ସବୁଠି ବିରୋଧି ସକ୍ରିୟ,ମାତ୍ର ଓଡିଶାରେ?

୫ ରାଜ୍ୟର ବିଧାନସଭା ନିର୍ବାଚନରେ ସରକାର ଦଳ ଅପେକ୍ଷା ବିରୋଧି ଦଳ ଭଲ ପ୍ରଦର୍ଶନ କରିଛି। ୫ ରାଜ୍ୟର ଫଳାଫଳକୁ ସମୀକ୍ଷା କଲେ ସ୍ପଷ୍ଟ ହୋଇଛି ଯେ ପ୍ରତି ରାଜ୍ୟରେ ବିରୋଧୀଙ୍କ ଶକ୍ତି ପୁର୍ବ ଅପେକ୍ଷା ବେଶ ସୁଦୃଢ଼ ହୋଇଛି। ପ୍ରାୟ ସମସ୍ତ ରାଜ୍ୟରେ ବିରୋଧୀଙ୍କ ଶକ୍ତି ବୃଦ୍ଧି ପାଇଛି। ପଞ୍ଜାବରେ ଗତ ଥର ବିରୋଧୀ ଦଳରେ ଥିବା ଆପ୍ ସରକାର ଗଢ଼ିବାକୁ ଯାଉଛି। ଉତ୍ତର ପ୍ରଦେଶରେ ବିରୋଧୀ ସମାଜବାଦୀ ପାର୍ଟି କ୍ଷମତା ହାସଲ କରି ନଥିଲେ ବି ଶାସକ ଦଳର ବହୁ ଆସନ ଛଡ଼ାଇ ନେଇଛି। ଗତଥର ସପା ଦୁଇ ଅଙ୍କରେ ଥିବା ବେଳେ ଏଥରେ ତିନି ଅଙ୍କରେ ପହଞ୍ଚି ଯାଇଛି। ଗୋଆରେ ସ୍ୱାଧୀନ ବିଧାୟକଙ୍କ ସହାୟତାରେ ବିଜେପି ସରକାର ଗଢ଼ିଲେ ବି ସାମ୍ନାରେ ଏକ ସୁଦୃଢ଼ ବିରୋଧୀ ପାଇବ। କାରଣ କଂଗ୍ରେସ, ଆପ୍ ଓ ଟିଏମ୍ସିର ମୋଟ୍ ୧୬ ଜଣ ବିଜୟୀ ବିଧାୟକ ବିଧାନସଭାରେ ବିରୋଧୀଙ୍କ ଭୂମିକା ନେବେ। ସେହିପରି ମଣିପୁରରେ ବିଜେପି ୬୦ଟି ଆସନରୁ ୩୨ଟି ଆସନରେ ଜିତି ଥିବା ବେଳେ ବିରୋଧୀ ବି ପଛରେ ନାହାନ୍ତି।

ଉତ୍ତରପ୍ରଦେଶ
ପ୍ରଥମେ ଯଦି ଉତ୍ତର ପ୍ରଦେଶ କଥା ଆଲୋଚନା କରିବା ତାହାଲେ ବିଜେପି ସରକାର ଗଠନ କରିଥିଲେ ସୁଦ୍ଧା ସାମାଜବାଦୀ ପାର୍ଟି କଡ଼ା ଟକ୍କର ଦେଇଛି। ଅଖିଲେଶ ସିଂହ ଯାଦବଙ୍କ ନେତୃତ୍ୱରେ ସପା ଯଦିଓ ବିରୋଧୀ ଦଳର ମାନ୍ୟତା ପାଇଛି, କିନ୍ତୁ ବେରୋଜଗାରୀ, ଲକ୍ଷ୍ମୀପୁର ଖେରିରେ ଚାଷୀ ଆନ୍ଦୋଳନ, ହତରସ୍ ଘଟଣା ଓ କରୋନାରେ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଛି। ଗତ ବିଧାନସଭା ନିର୍ବାଚନରେ ସମାଜବାଦୀ ମେଣ୍ଟ ଦଳକୁ ମାତ୍ର ୫୨ଟି ଆସନ ମିଳିଥିଲା। କିନ୍ତୁ ୫ ବର୍ଷ ମଧ୍ୟରେ ଦଳ ନିଜକୁ ସେତିକି ସଂଗଠିତ କରିବା ସହ ୧୨୫ ସିଟରେ ବିଜୟ ହେବା ବାସ୍ତବିକ ପୁର୍ବ ଅପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିଛି ବୋଲି ସ୍ପଷ୍ଟ କରୁଛି।
ମଣିପୁର
ସେହିପରି ମଣିପୁରରେ ଭୋଟରଙ୍କ ସମର୍ଥନ ବିଜେପିକୁ ଯାଇଛି। ଚଳିତ ବିଧାନସଭାରେ ବିଜେପି ଏକାକି ସରକାର ଗଠନ କରିବାକୁ ସମର୍ଥ ହୋଇଛି। ଗତ ନିର୍ବାଚନରେ ବିଜେପିକୁ ଯଦିଓ ମାତ୍ର ୨୧ଟି ଆସନ ମିଳିଥିଲା କିନ୍ତୁ ନିର୍ବାଚନ ପରେ ଏନପିପି ସହ ମେଣ୍ଟ କରି ସରକାର ଗଠନ କରିବାରେ ସଫଳ ହୋଇଥିଲା ବିଜେପି। ତେବେ ଚଳିତ ନିର୍ବାଚନରେ ବିଜେପିକୁ ଅଧିକ ୧୧ଟି ଆସନ ମିଳିଛି। ଗତଥର ୨୮ଟି ଆସନ ପାଇଥିବା କଂଗ୍ରେସର ସ୍ଥିତି ଟଳମଳ ହୋଇଛି। ଏଥର ମାତ୍ର ୫ଟି ଆସନରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ଗୋଆ
ଗୋଆରେ ଗତ ବିଧାନସଭାରେ ବେଶ ରୋଚକ ସ୍ଥିତିରେ ସରକାର ଗଠନ କରିଥିଲା ବିଜେପି। ମୋଟ୍ ୪୦ଟି ଆସନରୁ କଂଗ୍ରେସ ୨୦ଟି ଆସନ ପାଇଥିବା ବେଳେ ବିଜେପିକୁ ମିଳିଥିଲା ମାତ୍ର ୧୩ଟି ସିଟ୍।ଏଥର ଗୋଆରେ ବିଜେପିକୁ ୭ଟି ଆସନ ଅଧିକ ମିଳିଛି। ଫଳରେ ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ ୨୦ଟି ଆସନ ପାଇ ସରକାର ଗଢ଼ିବାକୁ ଯାଉଛି। ଏଠାରେ କଂଗ୍ରେସକୁ ୮ଟି ସିଟ୍ର ଘାଟା ହୋଇଥିବା ବେଳେ ମୋଟ୍ ୧୨ଟି ସିଟ୍ ଅକ୍ତିଆର କରିଛି। ସବୁଠାରୁ ବଡ଼ କଥା ହେଲା, ଏଠାରେ ଆପ୍ ଓ ଟିଏମସି ସପକ୍ଷରେ ବି ଗୋଆବାସୀ ମତଦାନ କରି ବିରୋଧୀଙ୍କ ଶକ୍ତିକୁ ସୃଦୁଢ଼ କରିଛନ୍ତି।

ପଞ୍ଜାବ
ପଂଜାବରେ ଆମ ଆଦମୀ ପାର୍ଟିର ସୁନାମୀ ଦେଖିବାକୁ ମିଳିଛି। ପଂଜାବରେ ସମସ୍ତ ରାଜନୈତିକ ଦଳକୁ ଝାଡୁ ମାରି ଦେଇଛି ଆପ୍।ସାରା ଦେଶରେ ପଂଜାବ ରାଜନୀତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କାରଣ ଗତ ନିର୍ବଚାନରେ ମୋଟ୍ ୧୧୭ ଆସନରୁ ମାତ୍ର ୨୦ଟି ଆସନ ପାଇଥିବା ଆମ ଆଦମୀ ପାର୍ଟି ୯୨ଟି ଆସନରେ ବିପୁଳ ବିଜୟ ହେଉଛି। ଦିଲ୍ଲୀ ଢାଞ୍ଚାର ସ୍ୱପ୍ନ ପଂଜାବବାସୀଙ୍କୁ ଦେଖାଇ ସେମାନଙ୍କ ବିଶ୍ୱାସ ଜିଣିବାରେ ସଫଳ ହୋଇ ପାରିଛି ଆପ୍। ଏପରିକି ନିଜ ରଣକୌଶଳରେ କଂଗ୍ରେସର ଅନ୍ତଃକନ୍ଦଳ ଓ ଚାଷୀ ଆନ୍ଦୋଳନର ଭରପୂର ଫାଇଦା ଉଠାଇ ପାରିଛି ଆମ ଆଦମୀ ପାର୍ଟି। ପଂଜାବରେ ବିରୋଧୀ ଦଳ ସାଜିଥିବା ଆମ ଆଦମୀ ପାର୍ଟି ଏବେ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବାକୁ ଯାଉଛି।
ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ମଧ୍ୟ ବିରୋଧିଙ୍କୁ ଭଲ ଫଳ ମିଳିଛି। ବିଜେପି ପୁଣି ଏଠାରେ ୪୭ଟି ଆସନ ଜିତିବାରେ ସଫଳ ହୋଇଛି। ଯଦିଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। ଏଠାରେ ବି ଉତ୍ତର ପ୍ରଦେଶ ଭଳି ଲଗାତାର ୨ୟ ଥର ପାଇଁ ଗୋଟିଏ ହିଁ ସରକାର କ୍ଷମତାକୁ ଆସିବା ଏକ ରେକର୍ଡ ବୋଲି କୁହାଯାଉଛି। କିନ୍ତୁ ଉତ୍ତାରଖଣ୍ଡରେ ମୁଖ୍ୟ ବିରୋଧୀ ଥିବା କଂଗ୍ରେସ ନିଜକୁ ଅଧିକ ସକ୍ରିୟ କରିଛି। ଏଥର ନିଜ ସପକ୍ଷରେ ଅଧିକ ୮ଟି ଆସନ ସହ ମୋଟ୍ ୧୯ଟି ବିଧାନସଭା ସିଟ୍ ଜିତିବାରେ ସମର୍ଥ ହୋଇ ପାରିଛି।

ଓଡିଶାରେ ବିରୋଧି ଫେଲ୍
ଅନ୍ୟ ରାଜ୍ୟରେ ଯଦିଓ ବିରୋଧି ସୁଦୃଢ଼ ହେଉଛନ୍ତି ଓଡିଶାରେ କିନ୍ତୁ ସ୍ଥିତି ଏକଦମ୍ ଓଲଟା । ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଏଠାରେ ଗୋଟିଏ ଦଳର ସରକାର ରହିଛି। କିନ୍ତୁ ନିର୍ବାଚନ ପରେ ନିର୍ବାଚନରେ ବିଧାନସଭାରେ ବିରୋଧୀ ଦଳ ସଦସ୍ୟଙ୍କ ସଂଖ୍ୟା ହ୍ରାସ ପାଉଛି। ଜନମତ ଏକ ତରଫା ଯାଉଛି। ସରକାରଙ୍କ ସପକ୍ଷରେ ବାରମ୍ବାର ଯାଉଛି ଜନତାଙ୍କ ଭୋଟ୍।ଗତ ପଞ୍ଚାୟତ ନିର୍ବାଚନ ଅପେକ୍ଷା ଏ ନିର୍ବାଚନରେ ବିରୋଧି ଖୁବ୍ ଖରାପ ପ୍ରଦର୍ଶନ କରିଛନ୍ତି ।ଏପରିକି ବହୁ ବ୍ଲକରେ ବିଜେଡି ଅଧ୍ୟକ୍ଷ ପଦ ହାତେଇଥିଲା ବେଳେ ସମସ୍ତ ଜିଲ୍ଲାରେ ଜିଳ୍ଲାପରିଷଦ ଅଧ୍ୟକ୍ଷ ପଦ ହାତେଇଛି ।ରାଜ୍ୟ କଂଗ୍ରେସର ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ଅବହେଳା ହେତୁ କଂଗ୍ରେସ ଭୁଷୁଡୁଥିବା ବେଳେ ବିଜେପିରେ ମଧ୍ୟ ସମାନ ଅବସ୍ଥା।ବାରମ୍ବାର ଫେଲ୍ ମାରୁଛନ୍ତି ବିରୋଧୀ? ସରକାର ଭଲ କାମ କରୁଛନ୍ତି ନା ବିରୋଧୀ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହାନ୍ତି? ନା ବିରୋଧୀ ଦଳ ଗୁଡ଼ିକ ନିଜକୁ ଉତ୍ତମ ବିକଳ୍ପ ଭାବେ ମତଦାତାଙ୍କ ସମ୍ମୁଖରେ ଉପସ୍ଥାପିତ କରିପାରୁ ନାହାନ୍ତି? ଏ ସବୁ ପ୍ରସଙ୍ଗକୁ ନେଇ ରାଜନୈତିକ ବିଷାରଦ ମାନେ ଭିନ୍ନ ମତ ରଖିବା ସହିତ ବିରୋଧି ଏ ସମ୍ପର୍କରେ ସଜାଗ ହେବା ଜରୁରୀ ବୋଲି ମତ ରଖିଛନ୍ତି।
Connect With Us