନାଦୃତ। ଗାଁ ଗାଁରେ ଭାଗବତ ଟୁଙ୍ଗୀର ପ୍ରତିଷ୍ଠା ପଛର କାହାଣୀ ହେଉଛି ଅତିବଡୀଙ୍କର ଭାଗବତର ୧୨ଟି ଅଧ୍ୟାୟର ମହିମା ବାବଦରେ ଜ୍ଞାନ ଆହରଣ । ଜଣେ ବ୍ୟକ୍ତି ନିଜ ଜୀବଦଶାରେ ଯେଉଁ କବିଙ୍କ ଲେଖାକୁ ପସନ୍ଦ କରୁଥାଉ ନା କାହିଁକି, କିନ୍ତୁ ମୃତ୍ୟୁ ଶଯ୍ୟାରେ ଖୋଜିଥାଏ ଜଗନ୍ନାଥ ଦାଶଙ୍କର ଭାଗବତର ଦି ପଦ ଶୁଣିବା ପାଇଁ । ଏହି ମହାନ ଆତ୍ମାଙ୍କନାମରେ ଅତିବଡୀ ଜଗନ୍ନାଥ ସମ୍ମାନ ପ୍ରଦାନ କରାଯାଉଛି । ସେହି ଅତିବଡୀଙ୍କ ଜୟନ୍ତୀ ପାଳନ କରି ଗାଁ ଗାଁରେ ଧାର୍ମିକ ଚେର ମଜଭୁତ କରିବା ଯୋଜନାରେ ଅଛି ବିଜେଡି ।
ମନେ ପଡନ୍ତି ବରପୁତ୍ର
ଅବଶ୍ୟ ନିର୍ବାଚନୀ ବର୍ଷରେ ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ର ଖୁବ୍ ମନେ ପଡନ୍ତି। ଯେମିତି ବିଜେପୁର ଉପନିର୍ବାଚନ ଆଗରୁ ସ୍ୱଭାବ କବି ଗଙ୍ଗାଧର ମେହେର ଓ ପାର୍ବତୀ ଗିରଙ୍କ କଥା ଓଡ଼ିଶା ସରକାରଙ୍କ ମନେ ପଡିଲା।୧୨୫୦କୋଟି ଟଙ୍କାର ଭୂତଳ ଜଳସେଚନ ପ୍ରକଳ୍ପକୁ ଗଙ୍ଗାଧର ମେହେର ନାମରେ ନାମିତ କରିଦେଲେ । ଯେମିତି ୨୦୧୭ ପଞ୍ଚାୟତ ନିର୍ବାଚନ ଆଗରୁଓଡ଼ିଶାର ପାଇକ ବିଦ୍ରୋହକୁ ସ୍ମରଣ କଲେ କେନ୍ଦ୍ର ସରକାର।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦ ଭବନ ପରିସରରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କପ୍ରତିମୂର୍ତ୍ତି ସ୍ଥାପନ ଲାଗି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପ୍ରସ୍ତାବ ଦେଲେ । ଆଗକୁ ବିଧାନସଭା ଏବଂ ଲୋକସଭା ନିର୍ବାଚନ । ତେଣୁ ଓଡ଼ିଶାର ଆହୁରି ଅନେକ ଯୋଗଜନ୍ମାଙ୍କ ଅତୁଳନୀୟ ଅବଦାନର ଗାଥାକୁ ମନେ ପକାଇବେ ଉଭୟ ମୋଦି ଓ ନବୀନ ସରକାର ।