DAMA ROUT & CHIRANJIV-BISWA

ଜଗତସିଂହପୁର: ବିଜେଡିରୁ ବହିଷ୍କୃତ ହେବା ପରେ ଦାମୋଦର ରାଉତଙ୍କ ଫର୍ଣ୍ଟାଲ ଆଟାକ୍‌ରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବିଚକ୍ଷଣ ଦାମ ରାଉତଙ୍କ ଅସଲ ଉଦ୍ଦେଶ୍ୟ ହେଉଛି, ୨୦୧୯ ନିର୍ବାଚନରେ ଜଗତ୍ସିଂହପୁର ଜିଲ୍ଲାରୁ ବିଜେଡିକୁ ମୂଳପୋଛ କରିବା। ଜିଲ୍ଲାର ପାରାଦୀପ, ବାଲିକୁଦା-ଏରସମା, ତିର୍ତ୍ତୋଲ ଓ ଜଗତସିଂହପୁର ଚାରୋଟି ଯାକ ନିର୍ବାଚନୀ ମଣ୍ଡଳୀର ରାଜନୈତିକ ସମୀକରଣ ବିଗାଡିବାକୁ ଦାମ ବାବୁ ପ୍ଲାନ କରିଛନ୍ତି । ସେଥିପାଇଁ ନିଜର ରାଜନୈତିକ ବିରୋଧିଙ୍କ ସହ ହାତ ମିଳାଇଲେଣି ଦାମବାବୁ। ପ୍ରଥମେ ନିଜେ କିପରି ବିଧାନସଭାକୁ ଯିବେ ସେଥିପାଇଁ ବିଜେପି ଓ ବିଶ୍ୱାଳ ଫ୍ୟାମିଲ ସହ ଦାମ ରାଉତ ସନ୍ଧି କରିବେ ବୋଲି ଚର୍ଚ୍ଚା । ପାରାଦୀପରେ ନିଜର ଦୃଢ ସଂଗଠନ, କଂଗ୍ରେସର ବାପି ସର୍ଖେଲ ହୁଅନ୍ତୁ ଅବା ବିଜେଡିର ଦେବାଶିଷ ସାମନ୍ତରାୟଙ୍କୁ ମାତ୍ ଦେବାକୁ ଯଥେଷ୍ଟ ବୋଲି ଦାମ ଜାଣନ୍ତି  । ହେଲେ ବିଧାୟକ ଭାବେ ନିର୍ବାଚିତ ହେବାକୁ ଦାମଙ୍କୁ କଂଗ୍ରେସ-ବିଜେପିର ସହଯୋଗ ନେବାକୁ ପଡିବ।

Naveen- Bishnu & Prasant

ପାରାଦୀପରେ ବିଜେପିର ସାଇଲେଣ୍ଟ ସପୋର୍ଟ
ଶ୍ରମିକ ସଂଗଠନ ନେତା ତଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ପ୍ରତାପ ମିଶ୍ରଙ୍କ ସମର୍ଥନରେ ଥିବା ପାରାଦୀପରେ ରହିଛି ପ୍ରାୟ ୧୫ ହଜାର ଭୋଟ। ବିଜେପିର ମଧ୍ୟ ହିସାବ କହୁଛି ଦାମ ରାଉତଙ୍କୁ ଭିତିରିଆ ସମର୍ଥନ ଦେଲେ ପାରାଦୀପରୁ କେବଳ ବିଜେଡି ସଫା ହେବନି, ନବୀନ ପଟ୍ଟନାୟକଙ୍କ କ୍ଲିନ୍ ଇମେଜରେ ଦୁର୍ନୀତିର ଛିଟା ଲଗାଇ ଦେବେ ଭେଟରାନ୍ ରାଉତ । ସେଥିପାଇଁ ପ୍ରତାପ ମିଶ୍ରଙ୍କୁ ସାଇଲେନ୍ସ କରିବାକୁ ଯାଉଛି ବିଜେପି। ସେପେଟ ଚିରଞ୍ଜୀବି ବିଶ୍ୱାଳ ଜଗତସିଂହପୁରରେ ଜିତିବା ଲାଗି ଦାମଙ୍କ ଉପରେ ନିର୍ଭର କରୁଛନ୍ତି । ତେଣୁ ବିଶ୍ୱାଳ ଫ୍ୟାମିଲର ସମର୍ଥକଙ୍କୁ, ଦାମ ରାଉତଙ୍କ ସହ ପାରାଦୀପରେ ଯୋଡିବାକୁ ଚାଲିଲାଣି ଉଦ୍ୟମ। ତେଣୁ ୭୭ ବର୍ଷିୟ ଦାମୋଦର ରାଉତ ନିଜ ଜିତିବା ସୁନିଶ୍ଚିତ କରି ବାହାର ନିର୍ବାଚନ ମଣ୍ଡଳୀରେ ବୁଲି ବିଜେଡି ବିରୋଧି ପ୍ରଚାର ଯୋଜନାରେ ଅଛନ୍ତି।

Joy Panda

ଜଗତସିଂହପୁରରେ ବୈଜୟନ୍ତଙ୍କ ଇଫେକ୍ଟ
ଦାମ ବାବୁଙ୍କ ୧ନମ୍ବର ଶତ୍ରୁ ହେଉଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ପୂର୍ବତନ ଜଗତ୍ସିଂହପୁର ବିଧାୟକ ବିଷ୍ଣୁ ଦାସ । ବିଷ୍ଣୁ କିପରି ବିଧାନସଭା ମାଡି ନ ପାରିବେ ସେ ରଣନୀତିରେ ଅଛନ୍ତି ଦାମବାବୁ। ସେଥି ନିମନ୍ତେ ରଞ୍ଜୀବ-ଚିରଞ୍ଜୀବ ଦୁଇ ଭାଇଙ୍କ ସହ ମିଶି ବିଷ୍ଣୁଙ୍କୁ ହରାଇବାକୁ ଏବେ ଠୁଁ ଗେମ୍ ପ୍ଲାନ ଆରମ୍ଭ କରିଛନ୍ତି ସେ । ୨୦୧୪ ନିର୍ବାଚନରେ ବିଷ୍ଣୁଙ୍କ ଠାରୁ ମାତ୍ର ୨ହଜାର ୮୮୮ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ ଚିରଞ୍ଜୀବ ବିଶ୍ୱାଳ। ୫ବର୍ଷ ମଧ୍ୟରେ ବିଧାୟକ ଚିରଞ୍ଜୀବଙ୍କ ପତିଆରା ଜଗତସିଂହପୁରରେ ପୂର୍ବାପେକ୍ଷା ଟିକେ କମିଛି । ସେଇଥିଲାଗି ଦାମ ଫିଟ୍ କରୁଛନ୍ତି ନାଉଗାଁ ବ୍ଲକରର ଯୁବନେତା ପ୍ରଦୀପ୍ତ ସ୍ୱାଇଁଙ୍କୁ । ବିଜେଡିର ବିଭୀଷଣ ସାଜିବେ ପ୍ରଦୀପ୍ତ । କାରଣ ନାଉଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷା ଅନୀତା ସ୍ୱାଇଁଙ୍କ ସ୍ୱାମୀ ପ୍ରଦୀପ୍ତଙ୍କ ଦୃଢ଼ ସଂଗଠନ ରହିଛି । ବୈଜୟନ୍ତ ପଣ୍ଡାଙ୍କ ଘନିଷ୍ଠ ପ୍ରଦୀପ୍ତଙ୍କ ସମର୍ଥନ ବଳରେ କିଛି ନହେଲେ ବି ୫ହଜାର ଭୋଟ ଚିରଞ୍ଜୀବି ବିଶ୍ୱାଳ ବାବୁଙ୍କୁ ମିଳିପାରେ। ସେପଟେ ବିଜେଡି ଟିକେଟ୍ ଆଶାରେ ଥିବା ଜଗତ୍ସିଂହପୁରର ବ୍ୟବସାୟୀ ଶିବ ଲେଙ୍କାଙ୍କ ପରିବାର ବି ବିଷ୍ଣୁଙ୍କୁ ପରାଜିତ କରିବାକୁ ବିରୋଧୀ ଗୋଷ୍ଠୀ ସହ ହାତ ମିଳାଇବ । ଏମିତି ଫନ୍ଦି-ଫିକର କରି ବିଷ୍ଣୁଙ୍କୁ ହରାଇବାକୁ ପୁରା ପ୍ରସ୍ତୁତ ଦାମ-ବୈଜୟନ୍ତ। ମାତ୍ର ବିଷ୍ଣୁଙ୍କ ବଦଳରେ ଯଦି ଜିଲ୍ଲା ଯୁବ ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କୁ ଟିକେଟ୍ ମିଳେ, ତେବେ କଥାଟା ଟିକେ ଭିନ୍ନ ହୋଇପାରେ।

Prasant-Muduli

ଏରସମାରେ ଶିଷ୍ୟ ବନାମ ଶିଷ୍ୟ
ଦାମଙ୍କ ବହିଷ୍କାର ପ୍ରସଙ୍ଗରେ ନବୀନ ନିବାସ ଯାଇ ଫସି ଯାଇଛନ୍ତି ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି। ଗୁରୁଦ୍ରୋହୀ ଶିଷ୍ୟ ପ୍ରଶାନ୍ତ ମୁଦୁଲିଙ୍କୁ ନିଜ ଜନ୍ମମାଟି ଏରସମାରେ ପୂରାଇ ନଦେବାକୁ ପଣ କରିଛନ୍ତି ଦାମ ରାଉତ । ଏମିତି ବି ଗତ ୩ ବର୍ଷ ହେବ ଦୁହିଁଙ୍କ ସଂପର୍କ ଭଲ ନଥିଲା । ମାତ୍ର ଗତ ୨ଟି ନିର୍ବାଚନରେ ଏରସମା ଥିଲା ପ୍ରଶାନ୍ତଙ୍କ ଭୋଟବ୍ୟାଙ୍କ। ଏରସମାରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଶିଷ୍ୟ ପ୍ରଶାନ୍ତଙ୍କ ପାଇଁ ଭଲ ଭୋଟ କରି ଦେଉଥିଲେ ଗୁରୁ ଦାମ ରାଉତ । ୧୯୭୭ରୁ ଏଠାରୁ ୫ଥର ବିଜୟୀ ହୋଇଥିବା ଏରସମା ଗଳିକନ୍ଦିର ରାଜନୈତିକ ପାଣିପାଗ ଦାମଙ୍କୁ ବେଶ ଜଣା। ତେଣୁ ଆସନ୍ତା ନିର୍ବାଚନରେ ପ୍ରଶାନ୍ତଙ୍କ ବାଟ ଓଗାଳିବାକୁ ଦାମ ରାଉତ, କଂଗ୍ରେସରେ ଥିବା ତାଙ୍କ ଶିଷ୍ୟ ଶାରଦା ପ୍ରସନ୍ନ ଜେନାଙ୍କ ସାହାରା ନେବେ ବୋଲି ଚର୍ଚ୍ଚା ହେଉଛି। କାରଣ ୨୦୧୪ନିର୍ବାଚନରେ ପ୍ରଶାନ୍ତ ମୁଦୁଲିଙ୍କୁ ମିଳିଥିଲା ୬୯ହଜାର ୩୩୫ ଖଣ୍ଡ ଭୋଟ। କଂଗ୍ରେସର ଲଲାଟେନ୍ଦୁ ମହାପାତ୍ର ପାଇଥିଲେ ୩୯ହଜାର ୯୮୧ ଖଣ୍ଡ ଭୋଟ୍। ସେହିପରି ସ୍ୱାଧୀନ ପ୍ରାର୍ଥୀ ଭାବେ ରଘୁନନ୍ଦନ ଦାସ ୩୨ହଜାର ୧୩୫ ଓ ଶାରଦା ପ୍ରସନ୍ନ ଜେନା ୨୩ହଜାର ୯୪୮ ଖଣ୍ଡ ଭୋଟ ପାଇଥିଲେ। ଏଥର କିନ୍ତୁ ପାଣିପାଗ ଓଲଟି ଯାଇଛି। ରଘୁନନ୍ଦନ ଦାସ ଏବେ ବିଜେପିରେ। ସେହିପରି ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଏବେ କଂଗ୍ରେସ ରାଜନୀତିରେ ଏକପ୍ରକାର କୋଣଠେସା। ତେଣୁ ଶାରଦାଙ୍କୁ କଂଗ୍ରେସ ଟିକେଟ ମିଳିବା ଥୟ। ୨୦୧୪ର ସଂଖ୍ୟା ଗଣିତକୁ ଦେଖିଲେ କଂଗ୍ରେସ ଓ ଶାରଦାଙ୍କ ଭୋଟ ମିଶି ପାଖାପାଖି ୬୪ ହଜାର। ଦାମ ବାବୁ ଏଥର ଏରସମାରୁ ୧୫ ହଜାରରୁ ଅଧିକ ଭୋଟ ଶାରଦାଙ୍କ ସପକ୍ଷରେ କରିଦେବେ ବୋଲି କହିଲେଣି। ତେଣୁ ଏପରି ହେଲେ ବାଲିକୁଦା-ଏରସମାରେ ପ୍ରଶାନ୍ତ ମୁଦୁଲିଙ୍କ ପତ୍ତା ସାଫ୍ ହେବା ଅସମ୍ଭବ ନୁହେଁ।

Rajashree Malick

ବିଷ୍ଣୁଙ୍କ ପୁଅଙ୍କୁ କାଉଣ୍ଟର କରିବେ ଦାମ-ରାଜଶ୍ରୀ
ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ତିର୍ତ୍ତୋଲରେ ସମାନ୍ତରାଳ ସଂଗଠନ ଚଳାଇଛନ୍ତି। ନିଜର ରାଜନୈତିକ ଉତ୍ତରାଧିକାରୀ ଅର୍ଥାତ ପୁଅ ବିଜୁଶଙ୍କରଙ୍କ ପାଇଁ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ରାସ୍ତାରେ କଣ୍ଟା ସାଜୁଛନ୍ତି । ଜିଲ୍ଲାର ଏକମାତ୍ର ସଂରକ୍ଷିତ ଆସନ ତିର୍ତ୍ତୋଲ ପୁଅ ପାଇଁ ଫିଟ୍ ହେବ ବୋଲି ବିଷ୍ଣୁ ଧରି ନେଇଛନ୍ତି । ତେଣୁ ବିଜେଡି ସୁପ୍ରିମୋଙ୍କ ନିକଟରେ ପୁଅ ପାଇଁ ଲବି ଚଳାଇଛନ୍ତି ବିଷ୍ଣୁ। ଏମିତିକି ପୁଅକୁ ତିର୍ତ୍ତୋଲରୁ ବିଜେଡି ଟିକେଟ୍ ମିଳିଗଲେ, ସେ ବିଧାନ ପରିଷଦକୁ ଯିବା ପାଇଁ ରାଜି ଥିବା ତାଙ୍କ ପାଖ ଲୋକ କହୁଛନ୍ତି। ଯଦି ଏମିତି ହୁଏ, ତେବେ ତିର୍ତ୍ତୋଲରେ ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ଦାମ ମେଣ୍ଟ ଏହାକୁ ଚେକ୍ ଦେବ । ଆଉ ବିଷ୍ଣୁଙ୍କ ଏକମାତ୍ର ପୁଅର ପଲିଟିକାଲ ଇନିଂସ୍ ଆରମ୍ଭ ପୂର୍ବରୁ ତାଙ୍କୁ ପ୍ୟାଭିଲିଅନର ରାସ୍ତା ଦେଖାଇବାକୁ ଦାମ ବାବୁ ପାଗ ଭିଡୁଛନ୍ତି । ଯଦି ଏପରି ନହୋଇ ପୂର୍ବବତ ରାଜଶ୍ରୀ ମଲ୍ଲିକଙ୍କୁ ଟିକେଟ୍ ମିଳେ, ତେବେ ଦାମ ବାବୁଙ୍କର ଆପତ୍ତି-ଅଭିଯୋଗର କିଛି କାରଣ ନାହିଁ । କାରଣ ସମସ୍ତେ ଜାଣନ୍ତି କି ରାଜଶ୍ରୀ ହେଉଛନ୍ତି ଦାମଙ୍କ ଏକାନ୍ତ ଅନୁଗତ । ତେଣୁ ତିର୍ତ୍ତୋଲରେ ରାଜଶ୍ରୀ ଜିଣିବା ଦାମଙ୍କ ବିଜୟ ସହ ସମାନ ।