ବିଭିନ୍ନ ପ୍ରକାରର ସଙ୍କଟ ଭିତରେ ବର୍ତ୍ତମାନ ଓଡିଶାରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ସାମ୍ନାକୁ ଆସିଛି। ରାଜ୍ୟର ସ୍ୱାସ୍ଥ୍ୟ ଅବସ୍ଥାକୁ ଅନୁଧ୍ୟାନ କଲେ ଏହାର ସ୍ଥିତି ସଙ୍ଗୀନ ରହିଥିବାର ସ୍ପଷ୍ଟ ହେଉଛି। ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ଉତ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଓଡିଶାରୁ ଖୁବ୍ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଡାକ୍ତରୀ ପାସ୍ କରିବା ହେତୁ ଆବଶ୍ୟକ ପରିମାଣର ଡାକ୍ତର ନିଯୁକ୍ତି କରିବାରେ ରାଜ୍ୟ ଫେଲ ମାରିଛି। ଫଳରେ ବର୍ଦ୍ଧିତ ଜନସଂଖ୍ୟା ଅନୁଯାୟୀ ଡାକ୍ତର ନିଯୁକ୍ତି ହୋଇ ନ ପାରିବା ହେତୁ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି। ଯାହା ରାଜ୍ୟର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

ଜାତୀୟ ହାରଠାରୁ ଖୁବ୍ ପଛରେ ଓଡିଶା,ଆହୁରି ଦରକାର୧୯୦୦୦ ଡାକ୍ତର
ଜାତୀୟ ହାରକୁ ଅନୁଧ୍ୟାନ କଲେ ଓଡିଶା ଖୁବ୍ ପଛରେ ରହିଯାଇଥିବା ସ୍ପଷ୍ଟ ହୁଏ।ଦେଶରେ ପ୍ରତି ୧୦୮୦ ଜଣଙ୍କ ହିସାବରେ ଜଣେ ଡାକ୍ତର କାମ କରୁଥିଲା ବେଳେ ଓଡିଶାରେ ୨୦୦୦ରୁ ବି ଉର୍ଦ୍ଧ୍ୱ ଲୋକଙ୍କ ଠାରୁ ଅଧିକ ଲୋକଙ୍କ ପାଇଁ ଜରେ ଲେଖାଏଁ ଡାକ୍ତର ନିଯୁକ୍ତ ହୋଇଛନ୍ତି। ଯାହାକି ଜାତୟ ଅନୁପାତଠାରୁ ଖୁବ୍ ପଛରେ। ଜାତୀୟ ଅନୁପାତ ସହ ସମାନ ହେବାକୁ ହେଲେ ୪୬୦୦୦ ଡାକ୍ତରଙ୍କ ଆବଶ୍ୟକତା ରହିଛି। ମାତ୍ର ଆମ ରାଜ୍ୟରେ ସରକାରୀ ଓ ବେସରକାରୀ ସ୍ତରରେ ମାତ୍ର ୧୭୦୦୦ ଡାକ୍ତର ନିଯୁକ୍ତି ପାଇଛନ୍ତି। ଜାତୀୟହାର ସହିତ ସମାନ ହେବା ପାଇଁ ୧୯୦୦୦ ଡାକ୍ତରଙ୍କ ଅଭାବ ରହିଛି। ଲୋକସଂଖ୍ୟା ଅନୁପାତରେ ଡାକ୍ତରଙ୍କ ସଂଖ୍ୟା କମ୍ ଥିବା ହେତୁ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି।
ବର୍ଷକୁ ପୁରୁନି ଦେଢ଼ ହଜାର
ଡାକ୍ତର ତିଆରିରେ ଓଡ଼ିଶା ଖୁବ୍ ପଛରେ ରହିଯାଇଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଡାକ୍ତରୀ ଛାତ୍ରଙ୍କ ପାସ୍ ହାର ଖୁବ୍ କମ୍ ରହିଛି। ତାମିଲନାଡୁ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ପ୍ରତିବର୍ଷ ୧୦ ହଜାରରୁ ଉର୍ଦ୍ଧ୍ୱ ଡାକ୍ତରୀ ଛାତ୍ର ପାସ୍ କରୁଥିଲାବେଳେ ଓଡ଼ିଶାରେ ଏହି ସଂଖ୍ୟା ୧୦୦୦ ରେ ସୀମିତ ରହିଛି। ପାସର ହାର ଯଦି ଏତେ ନିମ୍ନ ଗାମୀ ରୁହେ ତେବେ ପ୍ରତିଯୋଗୀତାରେ ଓଡ଼ିଶା ଖୁବ୍ ପଛରେ ରହିବା ସ୍ପଷ୍ଟ ହେଉଛି।

କେବେ ସଳଖିବ ସ୍ୱାସ୍ଥ୍ୟ ବିଭାଗର ଅଣ୍ଟା
ସ୍ୱାସ୍ଥ୍ୟ ବିଭାଗରେ ସୁଧାର ବର୍ତ୍ତମାନ ରାଜ୍ୟ ପାଇଁ ଏକ ପ୍ରମୁଖ ଆବଶ୍ୟକତା। ରାଜ୍ୟରୁ ଡାକ୍ତରୀ ସମସ୍ୟା ଦୂରୀକରଣ ବର୍ତ୍ତମାନ ସରକାରଙ୍କ ପାଇଁ ଏକ ଆହ୍ୱାନ। ଆଗରୁ ରାଜ୍ୟରେ ଏତେ ସଂଖ୍ୟକ ମେଡିକାଲ କଲେଜ ନଥିଲା। ଯଦିଓ ରାଜ୍ୟରେ ଏବେ ପାଖାପାଖି ୧୪ଟି ମେଡିକାଲ କଲେଜ୍ ରହିଛି, ସବୁତକ ସମ୍ପୁର୍ଣ୍ଣ ରୁପେ କାର୍ଯ୍ୟକାରୀ ହୋଇନାହିଁ। ରାଜ୍ୟରେ ଅଖିକରୁ ଅଧିକ ମେଡିକାଲ କଲେଜ ସ୍ଥାପନ ସହିତ ଭିତ୍ତିଭୁମିରେ ସୁଧାର ଆଣିଲେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଏ ଶିକ୍ଷା ପ୍ରତି ଆକୃଷ୍ଟ ହେବେ। ଅଧିକ ସଂଖ୍ୟକ ପିଲା ଡାକ୍ତରୀ ପାସ କଲେ ରାଜ୍ୟରେ ଡାକ୍ତର ଅଭାବଜନିତ ସମସ୍ୟା ରହିବ ନାହିଁ।