୨୦୨୨ ନଭେମ୍ବର ୪ ରେ ଓଡ଼ିଆ ସିନେମାରେ ଯୋଡ଼ି ହୋଇଥିଲା ଏକ ନୁଆ ଅଧ୍ୟାୟ। ସତ୍ୟ ଘଟଣା ଉପରେ ଆଧାରିତ ଜଣେ କର୍ତ୍ତବ୍ୟନିଷ୍ଠ ଡ଼ାକ୍ତରଙ୍କ କାହାଣୀକୁ ନେଇ ତିଆରି ହୋଇଥିଲା ଫିଲ୍ମ ‘ଦମନ’। ରିଲିଜ୍ ହୋଇଥିବା ଏ ନିଚ୍ଛକ କାହାଣୀକୁ ଦର୍ଶକ ଢେର୍ ଭଲ ପାଇବା ଦେଇଥିଲେ। ଏପରିକି ହିନ୍ଦୀ ଫିଲ୍ମ କାନ୍ତାରା, ଦ୍ରିଶ୍ୟମ୍ ଆଦିକୁ imdb ରେଟିଂରେ କଡ଼ା ଟକ୍କର ଦେଇଥିଲା ଏ ଫିଲ୍ମକୁ ନେଇ ଦେଖିବାକୁ ମିଳିଥିଲା ନିଆରା ଉତ୍ସାହ। ସବୁଠୁ ବଡ଼ କଥା ହେଉଛି ଏହାର ଲୋକପ୍ରିୟତା ଯୋଗୁଁ ଏହା ବଲିଉଡ଼ରେ ପାଦ ଥାପିଛି। JP Motion Picture ବ୍ୟାନରରେ ଏହାକୁ ହିନ୍ଦୀ ଭାଷାରେ ଡ଼ବିଂ କରାଯାଇଛି।
ଓଲିଉଡ଼ରୁ ବଲିଉଡ଼,୪୩ରୁ ୫୦୦
ରିୟଲ ଇଭେଣ୍ଟକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମ ଏବେ କେବଳ ଓଡ଼ିଶା ନୁହେଁ ବରଂ ରାଜ୍ୟ ବାହାରେ ବି ରେକର୍ଡ କରିବାକୁ ଯାଉଛି। ରାଜ୍ୟରେ ୪୩ ଟି ଫିଲ୍ମ ହଲ ଓ ଦେଶର ୬ଟି ପ୍ରମୁଖ ସହରରେ ଦମନ ରିଲିଜ ହୋଇଥିଲା। ଏବେ ସାରା ଦେଶ ଦମନ ଦେଖିବାକୁ ଯାଉଛି। ଦମନର ହିନ୍ଦୀ ଡବିଂ ମୁଭି ୫୦୦ ଟି ହଲରେ ରିଲିଜ ହୋଇଛି। କାହାଣୀର ଡ଼ିରେକ୍ସନ ଦେଇଛନ୍ତି ବିଶାଳ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ଡ଼ିଓପିରେ ପ୍ରତାପ ରାଉତ,ସଙ୍ଗୀତରେ ଗୌରବ ଆନନ୍ଦ ନିଜ ପାରଦର୍ଶିତା ଦେଖାଇଥିଲା ବେଳେ ଦେବୀ ପ୍ରସାଦ ଲେଙ୍କା ଏଡ଼ିଟିଂ ଓ ଦିବ୍ୟଜିତ୍ ସାହୁ ଗୀତ ରଚନା କରିଛନ୍ତି।
ରେକର୍ଡ କରିବ ଦମନ
‘ଦମନ’ର ଉତ୍ସାହ କେବଳ ଓଡ଼ିଶାରେ ଅଟକିନି,ବଲିଉଡ ହିରୋ ଅଜୟ ଦେବଗନ୍,ଫିଲ୍ମ କ୍ରିଟିକ୍ସ ତରନ ଆଦର୍ଶ ପ୍ରମୁଖ ଏହାର ପ୍ରଶଂସା କରିଛନ୍ତି। ପାନାରୋମା ଷ୍ଟୁଡିଓ ତରଫରୁ ଜାରି ହୋଇଥିବା ଟ୍ରେଲର ଭିଡିଓକୁ ଖୁବ୍ ଭଲ ପାଇବା ମିଳିଛି। ଦେଶବ୍ୟାପୀ ଏ କାହାଣୀ ସମସ୍ତଙ୍କୁ ବେଶ୍ ଛୁଇଁବ ବୋଲି ଆଶା କରା ଯାଉଛି। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ imdb ରେଟିଂରେ ୯.୭ ପାଇ RRR ଓ KGF 2 କୁ ପଛରେ ପକାଇଥିବା ଏ ଫିଲ୍ମ ହିନ୍ଦୀରେ ବି ସେମିତି ରେକର୍ଡ଼ କରିବ ବୋଲି ଅନୁମାନ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା