ବିରୋଧ କରୁଥିବା ନେତାଙ୍କୁ ହାତେଇବାକୁ ସଫଳ ହୋଇଛି ନବୀନଙ୍କ ନିଆରା ପଲିଟିକ୍ସ। ରାଜ୍ୟର ବିଭିନ୍ନ ସମସ୍ୟା ବିରୁଦ୍ଧରେ ଲୋକଙ୍କୁ ଏକାଠି କରି ମଙ୍ଗ ଧରିଥିବା ନେତାଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ। ବିରୋଧିଙ୍କ ମୁହଁ ବନ୍ଦ କରିବାକୁ ଆପଣେଇଛନ୍ତି ରାଜ୍ୟସଭା ଥିୟୋରୀ। ଆନ୍ଦୋଳନକାରୀଙ୍କ ମୁହଁ ବନ୍ଦ କରିବାକୁ ରାଜ୍ୟସଭାକୁ ଗ୍ରୀନ ସିଗନାଲ୍ ଦେଇଛନ୍ତି ବିଜେଡି ସୁପ୍ରିମୋ। ସୁବାସ ସିଂ,ସୌମ୍ୟରଞ୍ଜନ ପଟ୍ଟନାୟକ ଓ ନିରଞ୍ଜନ ବିଶିଙ୍କ ଭଳି ବିରୋଧକାରୀକୁ ହାତେଇବାକୁ ରାଜ୍ୟସଭା ଟିକେଟ୍ ଦେଇଛନ୍ତି ନବୀନ।
ନବୀନଙ୍କୁ ବିରୋଧ କରି ଫାଇଦାରେ ନେତା:ବିପ୍ଳପ ଦେଖାଇଛି ରାଜ୍ୟସଭାକୁ ରାସ୍ତା
ନବୀନଙ୍କ ବିରୁଦ୍ଧରେ ଉଠିଥିବା ସ୍ୱରକୁ ଦବାଇବାରେ ମାହିର୍ ସେ। କ୍ଷମତାର ପ୍ରଲୋଭନ ଦେଖାଇ ନବୀନ ଦବାଇଛନ୍ତି ଆନ୍ଦୋଳନକାରୀଙ୍କ ମୁହଁ। ମୁହଁ ଖୋଲି ଫାଇଦାରେ ନେତା।ସୌମ୍ୟରଞ୍ଜନ ପଟ୍ଟନାୟକ ଚିଟଫଣ୍ଡ ଆନ୍ଦୋଳନର ମଙ୍ଗ ଧରିଥିଲେ। ସାରା ରାଜ୍ୟରୁ ହଜାର ହଜାର କ୍ଷତିଗ୍ରସ୍ତଙ୍କୁ ଏକାଠି କରି ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲେ।ଆନ୍ଦୋଳନରେ ପୂର୍ଣ୍ଣଛେଦ ପକାଇ ସୌମ୍ୟଙ୍କୁ ବିଜେଡିରେ ମିଶାଇ ରାଜ୍ୟସଭା ପଠାଇଥିଲା ବିଜେଡି। ସୁବାସ ସିଂଙ୍କ କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣେଇଛନ୍ତି ନବୀନ। ଜଣେ ଦକ୍ଷ ସିପିଆଇ(ଏମ୍) ନେତା ଭାବେ ହଜାର ହଜାର ଦିନ ମଜୁରିଆ, ଅଟୋ, ରିକ୍ସା ଚାଳକ, ଖଟିଖିଆ ବସ୍ତି ବାସିନ୍ଦାଙ୍କୁ ନେଇ ଆନ୍ଦୋଳନ କରୁଥିବା ନେତାଙ୍କ ମୁହଁ ଚୁପ୍ କରିଛି ରାଜ୍ୟସଭା ପଦ। ସେହିପରି ଯୁବ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ପଠେଇ ନବୀନ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।ବଲାଙ୍ଗୀରରେ ପଶ୍ଚିମ ଓଡିଶା ସ୍ଥାୟୀ ହାଇକୋର୍ଟ ବେଞ୍ଚ ଗଠନଠାରୁ ନେଇ ଆଦିବାସୀଙ୍କ ଭାଷା ସୁରକ୍ଷା ପାଇଁ ଲଢ଼େଇ କରୁଥିବା ନିରଞ୍ଜନ ରାଜ୍ୟସଭା ମୋହରେ ନବୀନଙ୍କ ପଲିଟିକ୍ସ ଗେମରେ ଗୋଟି ସାଜିଛନ୍ତି।
ଜନତାଙ୍କୁ ଠକି ରାଜ୍ୟସଭାର ଠିକଣା ପାଇଛନ୍ତି ନେତା:ପ୍ରୋଟେଷ୍ଟ ଷ୍ଟ୍ରାଟେଜୀରୁ ରାଜ୍ୟସଭା ପଲିଟିକ୍ସ
ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ନିମ୍ନଗାମୀ ହୋଇଛି ନେତୃତ୍ତ୍ୱ। ଜନତାଙ୍କୁ ମାଧ୍ୟମ କରି ଆସନ ହାତେଇଛନ୍ତି ନେତା। ଲୋକଙ୍କ ସମସ୍ୟାକୁ ମୁଦ୍ଦା କରି ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଶଣ କରି ହାତେଇଛନ୍ତି ନିଜ ଫାଇଦା। ଜନତାଙ୍କ ବିଶ୍ୱାସରେ ବାରମ୍ବାର ବିଷ ମିଶାଯାଇଛି। ଚିଟଫଣ୍ଡ ଆନ୍ଦୋଳନର ମଙ୍ଗ ଧରି,ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନରେ ଯୋଗ ଦେଇ ସରକାରଙ୍କୁ ଦୃଷ୍ଟିକୁ ଆସି ରାଜ୍ୟସଭା ଗଲେ ନିରଞ୍ଜନ। ସେବେଠୁ ଜମାକାରୀଙ୍କ ଆନ୍ଦୋଳନ ଆଉ ଦାନା ବାନ୍ଧି ପାରୁନି। ସେହିପରି ସୁବାସ ସିଂ ରାଜ୍ୟସଭା ମୋହରେ ଆନ୍ଦୋଳନର ହାତ ଛାଡିଛନ୍ତି। ସୁବାସଙ୍କ ଗୋଟିଏ ଡାକରାରେ ଏକାଠି ହେଉଥିଲେ ହଜାର ହଜାର ଦିନ ମଜୁରିଆ, ଅଟୋ, ରିକ୍ସା ଚାଳକ, ଖଟିଖିଆ ବସ୍ତି ବାସିନ୍ଦା। ତାଙ୍କୁ ବିଜେଡିରେ ମିଶେଇ ପ୍ରଥମେ ଶ୍ରମିକ ବୋର୍ଡ଼ ମୁଖ୍ୟ ପଦ ଓ ପରେ ରାଜ୍ୟସଭା ଟିକେଟ ଦେଇ ମୁହଁ ବନ୍ଦ କରିଦେଲେ ନବୀନ ପଟ୍ଟନାୟକ। ଏହା ପରଠାରୁ କଟକରେ ଶାନ୍ତ ପଡ଼ିଗଲା ଖଟିଖିଆଙ୍କ ଆନ୍ଦୋଳନ।
ନିରଞ୍ଜନ ବିଶି ମଧ୍ୟ ରାଜ୍ୟସଭା ମୋହରେ ମା ମାଟିର ଆନ୍ଦୋନରୁ ଦୂରେଇ ଯାଇଛନ୍ତି।ଯାହା ଆଦିବାସୀଙ୍କ ମନରେ ଅବିଶ୍ୱାସର ମଞ୍ଜି ବୁଣିଛି। ମଙ୍ଗଧାରୀଙ୍କୁ ମୋହ ଦେଖାଇ ସରକାରୀ ବିରୋଧୀ ଆନ୍ଦୋଳନକୁ ପ୍ରଶମିତ କରିବାରେ ସଫଳ ହୋଇଛନ୍ତି ସରକାର। ମାତ୍ର ସାଧାରଣ ଜନତାଙ୍କୁ ଅସ୍ତ୍ର କରି ଫାଇଧା ଉଠାଉଥିବା ନେତାଙ୍କ ପାଇଁ ଆଗାମୀ ଦିନରେ ଆନ୍ଦୋଳନର ମଙ୍ଗଧାରୀ ମାନଙ୍କୁ ବିଶ୍ୱାସ କରିବା କଷ୍ଟ ସାପେକ୍ଷ ହୋଇପଡିବ।ଓଡ଼ିଶା ମାଟିରେ ବିରୋଧର ସ୍ୱର କ୍ଷୀଣ କରିବାପାଇଁ ଏ ଷଡଯନ୍ତ୍ର ଆଗାମୀ ଦିନରେ ରାଜ୍ୟର ଭବିଷ୍ୟତକୁ ବିପଦରେ ପକାଇପାରେ।