ଭାରତୀୟ ରାଜନୀତିରେ ଅଟଳ ବିହାରୀ ହେଉଛନ୍ତି ଏକ ଅପରିକଳ୍ପନୀୟ ବ୍ୟକ୍ତିତ୍ୱ। ଦଳ ମତ ନିର୍ବିଶେଷରେ ସେ ଥିଲା ସମସ୍ତଙ୍କର ପ୍ରିୟ। ତାଙ୍କ ଜୀବନରେ ଏମିତି ଅନେକ କିଛି ଘଟଣା ଘଟିଛି ଯାହା ଚିରକାଳ ପାଇଁ ସ୍ମରଣୀୟ ହୋଇ ରହି ଯାଇଛି। ସେ ଏମିତି ଏକ ନେତା ଯିଏ ନିଜ ବ୍ୟକ୍ତିତ୍ୱ ବଳରେ ବ୍ୟାପକ ସମର୍ଥନ ଓ ସମ୍ମାନ ହାସଲ କରିଥିଲେ। ସାରାଜୀବନ ଅବିବାହିତ ରହିଥିବା ଅଟଳ ଜଣେ ମହିଳାଙ୍କୁ କଥା ପ୍ରସଙ୍ଗରେ ପାକିସ୍ତାନ ଯୌତୁକରେ ମାଗିଥିଲେ।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ଖୁବ୍ ଶାନ୍ତ ଓ ନମ୍ର ସ୍ୱଭାବର ଥିଲେ। ସେ କେବେ ବି କାହା ଉପରେ ରାଗୁ ନ ଥିଲେ ସତ, ମାତ୍ର ଏହାର ଅର୍ଥ ନୁହେଁ ଯେ ସେ କିଛି ନ କହି ଚୁପ ରହୁଥିଲେ। ସେ ଏମିତି ଉତ୍ତର ଦେଉଥିଲେ ଯେ ଯେ ସାମ୍ନା ଲୋକର ପାଟି ପୁରା ବନ୍ଦ ହୋଇ ଯାଉଥିଲା। ଏମିତି କିଛି ଘଟଣା ଅଛି ତାଙ୍କ ଜୀବନରେ ଯାହାକୁ ନେଇ ସେ ବେଶ ଚର୍ଚ୍ଚାରେ ରହିଥିଲେ। ୧୬ ମାର୍ଚ୍ଚ ୧୯୯୯ ମସିହା ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥାଆନ୍ତି ଅଟଳ ବିହାରୀ ବାଚପେୟୀ। ସେତେବେଳେ ଭାରତ ଓ ପାକିସ୍ଥାନ ମଧ୍ୟରେ ବନ୍ଧୁତା ଗଢିବା ପାଇଁ ଓ ସେ ସମ୍ପର୍କରେ ଥିବା ତିକ୍ତତା ସୁଧାରିବା ପାଇଁ ସେ ଦୁଇ ଦେଶ ମଧ୍ୟରେ ବସ ସେବା ଆରମ୍ଭ କରିଥିଲେ ଆଉ ସେ ନିଜେ ସେ ବସରେ ବସି ଅମୃତଶରରୁ ଲାହୋର ଯାଇଥିଲେ। ରାଜ୍ୟପାଳ ଭବନରେ ସେ ଏମିତି ଭାଷଣ ଦେଇଥିଲେ ଯେ ପାକିସ୍ତାନର ରାଜନେତା ମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ। ଭାଷଣ ଶେଷରେ ଏକ ରୋଚକ ଘଟଣା ଘଟିଥିଲା ଯାହା ଏବେବି ଅଟଳଙ୍କୁ ମନେ ରଖିବା ପାଇଁ ବାଧ୍ୟ କରେ। ପାକିସ୍ତାନର ଜଣେ ମହିଳା ସାମ୍ବାଦିକା ଅଟଳଙ୍କୁ କହିଥିଲେ “ଆପଣ ଅବିବାହିତ ଅଛନ୍ତି ମୁଁ ଆପଣଙ୍କୁ ବିବାହ କରିବାକୁ ଚାଁହୁଛି, ହେଲେ ମତେ ମୁହଁ ଦେଖାରେ କାଶ୍ମୀର ଦରକାର।” ଆଉ କିଏ ହୋଇଥିଲେ ହୁଏତ ଏ କଥାକୁ ଆଡେଇ ଦେଇ ଥାଆନ୍ତେ। ମାତ୍ର ଅଟଳ କହିଥିଲେ ଯେ “ମୁଁ ବିବାହ କରିବାକୁ ରାଜି ଅଛି ହେଲେ ମତେ ଯୌତୁକରେ ପୁରା ପାକିସ୍ତାନ ଦରକାର, କଣ ଦେଇ ପାରିବେ ଆପଣ?” ଏଭଳି ଉତ୍ତର ଶୁଣି ଚୁପ ହୋଇଯାଇଥିଲେ ମହିଳା ସାମ୍ବାଦିକା।
ବାଜପେୟୀ ୨୫ ଡିସେମ୍ବର ୧୯୨୪ ରେ ଗ୍ୱାଲିଅରର ସିନ୍ଦେକା ବାଡା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ କୃଷ୍ଣ ବିହାରୀ ବାଜପେୟୀ ଏବଂ ମାତାଙ୍କ ନାମ କୃଷ୍ଣ ବାଜପେୟୀ। ଦୀର୍ଘ ଦିନର ଅସୁସ୍ଥତା ପରେ ସେ ୧୬ ଅଗଷ୍ଟ ୨୦୧୮ ରେ ଦିଲ୍ଲୀର AIIMS ରେ ମୃତ୍ୟୁ ବରଣ କରିଥିଲେ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା