ନ୍ୟୁଜ୍/ ପଲିଟିକ୍ସ

ଦଳିତ ମହିଳାଙ୍କୁ ବିଜେଡି ବିଧାୟକଙ୍କ ଧମକ; ‘ବିଜେପିକୁ ଭୋଟ ଦେଇଛ ଟଙ୍କିକିଆ ଚାଉଳ ମିଳିବ ନାହିଁ’

MLA AYUB-KHAN

ବଲାଙ୍ଗିରି: ପ୍ରଥମେ ବିଜେଡିର ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଏବେ କଣ୍ଟାବାଞ୍ଝି ବିଧାୟକ ଆୟୁବ ଖାଁ। ଉଭୟଙ୍କ ଟାର୍ଗେଟରେ ଦଳିତ। ଗତ ଜୁଲାଇ ୨୪ରେ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବ୍ଲକର ଦଳିତ ଦିବ୍ୟାଙ୍ଗ ଯୁବକ ଟଙ୍କଧର ଖରସେଲଙ୍କୁ ଏକ ସାଧାରଣ ସଭାରେ ମାରି ଦେବାର ଧମକ ଦେଇଥିଲେ। ଆଉ ଅକ୍ଟୋବର ୮ରେ କୁଆଁରୀ ଖରସେଲ ନାମକ ଜଣେ ଦଳିତ ମହିଳାଙ୍କ ଉପରେ ବିଜେଡି ବିଧାୟକ ଆୟୁବ ଖାଁ ଭୀଷଣ ବିରକ୍ତ ହୋଇଛନ୍ତି। ଯାଆ ଭିକାରୀ ଭାଗ୍। ନବୀନ ପଟ୍ଟନାୟକ ତ ଟଙ୍କିକିଆ ଚାଉଳ ଦେଉଥିଲେ। ଭୋଟ ଦେଲା ବେଳକୁ ପଦ୍ମ ଚିହ୍ନରେ ଭୋଟ ଦେଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ସେଥିପାଇଁ ତୁମକୁ କାର୍ଡ ମିଳିବ ନାହିଁ ବୋଲି ବିଜେଡି ବିଧାୟକ ଆୟୁବ ଖାଁ ଦଳିତ ମହିଳାଙ୍କୁ ଧମକାଇ ଥିଲେ। ମହିଳାଙ୍କୁ ଧମକାଉ ଥିବାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଲାଣି।
                                       ମହିଳାଙ୍କୁ ବିଧାୟକଙ୍କ ଧମକ

କଣ୍ଟାବାଞ୍ଝି ବିଧାୟକ ଆଜି(ସୋମବାର) ବଙ୍ଗୋମୁଣ୍ଡା ବ୍ଲକର ଝଲପ ପଞ୍ଚାୟତରେ, ଓଡ଼ିଶା ସରକାରଙ୍କ ନିଜସ୍ୱ ଖାଦ୍ୟ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରୁଥିଲେ। ସେହି ସମୟରେ କୁଆଁରୀ ଖରସେଲ ନିଜ କାର୍ଡ ବାବଦରେ ବିଧାୟକଙ୍କୁ ପଚାରି ଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପଡିଥିଲେ ବିଧାୟକ ଆୟୁବ ଖାଁ। କାରଣ ଥିଲା ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ। କଣ୍ଟାବାଞ୍ଝି ବିଧାନସଭା କ୍ଷେତ୍ରରେ ଥିବା ମୁରିବାହଲ, ତୁରେଇକେଲା ଏବଂ ବଙ୍ଗୋମୁଣ୍ଡା ବ୍ଲକରେ ବିଜେଡି ପ୍ରଦର୍ଶନ ଅତି ଖରାପ ଥିଲା। ଏହି ୩ଟି ବ୍ଲକରେ ଥିବା ୭ଟି ଜିଲ୍ଲା ପରିଷଦ ଜୋନରୁ ବିଜେଡି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିଲା ବେଳେ ବିଜେପି ୫ଟି ଜୋନକୁ ଅକ୍ତିଆର କରିଥିଲା। ସେଥିପାଇଁ ୨୦୧୭ ଫେବ୍ରୁଆରୀରୁ ନିଜ ଅଞ୍ଚଳର ଲୋକଙ୍କ ଉପରେ ଭୀଷଣ ରାଗିଛନ୍ତି ବିଧାୟକ ଆୟୁବ ଖାଁ।
ଆସ୍ଥା ହରାଇଲେ ବିଧାୟକ
ଅପରପକ୍ଷରେ ଦୁଇ ଦୁଇ ଥରର ବିଧାୟକ ଭାବେ ନିର୍ବାଚିତ ଆୟୁବ ଖାଁଙ୍କୁ, କଣ୍ଟାବାଞ୍ଝିବାସୀ ଜଣେ ଦାୟିତ୍ୱବାନ ଜନପ୍ରତିନିଧି ଭାବେ ବିବେଚନା କରନ୍ତି। ସେଥିପାଇଁ କଣ୍ଟାବାଞ୍ଝି ଏନଏସିର ପୂର୍ବତନ ଅଧ୍ୟକ୍ଷ ଆୟୁବ ଖାଁଙ୍କୁ ୨୦୦୪ରେ ସ୍ୱାଧିନ ବିଧାୟକ ଭାବେ ନିର୍ବାଚିତ କରିଥିଲେ। ଆଉ ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ଆୟୁବ ଖାଁଙ୍କୁ ପୁଣି ଥରେ ନିର୍ବାଚିତ କରିଥିଲେ। ହେଲେ ଦଳିତ ମହିଳା କୁଆଁରୀ ଖରସେଲଙ୍କ ପ୍ରତି ଆୟୁବ ଖାଁଙ୍କ ବ୍ୟବହାର ପ୍ରମାଣ କରୁଛି, ସେ ଜଣେ ଦାୟିତ୍ୱବାନ ବିଧାୟକ ହେବାରେ ବିଫଳ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଉପହାସ
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଗରିବ ଲୋକଙ୍କ ପାଇଁ ଓଡ଼ିଶା ସରକାର ଆରମ୍ଭ କଲେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା। ଗତ ଅକ୍ଟୋବର ୨ରୁ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କଲେ। ଫଳରେ ପ୍ରାୟ ଆହୁରି ୨୫ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ ମିଳିବ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାକୁ ବିଜେଡି ବିଧାୟକ ଆୟୁବ ଖାଁ ବାଟବଣା କରିଦେଲେଣି। ଓଡ଼ିଶା ସରକାରଙ୍କ ଟଙ୍କିକିଆ ଚାଉଳ ଯୋଜନା ଗରିବ ଲୋକଙ୍କ ପାଇଁ ନୁହେଁ, ଏହା କେବଳ ବିଜେଡି ସମର୍ଥକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ବିଧାୟକ ଆୟୁବ ଖାଁ ସ୍ପଷ୍ଟ କରି ଦେଇଛନ୍ତି।

You Might Also Like

No Comments

Leave a Reply