କୋହେନୁର୍ ହୀରା…ଏହାକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାରର ଆଲୋଚନା ପର୍ଯ୍ୟାଲୋଚନା ମୁଣ୍ଡ ଟେକେ।ଏହାର ମାଲିକାନାକୁ ନେଇ ଚାଲୁଥିବା ଦୌଡରେ ଅନେକ ଦେଶ ନିଜକୁ ଦାବୀଦାର ବୋଲି କହୁଥିଲା ବେଳେ ବ୍ରୀଟେନ୍ କିନ୍ତୁ କୋହେନୁର୍ ହୀରାକୁ ଫେରେଇବା ପାଇଁ କୌଣଷି ମତେ ସମ୍ମତି ପ୍ରକାଶ କରୁନାହିଁ।କୋହେନୁର୍ ହୀରାର ମାଲିକାନା ଦୌଡରେ ଅନେକ ଦେଶ ସାମିଲ୍ ହୋଇଛନ୍ତି।ଭାରତ ସମେତ ପାକିସ୍ଥାନ୍,ଆଫଗାନୀସ୍ଥାନ୍,ଇରାନ୍ ଆଦି ଅନେକ ଦେଶ କୋହେନୁର୍ ହୀରା ପାଇଁ ଦାବୀ କରୁଥିଲେ ସୁଦ୍ଧା ଏହା ଭାରତରୁ ଉଦ୍ଧାର କରାଯାଇଥିବାରୁ ଭାରତକୁ ହିଁ ପ୍ରକୃତ ଦାବୀଦାର୍ ବୋଲି ସ୍ୱୀକାର କରାଯାଏ।ଏବେବି ଏ ହୀରା ସମ୍ବନ୍ଧରେ ଅନେକ ତଥ୍ୟ ଆତ୍ମଗୋପନ କରିଛି ଯାହା ପ୍ରାୟ ଅନେକଙ୍କୁ ଅଜଣା

କୋହେନୁର୍ ହୀରା କାହାର?
ଏ ପ୍ରଶ୍ନ ଅନେକଙ୍କ ମନରେ ଆନ୍ଦୋଳନ ସୃଷ୍ଟି କରେ।ବିଭିନ୍ନ ସମୟରେ ବିଭିନ୍ନ ଦେଶ ଏହାକୁ ଫେରେଇବା ପାଇଁ ଦାବୀ କରିଆସୁଛନ୍ତି।କିନ୍ତୁ ଇତିହାସର ଗାଥା ଅନୁଯାୟୀ କୋହେନୁର୍ ହୀରା ଆନ୍ଧ୍ରପ୍ରଦେଶର କୃଷ୍ଣ୍ଣାନଦୀ ନିକଟରେ ଥିବା ଓଲୁର୍ ଖଣିରୁ ମିଳିଥିଲା।ମୋଗଲ ଆକ୍ରମଣକାରୀ ବାବର ଏହି ହୀରାକୁ ନିଜ ଅକ୍ତିଆରକୁ ନେଇଥିଲେ ।ଔରଙ୍ଗଜେବଙ୍କ ଶାସନକାଳ ପର୍ଯ୍ୟନ୍ତ ମୋଗଲ ସାମ୍ରାଜ୍ୟ କବଳରେ ଏ ହୀରା ଥିଲା ମାତ୍ର ତାଙ୍କର ମୃତ୍ୟୁ ପରେ ନାଦୀର୍ ଶାହା ଦୀଲ୍ଲି ଆକ୍ରମଣ କରି କୋହେନୁର୍ ଅକ୍ତିଆର୍ କରିଥିଲେ।ନାଦୀର୍ ଶାହା ମୃତ୍ୟୁପରେ ହୀରାକୁ ଅକ୍ତିଆର କରି ରଖିଥିବାଅହମଦ୍ ଶାହା ଦୁରାନୀଙ୍କୁ ପରାସ୍ତ କରି ରଣଜିତ୍ ସିଂ କୋହେନୁର୍ ହୀରା ଅଧିକାର କରିଥିଲେ।

କଣ କୁହେ ରଣଜିତ୍ ସିଂଙ୍କ ଇଚ୍ଛାପତ୍ର?
ରଣଜିତ୍ ସିଂ ତାଙ୍କର ମୃତ୍ୟୁ ପୁର୍ବରୁ ଇଚ୍ଛାପତ୍ରରେ କୋହେନୁର୍ କୁ ଜଗନ୍ନାଥଙ୍କ ଉଦ୍ଧେଶ୍ୟରେ ଦାନ କରିଥିବାରୁ ଭାରତ ତଥା ଓଡିଶାର ଜଗନ୍ନାଥ ମନ୍ଦିରରେ ହିଁ ଏ ହୀରା ରହିବା କଥା।ମାତ୍ର ତାଙ୍କ ପୁଅ ଦୁଲ୍ଲିପ୍ ସିଂକୁ ଯୁଦ୍ଧରେ ପରାସ୍ତ କରି ଇଂରେଜ ସରକାର କୋହେନୁର୍ ହୀରାକୁ ଅକ୍ତିଆର କରି ଇଚ୍ଛାପତ୍ରରେ ଲିଖିତ ଅକ୍ଷରକୁ ଅନାଦର କରିଛି।

କାହିଁକି ଭାରତକୁ ଫେରିଆସୁନି କୋହେନୁର୍?
ସବୁ ପ୍ରକାରର ପ୍ରମାଣ ସତ୍ତ୍ୱେ ଭାରତକୁ କୋହେନୁର୍ ହୀରା ନ ଫେରିବା ପଛରେ ଅନେକ କାରଣ ଲୁଚି ରହିଛି।ଯଦିଓ ଏ ହୀରା ଉପରେ ଭାରତର ହକ୍ ଅଛି ତଥାପି ବ୍ରିଟେନ୍ ଏହାକୁ ଜବରଦସ୍ତି ମ୍ୟୁଜିୟମରେ ରଖି ମାଲିକାନା ଜାହିର୍ କରୁଛି। Trity Of Lahore ଚୁକ୍ତି ପାଇଁ ଭାରତ ଏ ଦାବୀରୁ ଓହରିବାକୁ ବାଧ୍ୟ ହୋଇଛି।ଏହା ସହିତ Unesco Convention Of 1972 ରେ କୋହେନୁର୍ ହୀରା ରାଣୀ ଏଲିଜାବେଥଙ୍କୁ ଉପହାରରେ ଦେଇଥିବା ଉଲ୍ଲେଖ ଥିବା ହେତୁ ବ୍ରିଟେନ୍ ଏହାକୁ ଫେରାଉ ନାହିଁ।ଏହାକୁ ଫେରେଇ ଦେଲେ ବ୍ରିଟେନକୁ  ଆଉ କୌଣଷି ପର୍ଯ୍ୟଟକ ଯିବେ ନାହିଁ ବୋଲି ମଧ୍ୟ ବ୍ରୀଟେନ୍ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି ।ତେଣୁ କୋହେନୁର୍ ହୀରା ଭାରତକୁ ଫେରିବାର ଆଶା ଧିରେଧିରେ ମଉଳୁଛି।