ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ବିବାଦ ବଢୁଛି। ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢିଙ୍କ ସର୍ବଦଳୀୟ ବୈଠକରେ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ରଖିବାକୁ ବିରୋଧି ଦଳ ଗୁଡ଼ିକ ଦାବି କରିଛନ୍ତି। ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ବିରୋଧୀ ଦଳ ଦାବି କରୁଛନ୍ତି,କିନ୍ତୁ ମତଦାନ ସପକ୍ଷରେ ରହିଛି ବିଜୁ ଜନତା ଦଳ। କରୋନାର ତୃତୀୟ ଲହର ଚାଲିବା ସହ ପଛୁଆ ବର୍ଗ ଓ ଆଦିବାସୀଙ୍କୁ ସଂରକ୍ଷଣ ମିଳିବା ପ୍ରସଙ୍ଗରେ ନିର୍ବାଚନ ସ୍ଥଗିତ ରଖିବାକୁ ବିରୋଧି ଦାବି କରିଛନ୍ତି।
କେନ୍ଦ୍ର ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଯୁପି, ପଞ୍ଜାବ, ଉତ୍ତାରଖଣ୍ଡ, ମଣିପୁର ଏବଂ ଗୋଆରେ ମତଦାନ ହେବ। ସେହି ଧାରାରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଆଦିତ୍ୟ ପାଢିଙ୍କ ଯୁକ୍ତି ଗ୍ରହଣୀୟ। ଅନ୍ୟପକ୍ଷରେ କରୋନାରେ ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କ ମୃତ୍ୟୁ ସାଙ୍ଗକୁ ସେହି ଆସନରେ ଉପନିର୍ବାଚନ ସମୟରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଖବର ଡରାଇବା ସହ ସୁଚେଇ ଦଉଛି ଯେ ନିର୍ବାଚନ ଅପେକ୍ଷା ଜୀବନର ଗୁରୁତ୍ୱ ଅଧିକ।
କରୋନା ଚିନ୍ତା ବଢ଼ାଇବ ପଞ୍ଚାୟତ ନିର୍ବାଚନ
ନିର୍ବାଚନ ସମ୍ବନ୍ଧୀୟ ବୈଠକରେ ଯୋଗ ଦେଇ BJD ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ ମାର୍ଚ୍ଚ ସୁଦ୍ଧା ନୂଆ ପଞ୍ଚାୟତ ପ୍ରତିନିଧି ଦାୟିତ୍ୱ ଗ୍ରହଣ କରିବା କଥା। ସାମ୍ବିଧାନିକ ପ୍ରକ୍ରିୟାକୁ ସମ୍ମାନ ଦେଇ ସ୍ଥିରୀକୃତ ସମୟରେ ହିଁ ନିର୍ବାଚନ ହେଉ,ମତଦାତାଙ୍କୁ ଭୋଟ୍ ଦାନରୁ ଗୋଟିଏ ଦିନ ବିଳମ୍ବ କରାଯିବା ଅନୁଚିତ ବୋଲି BJD ଯୁକ୍ତି ରଖିଛି।
ତେବେ ରାଜ୍ୟର ୬୭୯୪ ପଞ୍ଚାୟତ ଏବଂ ସେଠାରେ ଥିବା ୮୫୩ ଜିଲ୍ଲା ପରିଷଦ ଜୋନ ନିର୍ବାଚନକୁ ନେଇ ଏବେ ଦ୍ୱନ୍ଦ୍ୱ। ନିର୍ବାଚନ ବନ୍ଦ କରିବାକୁ ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାଏର ହୋଇଛି। OBCଙ୍କୁ ସଂରକ୍ଷଣ ଦିଆନଯିବା ଏବଂ କରୋନା ସଂକ୍ରମଣ ବଢୁଥିବାରୁ ପଞ୍ଚାୟତ ନିର୍ବାଚନ କିଭଳି ହେବ ବୋଲି ପରିଷଦ ପ୍ରଶ୍ନ କରିଛି।
ଅନ୍ୟପକ୍ଷରେ ପଞ୍ଚାୟତ ଭୋଟ ପାଇଁ ଏତେ ବ୍ୟଗ୍ର ଥିବା BJD ନେତୃତ୍ୱାଧିନ ଓଡ଼ିଶା ସରକାର କେଉଁ ଆଧାରରେ ପୌର ନିର୍ବାଚନକୁ ୩ବର୍ଷ ହେଲା ସ୍ଥଗିତ ରଖିଛନ୍ତି। କରୋନା କାଳରେ ପୌର ନିର୍ବାଚନ ଅପେକ୍ଷା ପଞ୍ଚାୟତ ନିର୍ବାଚନ ଅଧିକ ସମ୍ବେଦନୀଳ। କାରଣ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ଭୋଟର ଏକକାଳୀନ ଓ୍ୱାର୍ଡମେମ୍ବର,ସରପଞ୍ଚ,ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଦେବାକୁ ପଡେ। ୪ଟି ବାଲାଟ୍ ପେପରରେ ମୋହର ମାରିବାକୁ ଥିବା ପଞ୍ଚାୟତ ଭୋଟରଙ୍କୁ ମତଦାନ କେନ୍ଦ୍ରରେ ଏକାଧିକ ପୋଲିଂ ଏଜେଣ୍ଟଙ୍କ ସଂସ୍ପର୍ଷରେ ଆସି ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି।
ସହରୀ ଭୋଟରଙ୍କୁ ଉପେକ୍ଷା
ଅପର ପକ୍ଷରେ ପୌରାଞ୍ଚଳରେ ନିର୍ବାଚନ କରାଇବାର ଦାୟିତ୍ୱରେ ଥିବା ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ, ସହରୀ ଭୋଟରଙ୍କ ମତଦାନ ଅଧିକାରକୁ ସୁରକ୍ଷିତ ରଖିବାରେ ଅସମର୍ଥ ହୋଇଛନ୍ତି। ଅତାବିରା ଏବଂ ହିନ୍ଦୋଳ NACକୁ ବାଦ ଦେଲ ଓଡ଼ିଶାର ସମସ୍ତ ପୌରାଞ୍ଚଳ ୫ବର୍ଷିଆ କାର୍ଯ୍ୟକାଳ କେବେଠୁ ସରିଲାଣି। ଏପରିକି ରାଜ୍ୟର ୫ଟି ମହାନଗର ନିଗମ ଯଥା ଭୁବନେଶ୍ୱର,କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ଭୋଟରଙ୍କୁ ଭୋଟଦାନରୁ ବଞ୍ଚିତ କରାଯାଉଛି।
ଅବଶ୍ୟ ସରକାରୀ କର୍ମଚାରୀ ଦେଉଥିବା ପୋଷ୍ଟାଲ ଭୋଟ ପାଇବାରେ ପଛରେ ପଡି ଯାଉଥିବା BJD, ସହରାଞ୍ଚଳ ଭୋଟରଙ୍କ ଆସ୍ଥା ଜିଣିବାରେ ମଧ୍ୟ ବିଫଳ ହେଉଛି। ସେଥିପାଇଁ ଗାଁରେ ଥିବା ନିଜ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ BJD ପଞ୍ଚାୟତ ନିର୍ବାଚନ କରିବାକୁ ତତ୍ପର କି ?
ଏ ଷ୍ଟୋରୀକୁ ଲେଖିଛନ୍ତି-ଦେବେନ୍ଦ୍ର କୁମାର ନାୟକ