‘ଡାକୋଟା’ ପାଇଁ ପ୍ରବାଦ ପୁରୁଷ ନା ବିଜୁଙ୍କ ପାଇଁ ଡାକୋଟା ?

ସେଦିନ କାହାକୁ ଜଣାନଥିଲା ଯେ କେହିଜଣେ ଗେମ୍ ଚେଞ୍ଜର ସାଜି ଏକ ନୁଆ ଇତିହାସର ମଙ୍ଗଧାର ସାଜିବ।ଘଡିକରେ ବଦଳାଇ ଦେବ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୀବନ, ଆଉ ତାଙ୍କ ଜୀବନୀରେ ଯୋଡି ଦେବ ଏକ ଅଚିରା ଫର୍ଦ୍ଦ।୧୯୪୭ ମସିହା ଜୁଲାଇ୨୧, ଯାହା ଥିଲା ବିଜୁବାବୁଙ୍କ ଜୀବନରେ ଏକ ଟର୍ଣ୍ଣିଂ ପଏଣ୍ଟ । ଦୁଃସାହସିକ ପଦକ୍ଷେପ ପାଇଁ ଚର୍ଚ୍ଚିତ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ବାବୁ, ସେଦିନ ରଚିଥିଲେ ଏକ ଅଭୁଲା ଇତିହାସ। ଯେଉଁ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷିତ କରିଥିଲା ବିମାନ ‘ଡାକୋଟା’
ସେ ସମୟରେ ଇଣ୍ଡୋନୋସିଆକୁ କବଜାକୁ କରିବାକୁ ବଡ଼ ଧରଣର ଯୋଜନା କରିଥିଲା ନେଦରଲ୍ୟାଣ୍ଡ। ଇଣ୍ଡୋନୋସିଆର ରାଷ୍ଟ୍ରପତି ଡ.ସୁକର୍ଣ୍ଣ, ଡଚ୍ କବଳରୁ ମୁକ୍ତି ପାଇଁ ସାଜିଥିବା ଆନ୍ଦୋଳନର ନେତୃତ୍ୱ ନେଉଥାଆନ୍ତି। ଇଣ୍ଡୋନୋସିଆର ସ୍ୱାଧିନତା ସଂଗ୍ରାମକୁ ଭାରତ ସମର୍ଥନ ଦେଉଥାଏ। ସୁକର୍ଣ୍ଣଙ୍କ ପରାମର୍ଶ କ୍ରମେ ପ୍ରଧାନମନ୍ତ୍ରୀ ଡ.ସାହାରିଆ ଓ ଉପରାଷ୍ଟ୍ରପତି ମହମ୍ମଦ୍ ହଟ୍ଟା ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲଙ୍କୁ ସାହାଯ୍ୟ ମାଗିଥିଲେ। ମାତ୍ର ୨୧ବର୍ଷ ବୟସରେ ଦକ୍ଷ ପାଇଲଟ ଭାବେ ସୁଖ୍ୟାତି ଅର୍ଜନ କରିଥିଲେ ବିଜୁବାବୁ। ନେହରୁ ସେତେବେଳେ ବିଜୁଙ୍କୁ ଦାୟିତ୍ୱ ଦେଇଥିଲେ। ସାଥିରେ ପତ୍ନୀଙ୍କୁ ଧରି ‘ଡାକୋଟା’ ବିମାନରେ ଜାକର୍ତ୍ତା ଅଭିମୁଖେ ବାହାରିଥିଲେ ବିଜୁବାବୁ। ଇଣ୍ଡୋନୋସିଆର ଜଳ, ସ୍ଥଳ ବାହିନୀ ଡଚ୍ ଅଧୀନରେ ଥାଏ ଏବଂ ପ୍ରତି ପାଦରେ ଭରି ରହିଥିଲା ବିପଦ।
ଡାକୋଟା ଶୁଣିଥିଲା ଇଣ୍ଡୋନୋସିଆର ଡାକ
ବୁଦ୍ଧିମାନ, ଅମାପ ସାହସୀ ଓ ଅସମ୍ଭବ ପାଇଲଟ ବିଜୁବାବୁ ବିମାନର ଇନ୍ଧନର ଅଭାବ ଥାଇ ମଧ୍ୟ ନା ଅଟକି ଥିଲେ ନା ଅଟକି ଥିଲା‘ଡାକୋଟା’। ଇଣ୍ଡୋନୋସିଆର ଏକ ଅସ୍ଥାୟୀ ଏରୋଡ୍ରମରେ ଓହ୍ଲାଇ ଇନ୍ଧନ ସଂଗ୍ରହ କରି ଆଗେଇଥିଲେ ବିଜୁ। ସୁକର୍ଣ୍ଣଙ୍କୁ ଉଦ୍ଧାର କରି ଦିଲ୍ଲୀ ଉଡାଇ ଆଣିଥିଲେ ବିଜୁବାବୁ। ତାଙ୍କର ଏଭଳି ଦୁଃସାହସିକ ପଦକ୍ଷେପରେ ମନ୍ତ୍ରମୁଗ୍ଧ ହୋଇପଡିଲେ ଇଣ୍ଡୋନୋସିଆ ବାସୀ।ଉପହାରରେ ତୈଳ କମ୍ପାନୀ ପାଇଁ ରିହାତି, ଶିଳ୍ପ ପ୍ରତିଷ୍ଠା ପାଇଁ ସୁଯୋଗ ସହ ୫୦୦ ବର୍ଗମାଇଲ୍ ପରିମିତ ସହ କୋଟି କୋଟି ଟଙ୍କାର ଉପହାର ବି ମିଳିଥିଲା। ମାତ୍ର ବିଜୁବାବୁ ଏବଂ ତାଙ୍କ ଧର୍ମପତ୍ନୀ ଇଣ୍ଡୋନୋସିଆର ସ୍ୱାର୍ଥପାଇଁ ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ବିଜୁବାବୁଙ୍କୁ ତାଙ୍କ ସାହସିକତା ପାଇଁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ଭୂମିପୁତ୍ର ଉପାଧି ମିଳିବା ସହ ଇତିହାସରେ‘ଡାକୋଟା’ ବିମାନ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷିତ କରିବାରେ ସମର୍ଥ ହୋଇଥିଲା।

‘ଡାକୋଟା’ ରହସ୍ୟ
‘ଡାକୋଟା’ ରହସ୍ୟ ପଛରେ ଲୁଚି ରହିଥିଲା ବିମାନ ପ୍ରତି ବିଜୁବାବୁଙ୍କର ଭରି ରହିଥିବା ଅହେତୁକ ଦୁର୍ବଳତା। ମାତ୍ର ୨୦୦୦ ଟଙ୍କାରେ ଏକ ପୁରୁଣା ବିମାନ କିଣି ସେ ଆରମ୍ଭ କରିଥିଲେ ଯନ୍ତ୍ର ସହ ଖେଳିବାର କଳା। ବିଭିନ୍ନ ସ୍ଥାନରୁ ପୁରୁଣା ଯନ୍ତ୍ର ସଂଗ୍ରହ କରି ନିଜ କୌଶଳ ବଳରେ ସୃଷ୍ଟି କରିଥିଲେ ଭିନ୍ନ ଏକ ଇତିହାସ । ଅଦ୍ଭୁତ କଳାକୌଶଳରୁ ଜନ୍ମ ନେଇଥିଲା‘ଡାକୋଟା’।ଯାହା ସେଦିନ ଗେମ୍ ଚେଞ୍ଜର୍ ସାଜିଥିଲା। ମହିମାମୟ ବ୍ୟକ୍ତିଙ୍କ ମହାଅଧ୍ୟାୟରେ ରଚିଥିଲା ଆଉ ଏକ ମହାନ ଅଧ୍ୟାୟର ଫର୍ଦ୍ଦ ,ଗୁନ୍ଥିଦେଇଥିଲା ଗାରିମାମୟ ଅଧ୍ୟାୟର ଗୁଞ୍ଜରଣ, ମାନସପୁତ୍ର ସାଜି ତାଙ୍କୁ ସଜେଇ ଦେଇଥିଲା ଇଣ୍ଡୋନୋସିଆର ଭୁମିପୁତ୍ର । କେବଳ ଓଡ଼ିଶା ନୁହେଁ, ସମଗ୍ର ଭାର ତ ଇତିହାସରେ ଯୋଡି ଦେଇଥିଲା ଗୌରବମୟ ବ୍ୟକ୍ତିତ୍ୱର ଆଉ ଏକ ଗାରୀମାମୟ ଅଧ୍ୟାୟ। ଇଣ୍ଡୋନୋସିଆ ମାଟିରେ ତାଙ୍କୁ ପିନ୍ଧେଇଥିଲା ମହାନାୟକର ମୁକୁଟ। ଯେଉଁଠୁ ଆରମ୍ଭ ହୋଇଥିଲା ଆଉ ଏକ ମହାର୍ଘ ଅଧ୍ୟାୟ। ଉତ୍କଳର ବରପୁତ୍ରରୁ ସେ ସାଜିଥିଲେ ଇଣ୍ଡୋନୋସିଆର ଭୂମିପୁତ୍ର
Connect With Us