ରାଜ୍ୟସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପୂର୍ବଥର ଭଳି ନବୀନ ପଟ୍ଟନାୟକ ଚକମା ନଦେଖାଇ,ଚର୍ଚ୍ଚାରେ ଥିବା ବ୍ୟକ୍ତିମାନଙ୍କୁ ପ୍ରାର୍ଥୀ କରିଛନ୍ତି। ସସ୍ମିତ ପାତ୍ରଙ୍କୁ ରିପିଟ୍ କରିବା ସହ ମହିଳା ଫେସ୍ ସୁଲତା ଦେଓ,ଚିଲିକା ନେତା ମାନସ ମଙ୍ଗରାଜ ଏବଂ ପାଟଣାଗଡ଼ର ନିରଞ୍ଜନ ବିଶି ବରିଷ୍ଠଙ୍କ ଗୃହ, ରାଜ୍ୟସଭାକୁ ପଠାଇବାକୁ ଚାହିଁଛି ବିଜୁ ଜନତା ଦଳ।
ପଶ୍ଚିମର ଭାଉ ବଳବତ୍ତର
ଖାଲି ହୋଇଥିବା ୪ ଟି ରାଜ୍ୟସଭା ଆସନ ମଧ୍ୟରୁ ସସ୍ମିତ ପାତ୍ର ଏବଂ ସୁବାସ ସିଂ ଉପକୂଳ ଓଡ଼ିଶାର। ପଶ୍ଚିମ ଓଡ଼ିଶାର ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦକ୍ଷିଣ ଓଡ଼ିଶାର ଏନ୍.ଭାସ୍କର ରାଓଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଛି।ତେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଉପକୂଳ ଓଡ଼ିଶାକୁ ଫୋକସ୍ ଦେଇଛନ୍ତି। ଉପକୂଳ ଓଡ଼ିଶାରୁ ୩ଜଣଙ୍କୁ ରାଜ୍ୟସଭା ପଠାଇବାକୁ ବିଜେଡି ସ୍ଥିର କରିଛି। ଅନ୍ୟପକ୍ଷରେ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ପ୍ରାର୍ଥୀ କରି ପଶ୍ଚିମ ଓଡ଼ିଶାର ଗୁରୁତ୍ୱକୁ ବଜାୟ ରଖିଛନ୍ତି ନବୀନ। ଫଳରେ ସୁଜିତ କୁମାରଙ୍କ ସହ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭାକୁ ପଠାଇ ପଶ୍ଚିମ ଓଡ଼ିଶାକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛି ବିଜେଡି। ତେବେ ରାୟଗଡ଼ାର ଏନେ.ଭାସ୍କର ରାଓଙ୍କ କାର୍ଯ୍ୟକାଳ ସରିବା ପରେ ଦଳଡ଼ିଆଁ ପ୍ରଦୀପ ମାଝିଙ୍କୁ ବିଜେଡି ରାଜ୍ୟସଭା ପଠାଇବ ବୋଲି ଆଶା କରା ଯାଉଥିଲା। କିନ୍ତୁ ନବରଙ୍ଗପୁର ଜିଲ୍ଲାର ମୁନା ଖାଁ ଏବେ ରାଜ୍ୟସଭା ସଦସ୍ୟ ଥିବାରୁ ସେହି ଜିଲ୍ଲାର ପ୍ରଦୀପ ମାଝିଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଉଚିତ ମନେ କରିନାହିଁ। ଏହାସହ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ମାଝି ଏବଂ ପ୍ରଦୀପ ମାଝିଙ୍କ ବିଧାନସଭା କ୍ଷେତ୍ର ଝରିଗାଁ। ଯାହାକି ପ୍ରଦୀପଙ୍କ ପାଇଁ କାଳ ହେଲା। ଫଳରେ ବିଜେଡି ରାଜନୀତିରେ ଦକ୍ଷିଣ ଓଡ଼ିଶାର ଗୁରୁତ୍ୱ କମିଗଲା।
ବରୀର ମହିଳା BMCରେ-ସଂସଦରେ
ଅନ୍ୟପକ୍ଷରେ ଉପକୂଳରୁ ୩ ଜଣଙ୍କୁ ରାଜ୍ୟସଭା ପଠାଇବାକୁ ସ୍ଥିର କରି ପୂର୍ବ ଓଡ଼ିଶାର ପ୍ରାଧାନ୍ୟ ବଢ଼ାଇଛନ୍ତି ନବୀନ। ପୂର୍ବରୁ ଉପକୂଳ ନେତା ପ୍ରଶାନ୍ତ ନନ୍ଦ ଏବଂ ଅମର ପଟ୍ଟନାୟକ ରାଜ୍ୟସଭାର ସଦସ୍ୟ ଅଛନ୍ତି। କେବଳ ପୂର୍ବ ଓଡ଼ିଶା ନୁହେଁ ଯାଜପୁର ଜିଲ୍ଲାର ବରୀକୁ ବିଜୁ ଜନତା ଦଳ ଗୁରୁତ୍ୱ ଦେଉଛି। ସୁଲତା ଦେଓଙ୍କୁ ପ୍ରାର୍ଥୀ ହେବା ବିଜେଡି ରାଜନୀତିରେ ବରୀ ମହିଳାଙ୍କ ଦବଦବା ଦୃଶ୍ୟମାନ ହେଉଛି। ବରୀର ମୂଳନିବାସୀ ସୁଲତା ଦେଓ ରାଜ୍ୟସଭାର ପ୍ରାର୍ଥୀ ହୋଇଥିଲା ବେଳେ, ଯାଜପୁର ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀ ବରୀର। ସେହିପରି ବରୀର ବିଧାୟକ ସୁନନ୍ଦା ଦାସ ଜଣେ ମହିଳା। ଏହାସହ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ବରୀର ମୂଳନିବାସୀ।
ଲାଭରେ ଦଳଡ଼ିଆଁ
ସରକାରଙ୍କୁ ବିରୋଧ କରି ଚର୍ଚ୍ଚାରେ ଥିବା ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ମହାସଚିବ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ପଠାଉଛି ବିଜେଡି। ପୂର୍ବରୁ ସୁବାସ ସିଂଙ୍କ କ୍ଷେତ୍ରରେ ମଧ୍ୟ ଏହି ଷ୍ଟ୍ରାଟେଜୀ ଆପଣେଇ ଥିଲା। ସରକାରଙ୍କ ବିରୋଧରେ ଆଦିବାସୀ ଆନ୍ଦୋଳନକୁ ପ୍ରଶମିତ କରିବାକୁ ନିରଞ୍ଜନ ବିଶିଙ୍କୁ ପ୍ରାର୍ଥୀ କରାଯାଇ ଥାଇପାରେ। ଅନ୍ୟପକ୍ଷରେ ବିଜେଡିରେ ଦଳଡିଆଁଙ୍କୁ ଗୁରୁତ୍ୱ ମିଳିଛି। ଭୁବନେଶ୍ୱର ମେୟର ପଦ ଭଳି ରାଜ୍ୟସଭା କ୍ଷେତ୍ରରେ ମଧ୍ୟ ଦଳଡିଆଁଙ୍କୁ ଗୁରୁତ୍ୱ ମିଳିଛି। ସସ୍ମିତ ପାତ୍ର ଅତୀତରେ କଂଗ୍ରେସରେ ଜଡ଼ିତ ଥିଲାବେଳେ,ମାନସ ମଙ୍ଗରାଜ ମଧ୍ୟ କଂଗ୍ରେସ ସହ ରାଜନୈତୀକ ସମ୍ପୃକ୍ତି ରଖିଥିଲେ। ୨୦୦୯ରେ ସେ ଚିଲିକା ବିଧାନସଭା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।
ରାଜ୍ୟସଭା ରିପିଟ୍ ଷ୍ଟ୍ରାଟେଜି
ରାଜ୍ୟସଭା ରିପିଟ୍ ଥିୟୋରୀକୁ ଦୋହରାଇଛନ୍ତି ନବୀନ। ପୂର୍ବରୁ ପ୍ୟାରୀମୋହନ ମହାପାତ୍ରଙ୍କୁ ୨୦୧୦ ଓ ୨୦୧୬ରେ ରାଜ୍ୟସଭା ପଠାଇଥିଲେ ନବୀନ। ସେହିପରି ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ବିଜେଡି ଦୁଇ ଥର ରାଜ୍ୟସଭା ପଠାଇଥିଲା। ଏବେ ସସ୍ମିତ ପାତ୍ରଙ୍କ କ୍ଷେତ୍ରରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟସଭା ପାଇଁ ଅନେକ ନେତା ରେସରେ ଥିଲାବେଳେ ଦ୍ୱିତୀୟ ଥର ପାଇଁ ସସ୍ମିତଙ୍କୁ ବିଜେଡି ଚୟନ କରିଛି।ସସ୍ମିତ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ଯିବେ। ଏହା ପୂର୍ବରୁ ୩ବର୍ଷ ପାଇଁ ସେ ରାଜ୍ୟସଭାକୁ ଯାଇଥିଲେ।
ଏ ଷ୍ଟୋରୀ ଲେଖିଛନ୍ତି ରଶ୍ମିତା ବେହେରା ।