ଓଡ଼ିଆ ଫିଲ୍ମକୁ ନେଇ ଏକ ବଡ଼ ସତ ସାମ୍ନାକୁ ଆସିଛି। ଦୁର୍ଦ୍ଦିନରେ ରହିଛି ଓଡ଼ିଆ ସିନେମା। ଆନ୍ତର୍ଯାତିକ ଚଳଚ୍ଚିତ୍ର ଦିବସ ଅବସରରେ ଟିକେଟର ମୁଲ୍ୟ ହ୍ରାସ କରାଯାଇଛି। ଓଡ଼ିଶା ସାରା ସବୁ ଫିଲ୍ମ ହଲରେ ଏ ରିହାତି ବ୍ୟବସ୍ଥା ମଧ୍ୟ ଉପଲବ୍ଧ ଅଛି । ସବୁଠାରୁ ବଡ ପ୍ରସଙ୍ଗ ହେଉଛି ରିହାତି ବ୍ୟବସ୍ଥା ଉପଲବ୍ଧ ଥିବା ସତ୍ତ୍ୱେ ମଧ୍ୟ ଓଡ଼ିଆ ସିନେମା ଏଥିରେ ଅନ୍ତର୍ଭୁକ୍ତ ହୋଇନାହିଁ। ଓଡ଼ିଆ ସିନେମା ପ୍ରତି ଦର୍ଶକ ମୁହଁ ଫେରାଉଥିବାର ଚିତ୍ର ସାମ୍ନାକୁ ଆସୁଛି। ଅନ୍ୟ ଭାଷାର  ଫିଲ୍ମ ଦେଖିବାକୁ ଭିଡ ଜମୁଥିଲା ବେଳେ ଓଡ଼ିଆ ସିନେମା ପ୍ରତି ଦର୍ଶକଙ୍କର  ବୀତସ୍ପୃହତା ମନୋଭାବ ରହୁଛି। ବହୁ ଦର୍ଶକ ଓଡ଼ିଆ ସିନାମକୁ ନେଇ ନକାରାତ୍ମକ ମତ ମଧ୍ୟ ରଖିଚନ୍ତି। ଓଡ଼ିଆ ଫିଲ୍ମର ଚାହିଦା କମୁଥିବାରୁ ହଲ୍ ମାଲିକ ମଧ୍ୟ ଓଡ଼ିଆ ସିନେମା ହଲରେ ପକାଇବାକୁ ସହଜରେ ରାଜି ହେଉ ନାହାନ୍ତି।

ଓଡ଼ିଆ ଫିଲ୍ମକୁ ମିଳୁନି ହଲ:ମୁହଁ ଫେରାଉଛନ୍ତି ଦର୍ଶକ
ଓଡ଼ିଆ ଫିଲ୍ମର ମାନକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ। ଗୋଟାଏ ଦଶନ୍ଧି ତଳେ ନାନା ପ୍ରକାରର ଅସୁବିଧା ସତ୍ତ୍ୱେ ମଧ୍ୟ ଲୋକ ଓଡ଼ିଆ ସିନେମାକୁ ଅଜସ୍ର ଭଲପାଇବା ଦେଇଛନ୍ତି। ମାତ୍ର ବର୍ତ୍ତମାନ ସମୟରେ ଏତେ ସବୁ ସୁବିଧା ସୁଯୋଗ ସତ୍ତ୍ୱେ ମଧ୍ୟ ଓଡ଼ିଆ ସିନେମାର ଭବିଷ୍ୟତ ଅନ୍ଧାରରେ ବୋଲି ଅନୁମାନ କରାଯାଉଛି। ଏପରିକି ଚଳଚ୍ଚିତ୍ରଟିର ମୁକ୍ତିଲାଭ ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡୁଛି। ଓଡ଼ିଆ ଫିଲ୍ମକୁ ହଲ୍ ମଧ୍ୟ ମିଳୁନାହିଁ। ବିତରଣକାରୀ ସଂସ୍ଥା ଅନ୍ୟ ଫିଲ୍ମକୁ ପ୍ରୋତ୍ସାହନ ଦେଉଥିଲା ବେଳେ ଓଡ଼ିଆ ଫିଲ୍ମ ପଛରେ ରହିଯାଇଛି। ଦର୍ଶକଙ୍କ ଡିମାଣ୍ଡ କମୁଥିବାରୁ ହଲ୍ ମାଲିକ ମଧ୍ୟ ଫିଲ୍ମ ପକାଇବାକୁ ଅରାଜି ହେଉଛନ୍ତି। ଯଦି ଏଭଳି ପରିସ୍ଥିତି ବଳବତ୍ତର ରହେ ତେବେ ଆଗକୁ ହୁଏତ ଓଡ଼ିଆ ସିନେମାର ଭବିଷ୍ୟତ ବୋଲି କିଛି ରହି ନ ପାରେ ବୋଲି ବୁଦ୍ଧିଜୀବି ମତ ରଖୁଛନ୍ତି। ଓଡ଼ିଆ ଫିଲ୍ମ ପ୍ରଯୋଜକ ଶ୍ରୀଧର ମାର୍ଥା ଏକ ଅଭିନବ ଉପାୟରେ ଏକ ପ୍ଳାଏ କାର୍ଡ ଧରି ଓଡ଼ିଆ ଫିଲ୍ମ ବଞ୍ଚାଇବାକୁ ଆହ୍ୱାନ୍ କରିଛନ୍ତି।

ଫିଲ୍ମ ପ୍ରଯୋଜକ ଶ୍ରୀଧର ମାର୍ଥା

କାହିଁକି ମୁହଁ ଫେରାଉଛନ୍ତି ଦର୍ଶକ:ପୁଣି ଅଣ୍ଟା ସଳଖି ପାରିବ ତ ଓଡ଼ିଆ ସିନେମା
ଧିରେଧିରେ ଓଡ଼ିଆ ଫିଲ୍ମ ପ୍ରତି ଦର୍ଶକ ମୁହଁ ଫେରେଇବା ଫିଲ୍ମ ଜଗତ ପାଇଁ ଏକ ବଡ ସଙ୍କଟ ଆଣିଛି। ସମୟ ସହିତ ତାଳ ଦେଇ ଉନ୍ନତ ଧରଣର ଫିଲ୍ମ ନିର୍ମାଣ କରିବାରେ ଓଡ଼ିଆ ଫିଲ୍ମ ପ୍ରଯୋଜକ ପଛରେ ରହିଯାଇଛନ୍ତି। ବିଶେଷତଃ କପି ଷ୍ଟୋରୀକୁ ନେଇ ଓଡ଼ିଆ ଫିଲ୍ମ ହେଉଥିବାରୁ ଦର୍ଶକମାନେ ମଧ୍ୟ ଏଥିରୁ ମୁହଁ ଫେରାଉଛନ୍ତି। ଓଡ଼ିଶାରେ ଅଧିକାଂଶ ସିନେମାରେ ଏବେ ଆଉ ନୂଆପଣ ନ ରହିବାରୁ ଦର୍ଶକ ମଧ୍ୟ ଅନାଗ୍ରହ ପ୍ରକାଶ କରୁଛନ୍ତି। କାହାଣୀରେ ଗତିଶୀଳତା ନ ରହିବା ହେତୁ ବିଶେଷତଃ ଯୁବପୀଢ଼ି ବେଶି ଅନାଗ୍ରହ ପ୍ରକାଶ କରୁଛନ୍ତି। ବର୍ତ୍ତମାନ ସମୟରେ ଓଡ଼ିଆ ସିନେମାକୁ ବଞ୍ଚାଇ ରଖିବା ଏକ ବଡ଼ ଚ୍ୟାଲେଞ୍ଜ ସାଜିଛି। ଓଡ଼ିଆ ଫିଲ୍ମ ଜଗତକୁ ବଞ୍ଚାଇବାକୁ ହେଲେ ଦର୍ଶକ ଅଣ୍ଟା ଭିନିବା ସହ ପ୍ରଜୋଯକ ମଧ୍ୟ କାହାଣୀର ମାନ ବଢ଼ାଇବା ଜରୁରୀ। ପୁଣି ଥରେ ଓଡ଼ିଆ ସିନେମା ଜଗତର ଅଣ୍ଟା ସଳଖ କରିବାକୁ ହେଲେ ପ୍ରଯୋଜକ,ଦର୍ଶକ,ହଲ୍ ମାଲିକ ସମସ୍ତେ  ମିଳିତ ପ୍ରୟାସ କରିବା ଜରୁରୀ ବୋଲି ବୁଦ୍ଧିଜୀବିଙ୍କ ମତ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା