କିଶୋରଙ୍କ ଗୀତକୁ କାହିଁକି ବ୍ୟାନ୍ କରିଥିଲେ ଇନ୍ଦିରା

ନ୍ୟାସନାଲ୍ ଏମରଜେନ୍ସି ବା ଜାତୀୟ ଜରୁରୀକାଳୀନ ପରିସ୍ଥିତି ଭାରତରେ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲା ଯେ ଯାହାଫଳରେ ଅନେକ ଅଭାବନୀୟ ଘଟଣା ଘଟିଥିଲା। ରାଜନୈତୀକ ସ୍ୱାର୍ଥ ହାସଲର ଉଦ୍ଧେଶ୍ୟ ରଖି ଘୋଷଣା ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଅନେକଙ୍କ ପାଇଁ ଭାରୀ ସାବ୍ୟସ୍ତ ହୋଇଥିଲା। ଇନ୍ଦିରାଙ୍କ ସେହି ପଦକ୍ଷେପ ଭାରତରେ ଏକ କଳା ଅଧ୍ୟାୟ ସୃଷ୍ଟି କରିଥିଲା ବୋଲି ଅନେକ ବୁଦ୍ଧିଜୀବି ମତ ରଖନ୍ତି । ସେ ସମୟରେ ଜନସାଧାରଙ୍କ ପରିସ୍ଥିତି ଭୟଙ୍କର ରୁପ ନେବା ସହ ବିଦ୍ରୋହକାରୀଙ୍କୁ ମଧ୍ୟ ନାନା ଅସୁବିଧା ଭୋଗ କରିବାକୁ ପଡ଼ିଥିଲା। ସେ ଘୋଷଣାକୁ ବିରୋଧ କରି ଜେଲ୍ ଭୋଗିଥିଲେ ଅନେକ ଲୋକ। ଗୋଟାଏ ଗାଣତାନ୍ତ୍ରୀକ ରାଷ୍ଟ୍ରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବିରୋଧିଙ୍କ ସ୍ୱର ଚାପିବାର ପ୍ରୟାସ କରିଥିଲେ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତ ରଖିଥିଲେ। କେବଳ ସେତିକି ନୁହେଁ ସେ ସମୟର ଚର୍ଚ୍ଚିତ ସଂଗୀତଜ୍ଞ କିଶୋର କୁମାରଙ୍କୁ ମଧ୍ୟ ଅସୁବିଧାରେ ପକାଇଥିଲେ ଇନ୍ଦିରା। ଗୋଟାଏ କଳାକାରକୁ କଳା ଅଧ୍ୟାୟର ସପକ୍ଷରେ କହିବାକୁ ବୁଝାଇ ଫେଲ୍ ମାରି ଇନ୍ଦିରା ଏଭଳି କିଛି ପଦକ୍ଷେପ ନେଇଥିଲେ ଯାହା ପାଇଁ ପରେ ତାଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା।

କିଶୋରଙ୍କୁ ବୁଝାଇବାରେ ଫେଲ ମାରିଥିଲେ ଇନ୍ଦିରା
କିଶୋର କୁମାରଙ୍କ ଗୀତ ଆଜିବି ସୁରର ସ୍ୱତନ୍ତ୍ରତାରେ ବାନ୍ଧିରଖିଛି ଅନେକ ସ୍ରୋତାଙ୍କୁ। ରୁପ୍ ତେରା ମସ୍ତାନା ଗୀତରେ କେବେ ସେ ଅପରୁପ ସଂଗୀତ ଗାଇଛନ୍ତି ତ ପୁଣି କେବେ ନୀଲେନୀଲେ ଅମ୍ବର ପର୍ ଗୀତରେ ସୁନ୍ଦରତାର ବର୍ଣ୍ଣନା କରିଛନ୍ତି। ଦୀଲ୍ କ୍ୟା କରେ,ପ୍ୟାରା ଦୀୱାନା ହୋତା ହୈ,କ୍ୟା ଏହି ପ୍ୟାର ହେ ଆଦି ଅନେକ ଗୀତ ଆଜିବି ତାଙ୍କୁ ମନେପକାଇଦିଏ। ଆପକି ଅନୁରୋଧ ପେ ମେଁ ଏ ଗୀତ ଶୁନାତା ହୁଁ ଗୀତରେ ସେ ତାଙ୍କର ସଫଳତା ରେଖାଙ୍କିତ କରିଛନ୍ତି। ବଲିଉଡ଼ ଜଗତରେ ଛାଇ ଯାଇଥିବା ଏହି ସଂଗୀତକାର କିଶୋର କୁମାରଙ୍କ ଲୋକପ୍ରିୟତା ଢ଼େର ଅଧିକ ଥିଲା। ମାତ୍ର ତାଙ୍କ ଜୀବନରେ ଏଭଳି ଏକ ସମୟ ଆସିଥିଲା ଯାହା ଫଳରେ ତାଙ୍କ ଗୀତ ଉପରେ ପ୍ରତିବନ୍ଧକ ଲାଗିଥିଲା। ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ୧୯୭୫ ଜୁନ୍ ୨୫ ରେ ଘୋଷଣା ହୋଇଥିଲା ଜାତୀୟ ଜରୁରୀକାଳୀନ ପରିସ୍ଥିତି। ଦୀର୍ଘ ୨୧ ମାସ ଧରି ଏ ପରିସ୍ଥିତି ବଳବତ୍ତର ହୋଇ ରହିଥିଲା। ସେ ସମୟ ଅନେକଙ୍କ ପାଇଁ ବିପତ୍ତିକୁ ନିମନ୍ତ୍ରଣ କରିଥିଲା। କିଶୋରଙ୍କ କ୍ଷେତ୍ରରେ ମଧ୍ୟ କିଛି ଏପରି ଘଟିଥିଲା। ଜରୁରୀକାଳୀନ ପରିସ୍ଥିତିରେ କଂଗ୍ରେସ ସରକାର ଚାହୁଁଥିଲେ କିଶୋର କୁମାର ତାଙ୍କ ସ୍ୱରରେ ଏକ ଗୀତ ଗାଇ ସରକାରୀ ଯୋଜନା ବିଷୟରେ ସୂଚନା ଦିଅନ୍ତୁ। କଂଗ୍ରେସ ଏକ ସ୍ୱର ଆବଶ୍ୟକ କରୁଥିଲା ଯାହା ସାଧାରଣ ଜନତାଙ୍କୁ ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ବାର୍ତ୍ତା ଦେଇପାରିବ। ସେତେବେଳେ କିଶୋର କୁମାର ବହୁତ ଲୋକପ୍ରିୟ ଥିଲେ। ଏଥିପାଇଁ ସେ କିଶୋର କୁମାରଙ୍କ ନିକଟକୁ ଯାଇଥିଲେ। ଇନ୍ଦିରା ଗାନ୍ଧୀ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭି.ସି ଶୁକ୍ଲା କିଶୋର କୁମାରଙ୍କୁ ଏକ ବାର୍ତ୍ତା ପଠାଇଥିଲେ ଯେ ସେ ଇନ୍ଦିରା ଗାନ୍ଧୀଙ୍କ ପାଇଁ ଗୀତ ଗାଇବେ ଯାହାଦ୍ୱାରା ସରକାରଙ୍କ ସ୍ୱର ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚିବ, କିନ୍ତୁ କିଶୋର କୁମାର ଏହି ଗୀତ ଗାଇବାକୁ ମନା କରିଦେଇଥିଲେ। ଏପରିକି ଏଇ କଥାକୁ ଭିତ୍ତି କରି ସଞ୍ଜୟ ଗାନ୍ଧୀ ଓ କିଶୋରଙ୍କ ମଧ୍ୟରେ ବାକ୍ ଯୁଦ୍ଧ ବି ହୋଇଥଲା।

କିଶୋର କୁମାର ସରକାରଙ୍କ ସପକ୍ଷରେ ଗୀତ ଗାଇବାକୁ ସ୍ପଷ୍ଟ ମନା କରିଦେଇଥିଲେ। ଫଳରେ ଇନ୍ଦିରା ଗାନ୍ଧୀ କ୍ରୋଧିତ ହୋଇ କିଶୋରଙ୍କ ଗୀତକୁ ଦୂରଦର୍ଶନ ଓ ରେଡ଼ିଓରେ ବ୍ୟାନ୍ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଆଦେଶ ଦେଇଥିଲେ। ଏପରିକି ସେନ୍ସର ବୋର୍ଡ଼ ମଧ୍ୟ କିଶୋର ଗୀତ ଗାଇଥଇବା ଚଳଚ୍ଚିତ୍ରକୁ ସାର୍ଟିଫିକେଟ ଦେଇ ନଥିଲେ। କେବଳ ସେତିକି ନୁହେଁ,ସେ ସମୟରେ କିଶୋର ଗାଇଥିବା ଗୀତର କ୍ୟାସେଟ୍ ବିକ୍ରି ଉପରେ ମଧ୍ୟ ସରକାର ପ୍ରତିବନ୍ଧକ ଲଗାଇଥିଲେ। ଜରୁରୀକାଳୀନ ପରିସ୍ଥିରେ ଇନ୍ଦିରାଙ୍କ ଆଦେଶ ନ ମାନିବା ଫଳରେ କିଶୋର ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ ସୁଦ୍ଧା କେବେ ହାର ମାନି ନ ଥିଲେ। ଜରୁରୀ କାଳୀନ ପରିସ୍ଥିତିର ଅନ୍ତ ସହିତ କିଶୋରଙ୍କ ଦୁଃସମୟର ମଧ୍ୟ ଅନ୍ତ ହୋଇଥିଲା। ନିଜର ସ୍ପଷ୍ଟବାଦୀତା ପାଇଁ କିଶୋର ଏକ ନୂଆ ପରିଚୟ ସୃଷ୍ଟି କରି ପାରିଥିଲେ। ଇନ୍ଦିରାଙ୍କୁ ପରବର୍ତ୍ତୀ ମୂହୂର୍ତ୍ତରେ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଥିଲା ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us