ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। କେବଳ ଓଡ଼ିଶା କି ଭାରତ ନୁହେଁ ଦେଶ ବାହାରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଏଥିରେ ଯୋଗ ଦିଅନ୍ତି। ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତିଙ୍କ ଭୁମିକା ଏଥିରେ ସ୍ୱତନ୍ତ୍ର। ଗଜପତିଙ୍କ ଛେରା ପହଁରା ପରେ ବଡ଼ ଦାଣ୍ଡରେ ରଥ ଗଡ଼ିବାର ପରମ୍ପରା ରହିଛି। କିନ୍ତୁ ଓଡ଼ିଶାରେ ଏମିତି ବି ସମୟ ଆସିଛି ଯେଉଁଠି ଇଂରେଜ ସରକାରଙ୍କ ଦ୍ୱାରା ବନ୍ଦୀ ହେଇଛନ୍ତି ଗଜପତି। ତଥାପି ଅଟକିନି ପରମ୍ପରା। ଗଜପତିଙ୍କ ମା ଙ୍କ ତତ୍ତ୍ୱାବଧାନରେ ଖୁବ୍ ଶୃଙ୍ଖଳିତ ଭାବରେ ହୋଇଛି ରଥଯାତ୍ରା।
୧୮୭୮ରେ ଭିନ୍ନ ସ୍ଥିତିରେ ହୋଇଥିଲା ରଥଯାତ୍ରା। ସେ ସମୟରେ ଗଜପତି ବନ୍ଦୀ ଥିଲାବେଳେ ରଥ ଯାତ୍ରାକୁ ନେଇ ଅନେକ ଆଶା ଆଶଙ୍କା ସୃଷ୍ଟି ହୋଇଥିଲା। ଗଜପତିଙ୍କ ବିନା ଉପସ୍ଥିତିରେ ରଥଯାତ୍ରା ହୋଇପାରିବ ନାହିଁ ବୋଲ ମଧ୍ୟ କିଛି ଲୋକ ଧରିନେଇଥିଲେ। ମାତ୍ର ଅଟକି ନଥିଲା ରଥଯାତ୍ରା। ସେ ସମୟରେ ପ୍ରାୟ ୨୦ହଜାର ଭକ୍ତ ଯୋଗ ଦେଇ ରଥ ଦର୍ଶନ କରିଥିଲେ। ଗଜପତିଙ୍କ ଅନୁପସ୍ଥିତି ହେତୁ ସ୍ଥାନୀୟ ଭକ୍ତ ସଂଖ୍ୟା ପ୍ରଭାବିତ ହୋଇଥିଲା। ଇଂରେଜ ସରକାରଙ୍କ ଚକ୍ରାନ୍ତ ସତ୍ତ୍ୱେ ରଥଯାତ୍ରାକୁ ଭଣ୍ଡୁର କରିବାକୁ ଦେଇ ନଥିଲେ ଗଜପତିଙ୍କ ମା।