ବଲିଉଡ଼ରେ ଓଡ଼ିଆ ଫିଲ୍ମ ‘ଦମନ’

ଢେମସା ତାଳରେ ନାଚିବେ ଦର୍ଶକ, ଦେଶ ଦେଖିବ ଦିଶାରୀର ଦଶା, ହସେଇବ ଡିପାର୍ଟମେଣ୍ଟରେ ମଶା, ଭାବୁକ କରିବ ଅନ୍ ସ୍କ୍ରିନ୍ ଏବଂ ଅଫ୍ ସ୍କ୍ରିନର ଟିମ୍ ୱାର୍କ, ନିଦ ଭାଙ୍ଗିବ ଡକ୍ଟର–କମ୍ପାଉଣ୍ଡରଙ୍କ ବେଲ୍ ବଜା ସିନ୍, ମୁଣ୍ଡକୁ ଉଚ୍ଚା କରିବ ଗଧ ପିଠିରେ ବସି ୧୫୧ ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଇବାର ସଂକଳ୍ପ। ଏକ ସିନେମା, ଯେଉଁଠି ଦେଶ ଦେଖିବ ଗୋଟାଏ ଓଡ଼ିଆ ପୁଅର ସଂଘର୍ଷ ଏବଂ ସଫଳତାର ଆୟୂଷ। ସ୍ତବ୍ଧ କରିବ ବାବୁସାନଙ୍କ ଆକ୍ଟିଂ ସାଙ୍ଗକୁ ଦୀପାନ୍ୱିତଙ୍କ ଡାଇଲଗ୍ ଡେଲିଭରି। ଭାରତୀୟ ସିନେମା ପାଇଁ ନୂଆ ଯୁଗ ଆଣିବ ଓଡ଼ିଶା। ଦିନେ ଯୋଉ ଓଡ଼ିଆ ଫିଲ୍ମକୁ ଦର୍ଶକ ମୁହଁ ମୋଡୁଥିଲେ ଏବେ ସେ ଫିଲ୍ମର ଯୁଗ ବଦଳିଛି। ହଲ୍ ମିଳୁ ନଥିବା ଓଡ଼ିଆ ଦମନକୁ ନେଇ, ଏବେ ଦେଶ ସାରା ଚହଳ ପକାଇଛି। ଓଡ଼ିଆ ଫିଲ୍ମ ଦମନ ଏବେ ବଲିଉଡରେ ପାଦ ଥାପିଛି।

କପି ପେଷ୍ଟ ଷ୍ଟୋରୀର କଳଙ୍କ ହଟେଇ ତ୍ରୀକୋଣୀୟ ପ୍ରେମ କାହାଣୀର ବୋରିଂ କଣ୍ଟେଣ୍ଟରୁ ବାହାରକୁ ଯାଇ ନିର୍ମାଣ ହୋଇଛି ଫିଲ୍ମ ଦମନ। ଦୁର୍ଗମ ଅଞ୍ଚଳର ଦେବଦୂତଙ୍କ କାହାଣୀ। ନଭେମ୍ବର ୪ରେ ରିଲିଜ୍ ହୋଇଥିବା ଏ ନିଚ୍ଛକ କାହାଣୀକୁ ଢେର୍ ଭଲ ପାଇବା ଦେଇଥିଲେ ଦର୍ଶକ। ହଲରେ ଲାଗିଥିଲା ଦର୍ଶକଙ୍କ ଗହଳି,ଅନଲାଇନ୍ ବୁକିଂରେ ଲାଗିଥିଲା ହାଉସ ଫୁଲର ଟ୍ୟାଗ୍। ଏପରିକି ହିନ୍ଦୀ ଫିଲ୍ମ କାନ୍ତାରା, ଦ୍ରିଶ୍ୟମ୍ ଆଦିକୁ imdb ରେଟିଂରେ କଡ଼ା ଟକ୍କର ଦେଇଥିଲା ଦମନ। ଓଡ଼ିଆ ସିନେମାରେ ଏହା ଭିନ୍ନ ଏକ ଧାରା ଆଣିଦେଇଥିଲା।ଏ ଫିଲ୍ମକୁ ନେଇ ଦେଖିବାକୁ ମିଳିଥିଲା ନିଆରା ଉତ୍ସାହ।

ରିୟଲ ଇଭେଣ୍ଟକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମକୁ ସାରା ଭାରତ ଦେଖିବ। ୟାକୁ ନେଇ ଏବେ ବଲିଉଡରେ ମଧ୍ୟ ଏକ ନୁଆ ସେନ୍ସେସନ୍। ଦମନର ଉତ୍ସାହ କେବଳ ଓଡ଼ିଶାରେ ଅଟକିନି, ବଲିଉଡ ହିରୋ ଅଜୟ ଦେବଗନ୍ ମଧ୍ୟ ଏହାର ପୋଷ୍ଟ ସେୟାର କରିଛନ୍ତି। ପାନାରୋମା ଷ୍ଟୁଡିଓ ତରଫରୁ ଜାରି ହୋଇଛି ଟ୍ରେଲର ଭିଡିଓ। ଫେବୃୟାରୀ ୩ରେ ଏହାର ହିନ୍ଦୀ ଭର୍ସନ୍ ରିଲିଜ୍ ହେବାକୁ ଯାଉଛି। ଓଲିଉଡ ପରି ବଲିଉଡରେ ମଧ୍ୟ ଏ ଫିଲ୍ମକୁ ନେଇ ପ୍ରବଳ ଆଗ୍ରହ। ଟ୍ରୁ ଇଭେଣ୍ଟକୁ ନେଇ ଏ ଫିଲ୍ମ ତିଆରି ହୋଇଛି। ଦେଶବ୍ୟାପୀ ଏ କାହାଣୀ ସମସ୍ତଙ୍କୁ ବେଶ୍ ଛୁଇଁବ ବୋଲି ଆଶା କରା ଯାଉଛି। ଓଡ଼ିଆ ଫିଲ୍ମ ପ୍ରତିକ୍ଷା ମଧ୍ୟ ରିମେକ୍ ହେବାକୁ ଯାଉଛି। ଫେମସ୍ ଆକ୍ଟର ଅନୁପମ ଖେର୍ ଏ ଫିଲ୍ମ ରିମେକକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି। ପ୍ରତିକ୍ଷା ଏବଂ ଦମନ କେବଳ ଓଲିଉଡ ନୁହିଁ ବରଂ ବଲିଉଡ଼ରେ ମଧ୍ୟ ନିଆରା ରେକର୍ଡ କରିବ ବେଲି ଅନୁମାନ କରାଯାଉଛି।କପି ପେଷ୍ଟ ଷ୍ଟୋରୀରେ ପେଶି ହୋଇ ଯାଇଥିବା ଓଡ଼ିଆ ସିନେମା ଏବେ ମୋଡ଼ ବଦଳାଇବା ସହ ସେହି ପୁରୁଣା ଭଲ ପାଇବା ସାଉଁଟିବାରେ ସଫଳ ହୋଇଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us