ନ୍ୟୁଜ୍/ ପଲିଟିକ୍ସ

ପ୍ରତିଦ୍ୱନ୍ଦ୍ୱୀ ଚିହ୍ନି ପାରିଲେନି:BJP ବଦଳରେ ଆଞ୍ଚଳିକ ଦଳକୁ ଟାର୍ଗେଟ କରୁଥିଲେ ରାହୁଲ

୧୯ଜୁନ ହେଉଛି ରାହୁଲ ଗାନ୍ଧିଙ୍କ ଜନ୍ମ ଦିନ।୨୦୦୪ରେ ଆମେଥିରୁ ଲୋକସଭାରେ ପହଞ୍ଚିଥିବା ରାହୁଲ କଂଗ୍ରେସର ସାଧାରଣ ସମ୍ପାଦକରୁ ଉପାଧ୍ୟକ୍ଷ ହୋଇ ଏବେ ଅଧ୍ୟକ୍ଷ।କ୍ୟାରିୟର ଆରମ୍ଭରୁ ରାହୁଲ ନିଜର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚିହ୍ନିବାରେ ଭୁଲ କରିଛନ୍ତି।କାରଣ ରାହୁଲଙ୍କୁ ଘେରି ରହିଛନ୍ତି କିଛି ତୋଷାମଦିଆ।ବାସ୍ତବରେ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଲୋକସମ୍ପର୍କ ନଥିବା ଅନେକ ନେତା ଅଛନ୍ତି।ପୂର୍ବତନ ପ୍ରଶାସକ,ଓକିଲ ଏବଂ କିଛି ସାମ୍ବାଦିକିତା ପେଶାରୁ ଆସିଥିବା ନେତାଙ୍କର ଗାନ୍ଧି ପରିବାର ପ୍ରତି ଆନୁଗତ୍ୟ ଯୋଗୁ ଏବେ ସେମାନେ କଂଗ୍ରେସ ଦଳରେ ଉଚ୍ଚ ପଦରେ ବସିଛନ୍ତି।ଯେଉଁମାନଙ୍କ ମୁଖ୍ୟ କାମ ହେଉଛି ନିଜ ଲୋକଙ୍କୁ ବିଭିନ୍ନ ପ୍ରଦେଶରେ ମୁଖ୍ୟମନ୍ତ୍ରୀ କରାଇବା ବା କଂଗ୍ରେସ ଦଳରେ ବଡ଼ ପଦରେ ବସାଇବା।ସେହି ସିଣ୍ଡିକେଟ୍ ଯୋଗୁ ରାହୁଲ ଗୋଟିଏ ପରେ ଗୋଟେ ଭୁଲ କରି ଚାଲିଛନ୍ତି।

ଟାର୍ଗେଟରେ ରହିଲେ ଉପା ସରକାରର ଅଂଶୀଦାର
ଆରମ୍ଭରୁ ବିରୋଧିଙ୍କ ସହ ସହଯୋଗୀଙ୍କୁ ସେ ଟାର୍ଗେଟ କରିଛନ୍ତି।ରାହୁଲଙ୍କ ପ୍ରଥମେ ଟାର୍ଗେଟେ ଆସିଥିଲେ ଆଞ୍ଜଳିକ ଦଳ।କଂଗ୍ରେସ ଯୁବରାଜଙ୍କ ରଣନୀତି ଯୋଗୁ କେବେ ଉପା ସରକାରକୁ ସମର୍ଥନ ଦେଉଥିବା ଦଳଗୁଡିକ ଅସୁବିଧାରେ ପଡିଲେ।ବିଶେଷ କରି ସମାଜବାଦି ପାର୍ଟି,ବିଏସପି,ଆରଜେଡି,ଏଲଜେପି ଏପରିକି ନ୍ୟାସନାଲ କନଫରେନ୍ସ ପରି କଂଗ୍ରେସ ଫ୍ରେଣ୍ଡଲି ଦଳ ଗୁଡିକ,ରାହୁଲଙ୍କ ନୀତିରେ ପ୍ରଭାବିତ ହେଲେ।ରାହୁଲ ଭାବିଲେ ଆଞ୍ଚଳିକ ଦଳର ଭୋଟ ବ୍ୟାଙ୍କ ଏକଦା କଂଗ୍ରେସ ସହ ଯୋଡି ହୋଇଥିଲା।ଯଦି ଆଞ୍ଚଳିକ ଦଳ ଦୁର୍ବଳ ହେବେ,ସେହି ଭୋଟରମାନେ କଂଗ୍ରେସ ଉପରେ ପୁଣି ଆସ୍ଥା ପ୍ରକଟ କରିବେ।କିନ୍ତୁ ରାହୁଲଙ୍କ ଥିଙ୍କଟ୍ୟାଙ୍କର ଭାବିଲେ ନାହିଁ ଯେ ଆଞ୍ଚଳିକ ଦଳ ଭୋଟ ବ୍ୟାଙ୍କ ଭାଙ୍ଗିଲେ ବିଜେପି ସେଥିରୁ ଫାଇଦା ନେଇପାରେ।୨୦୧୪ ଓ ୨୦୧୯ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେଲା ଯେ ଆଞ୍ଚଳିକ ଦଳର ଭୋଟ ବ୍ୟାଙ୍କର ବଡ଼ ଅଂଶ ବିଜେପି ନିକଟକୁ ଗଲା।
ରାହୁଲଙ୍କ ଟାର୍ଗେଟରେ ନଥିଲା ବିଜେପି ଶାସିତ ରାଜ୍ୟ
କେନ୍ଦ୍ରରେ ବିଜେପି ସରକାର ଆସିବା ଆଗରୁ ବିଜେପି ଶାସିତ ରାଜ୍ୟରେ କେବେବି ଆନ୍ଦୋଳନ କଲେ ନାହିଁ ରାହୁଲ।ବରଂ ଆଞ୍ଚଳିକ ଦଳ ସରକାର ଥିବା ରାଜ୍ୟରେ ରାହୁଲଙ୍କ ବିକ୍ଷୋଭ ଓ ରାଲି ହୋଇଥିଲା।ଯେପରି ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ଉତ୍ତର ପ୍ରଦେଶ ଭଟ୍ଟାରେ ରାହୁଲ ଆନ୍ଦୋଳନ କରିବା ବେଳେ ସେଠାରେ ମାୟାବତୀ ସରକାର ଥିଲା।ଆନ୍ଦୋଳନକୁ ନେଇ ରାହୁଲଙ୍କୁ ୟୁପି ପୋଲିସ ଗିରଫ କରିଥିଲା।ଏଥିରେ ଉତକ୍ଷିପ୍ତ ହୋଇ କଂଗ୍ରେସର ତତ୍କାଳୀନ ସାଧାରଣ ସମ୍ପାଦକ ଜନାର୍ଦ୍ଦନ ଦ୍ୱିବେଦୀ କହିଥିଲେ ରାହୁଲଙ୍କୁ ଗିରଫ କରି ମାୟାବତୀ ସରକାର ନିଜ ପାଇଁ ଗାତ ଖୋଳିଲେ।ସେଇଆ ମଧ୍ୟ ହେଲା,ୟୁପିରୁ ବିଏସପି ସରକାର ଗଲା।କିନ୍ତୁ ଏହାର ଫାଇଦା କଂଗ୍ରେସ ପାଇଲା ନାହିଁ।

ଲାଲୁଙ୍କ ନିର୍ବାଚନ ଲଢ଼ିବାର ବାଟ ବନ୍ଦ କଲେ
ଉପା ସରକାର-2କୁ ସମର୍ଥନ ଦେଉଥିବା ଆରଜେଡି,ଏସପି,ବିଏସପି ପରି ଦଳଙ୍କୁ ସରକାରରେ ସାମିଲ ହେବାକୁ ଆମନ୍ତ୍ରଣ କଲେ ନାହିଁ।ଅପରପକ୍ଷରେ ସେହି ଦଳ କିପରି ଦୁର୍ବଳ ହେବେ ସେଥିରେ ଲାଗି ପଡିଲେ ରାହୁଲ।ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ନିର୍ବାଚନ ଲଢ଼ିବାକୁ ଲାଲୁ ପ୍ରସାଦ ଯାଦବ ଅଯୋଗ୍ୟ ହୋଇଗଲେ।ସେ ସମୟରେ ଲାଲୁଙ୍କୁ ବଞ୍ଚାଇବାକୁ ମନମୋହନ ସିଂ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଅକାମି କରିବାକୁ ଅଧ୍ୟାଦେଶ ଆଣିଥିଲେ।କାରଣ ମନମୋହନ ସିଂ ଜାଣିଥିଲେ ଯେ ଲାଲୁ ନିର୍ବାଚନ ନଲଢ଼ିଲେ,ବିହାର ରାଜନୀତି ଗୋଳମାଳ ହୋଇଯିବ।ହେଲେ କେନ୍ଦ୍ର ସରକାରଙ୍କ ସେହି ଅଧ୍ୟାଦେଶକୁ ଚିରି ଦେଇଥିଲେ ରାହୁଲ।ଯାହାର ପରିଣତି ବିହାର କଂଗ୍ରେସ ଏବେ ଭୋଗୁଛି।ଲାଲୁଙ୍କ ଆରଜେଡି ଦୁର୍ବଳ ହେବାର ଫାଇଦା କଂଗ୍ରେସ ନୁହେଁ ବିଜେପି ନିକଟକୁ ଗଲା।ସଂଗଠନକୁ ନୁହେଁ ଆନୁଗତ୍ୟକୁ ପ୍ରାଧାନ୍ୟ
ରାହୁଲଙ୍କ ପ୍ରଫେସନାଲ ସମ୍ପର୍କ ଉପରେ ବ୍ୟକ୍ତିଗତ ସମ୍ପର୍କ ଭାରି ପଡୁଥିଲା।ଯେପରି ଆସାମର ହିମନ୍ତ ବିଶ୍ୱଶର୍ମାଙ୍କ ସହ ରାହୁଲଙ୍କ ବ୍ୟବହାର।ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କ ସହ ବ୍ୟକ୍ତିଗତ ସମ୍ପର୍କ କାରଣରୁ ହିମନ୍ତ  ଓ ତାଙ୍କ ସମର୍ଥକ ବିଧାୟକଙ୍କୁ ଦେଖା ଦେଇନଥିଲେ ରାହୁଲ।ଫଳରେ ହିମନ୍ତ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ।ଯାହାର ପ୍ରଭାବରେ ଉତ୍ତର ପୂର୍ବାଞ୍ଚଳରେ କଂଗ୍ରେସ ମୂଳପୋଛ ହୋଇଗଲା।
ହରିଆନରେ ମଧ୍ୟ ସେହିଭଳି ଭୁଲ କରିଥିଲେ ରାହୁଲ।ଭଜନଲାଲଙ୍କ ନେତୃତ୍ୱରେ ହରିଆନ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲେ ମଧ୍ୟ ଜାଠ୍ ନେତା ଭୂପିନ୍ଦର ସିଂ ହୁଡ୍ଡାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ ରାହୁଲ।ଫଳରେ ପରବର୍ତ୍ତି ସମୟରେ ବୀରେନ୍ଦ୍ର ସିଂ ଓ ରାଓ ଇନ୍ଦ୍ରଜିତ ସିଂଙ୍କ ପରି ବଡ଼ ନେତା କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଗଲେ।କେବେ କଂଗ୍ରେସର ଗଡ଼ ଥିବା ହରିଆନରେ ବର୍ତ୍ତମାନ ହାତ ଦଳର ସ୍ଥାନ ନାହିଁ।ଆନ୍ଧ୍ରପ୍ରଦେଶରେ ମଧ୍ୟ ସମାନ ଅବସ୍ଥା।ଉଚ୍ଚ ଆଶା ରଖୁଥିବା ଜଗନମୋହନଙ୍କୁ ସବୁବେଳେ ଦୂରେଇ ରଖିଲେ ରାହୁଲ।ଆନ୍ଧ୍ରରେ କଂଗ୍ରେସକୁ ଶାସନ ଗାଦିକୁ ଫେରାଇ ଆଣିଥିବା ୟ୍ୱାଇଏସଆରଙ୍କ ପୁଅ ଜଗନ ମୋହନଙ୍କୁ ରାହୁଲଙ୍କ ସିଣ୍ଡିକେଟ୍ ସବୁବେଳେ ଟାର୍ଗେଟ କରୁଥିଲା।
ଲେଖା-ଦେବେନ୍ଦ୍ର ନାୟକ

You Might Also Like

No Comments

Leave a Reply