ବିଜୟ ମହାନ୍ତି-ଅଜିତ ଦାସଙ୍କ ଶୂନ୍ୟତାକୁ କଣ ଦୀପନ୍ୱିତ କରି ପାରିବେ ପୂରଣ?

ଆଛା ବ୍ୟାସେ ଆଉ ଥରେ ନୂଆ ରେବତୀଟେ ଲେଖିପାରିବ ? ତୁମକୁ ଶୁଭୁନି ! ଶୁଭୁଛି ଯଦି ତୁମର କାନ କାଇଁ ଫାଟି ଯାଉନି! ବ୍ୟାସେ ଶୁଣୁଛ ? କିଛିଦିନ ତଳେ ବେଶ୍ ଚର୍ଚ୍ଚା ହୋଇଥିଲା ଏଭଳି ଏକ ସଟ୍ ଫିଲ୍ମକୁ ନେଇ। ଗୋଟିଏ ହାତରେ କଲର ସ୍ପ୍ରେ ବଟଲ୍, ଅନ୍ୟ ହାତରେ ରଙ୍ଗତୁଳି ଧରି ପାଦର ଠକ୍ ଠକ୍ ଶବ୍ଦ ତାଳ ମଧ୍ୟରେ ସୁନ୍ଦର ସଂଳାପ। ନିଜର କୋହ ବଖାଣି ଓଡ଼ିଆତ୍ୱକୁ ଜଗାଇବାକୁ ପ୍ରୟାସ କରିଛନ୍ତି ଲେଖକ ସୁମିତ ପଣ୍ଡା ଏବଂ ଯୁବ ଅଭିନେତା ଦୀପନ୍ୱିତ ଦାଶ ମହାପାତ୍ର। ୧୨ ମିନିଟ୍ ୧୧ ସେକେଣ୍ଡର ଭିଡିଓରେ ଛାଇ ଯାଇଛନ୍ତି ଦୀପନ୍ୱିତ । ବ୍ୟାସେ ଶୁଣୁଛ ଭଳି ଭିନ୍ନ ପ୍ରୟାସ, ଓଡ଼ିଆ ସିନେମାର ଦିଗ ବଦଳାଇବାରେ ନିଶ୍ଚିତ ମାଇଲଖୁଣ୍ଟ ହେବ।

ଭୁଲ ଯେବେ କାହାର ହୁଏ ,ଲୁଚିଲୁଚି ଜଣେ ସୁଧାରି ନିଏ
ନବେ ଦଶକ ଯାଏଁ ଦର୍ଶକଙ୍କୁ ବାନ୍ଧି ରଖି ପାରୁଥିବା ଓଡ଼ିଆ ସିନେମାକୁ ସମୟକ୍ରମେ ହଲ୍ ମିଳିବାରେ ସମସ୍ୟା ଦେଖା ଗଲା। କାରଣ ଓଡ଼ିଆ ସିନେମାରେ ଲାଗିଲା କପି ଷ୍ଟୋରୀର କଳଙ୍କ। ଭଲ କଣ୍ଟେଣ୍ଟର ଅଭାବ ଯୋଗୁ ଦର୍ଶକ ଧିରେଧିରେ ଓଡ଼ିଆ ସିନେମାକୁ ମୁହଁ ମୋଡିଲେ। କିନ୍ତୁ ଏବେ ଇତିହାସ ପୁଣି କଡ଼ ଲେଉଟାଇଛି। ଦମଦାର କଣ୍ଟେଣ୍ଟ ସାଙ୍ଗକୁ ଚମତ୍କାର ଅଭିନୟ, ଦର୍ଶକଙ୍କୁ ଓଡ଼ିଆ ସିନେମା ମୁହାଁ କରାଇଛି।ଫିଲ୍ମ ଦମନକୁ ଲୋକପ୍ରିୟତା ମିଳିବା ପରେ ମଧ୍ୟବିତ୍ତ ପରିବାରରର ଜୀବନଶୈଳୀ ଓ ସଂଘର୍ଷ ଆଧାରିତ ଫିଲ୍ମ ପ୍ରତୀକ୍ଷା ବେଶ୍ ଲୋକପ୍ରିୟତା ସାଉଁଟିଛି। ଏହି ଦୁଇଟି ସଫଳ ଓଡ଼ିଆ ସିନେମାରେ ନିଖୁଣ ଅଭିନୟ କରିଥବା ଦୀପନ୍ୱିତ ଏବେ ସାଜିଛନ୍ତି ମିଡିଆ ସେନ୍ସେସନ୍।

ଅଭିନୟରେ କେବେ ବ୍ୟାସଙ୍କୁ କଲମ ଦେଇ ନୁଆ ରେବତୀ ଲେଖିବାକୁ ଆହ୍ୱାନ କରିଛନ୍ତି ତ ପୁଣି କେବେ ପରିବାରର ବୋଝରେ ସମୟ ଓ ଆକାଶକୁ ଏକା ଚାଲିବାର ଉପାୟ ପଚାରିଛନ୍ତି କାହାଣୀ ପ୍ରତୀକ୍ଷାରେ । ବଲିଉଡ୍ ଅଭିନେତା ଅପନୁପମ୍ ଖେର୍ ପ୍ରତୀକ୍ଷାର ରିମେକ୍ କରିବାକୁ ବି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଦୀପନ୍ୱିତ କ୍ଷଣିକା ଦ ଲାଷ୍ଟ ଆଇଡିଆ, ମାଟିମୁହଁ, ରୟାଲ୍ସ ପରି କ୍ଷୁଦ୍ର ଚଳଚ୍ଚିତ୍ରରେ ଆସିଥିଲେ। ରାବଣପୋଡି, ଟିକେ ସତ ଟିକେ ମିଛ ୱେବ୍ ସିରିଜରେ ମଧ୍ୟ ଦୀପନ୍ୱିତଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ସମୟକ୍ରମେ ତ ଜଣେ ପରିପକ୍ୱ ଅଭିନେତା ହୋଇଯିବେ, କିନ୍ତୁ ଓଡ଼ିଆ ସିନେମାର ଉଜ୍ୱଳ ଭବିଷ୍ୟତ ପାଇଁ ଦମଦାର କଣ୍ଟେଟର ମଧ୍ୟ ଆବଶ୍ୟକତା ରହିଛି।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା
Connect With Us