ନୂଆ ବର୍ଷରେ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଥିଲା ଅସମ୍ଭାଳ ଭିଡ। ଅପେକ୍ଷା କରିଥିଲେ ଅନେକ ଶ୍ରଦ୍ଧାଳୁ। ମାତ୍ର ନୂଆ ତିଥିରେ ହିଁ ଉପାସ ରହିଥିଲେ ପ୍ରଭୁ ଲିଙ୍ଗରାଜ। ଭୋଗମଣ୍ଡପ ପଟେ ଜଣେ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଭିତ୍ତି କରି ୨ ସେବାୟତ ଗୋଷ୍ଠୀଙ୍କ ଭିତରେ ବିବାଦ ପାଇଁ ମନ୍ଦିରରେ ତାଲା ଝୁଲିଲା।ସମସ୍ୟାର ସମାଧାନ ହେବାକୁ ଲାଗିଗଲା ୪୮ ଘଣ୍ଟା। ଖାଡା ଉପାସରେ ରହିଲେ ଶ୍ରୀ ଲିଙ୍ଗରାଜ। ଅବଶ୍ୟ ଏମିତି କଥା ଓଡ଼ିଶାରେ କିଛି ନୂଆ ନୁହେଁ। ପୁର୍ବରୁ ମହାପ୍ରଭୂ ଶ୍ରୀ ଜଗନ୍ନାଥ ମଧ୍ୟ ଅନେକ ଥର ଉପାସ ରହିଛନ୍ତି। କୋଇଲି ବୈକୁଣ୍ଠରେ ଅମୁଣିଆ ପୋତା ହେଇଛି, ସୁଆର ସେବକଙ୍କ ସହ ଆଲୋଚନା ବିଫଳ ହୋଇଛି। ମହାପ୍ରଭୂଙ୍କ ପାଇଁ ବିଧାନ ସଭା ବନ୍ଦ ହେବାର କଳଙ୍କ ବି ଲାଗିଛି।
ଖାଲି ହେଉଛି ଶ୍ରୀମନ୍ଦିର ରାଜକୋଷ
ଚାରିଧାମ ମଧ୍ୟରୁ ପ୍ରତିଷ୍ଠିତ ଧାମ ପୁରୀରେ ବି ଅବହେଳାର ଛିଟା। ଶ୍ରୀମନ୍ଦିରରେ ଫାଟ ସୃଷ୍ଟି,ଭିତର ବେଢାର ଭିଡିଓ ଭାଇରାଲ୍,ପ୍ରଶସ୍ତିକରଣ ନାଁରେ ବିଭିନ୍ନ ମଠ ମନ୍ଦିରକୁ ମାଟିରେ ମିଶାଇଦେବା,ରୁପା ଇଟା ଚାଲାଣ,ଗର୍ଭଗୃହରେ ଶ୍ରୀ ଜୀୟୁଙ୍କ ପାଖରେ ପ୍ଲାଷ୍ଟର ଖସି ପଡିବା,ଥରକୁ ଥର ପଥର ଖସିବା, ରୋଷଘର ଚୁଲି ଭାଙ୍ଗିବା ଏବଂ ରତ୍ନ ଭଣ୍ଡାରର ଚାବି ହଜାଇଦେବା ଆଦି ଅଘଟଣର କ୍ଷେତ୍ର ପାଲଟିଛି ଶ୍ରୀକ୍ଷେତ୍ର। ଏବେ ଅବାଟରେ ଖର୍ଚ୍ଚ ହେଉଛି ଭକ୍ତଙ୍କ ଟଙ୍କା। ରଥଖଳା ଅଟକଳ ୧୫ ଲକ୍ଷ କରାଯାଇଥିବା ବେଳେ ଖର୍ଚ୍ଚ ହୋଇଛି ୧କୋଟି ୨୧ ଲକ୍ଷ ୮୧ ହଜାର ୧୬୫ ଟଙ୍କା। ସେହିଭଳି ଚନ୍ଦନ ଯାତ୍ରାରେ ବ୍ୟୟ ଅଟକଳ ୫ ଲକ୍ଷ ୫୦ ହଜାର ଥିଲାବେଳେ ୧୧ ଲକ୍ଷ ୨୮ ହଜାର ୮୫୦ ଟଙ୍କା ଏବଂ ବିମାନ ବଡୁଙ୍କ ପାଉଣା ବାବଦକୁ ୧ ଲକ୍ଷ ୬୬ ହଜାର ୨୫୦ ଟଙ୍କା ଥିବାବେଳେ ଏ ବାବଦରେ ୮ ଗୁଣ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି।୨୦୨୨ରେ ବିଭିନ୍ନ ପ୍ରସଙ୍ଗରେ ୭୬ ଲକ୍ଷ ୫୮ ହଜାର ୭୫୦ ଟଙ୍କାର ବ୍ୟୟ ବରାଦ ହୋଇଥିଲା ବେଳେ ଖର୍ଚ୍ଚ ହୋଇଛି ୫କୋଟି ୧୮ ଲକ୍ଷ ୩୫ ହଜାର ୭୮୪ ଟଙ୍କା। ଶ୍ରୀମନ୍ଦିର ପ୍ରଶାସନର ଏ ମନୋମୁଖି ନୀତି ପାଇଁ ରାଜକୋଷରୁ ୪ କୋଟି ୪୧ ଲକ୍ଷ ୭୭ ହଜାର ୩୪ ଟଙ୍କା ଅତିରିକ୍ତ ଖର୍ଚ ହୋଇଛି।
କାର୍ଯ୍ୟକ୍ରମ ବ୍ୟୟ ଅଟକଳ ଖର୍ଚ୍ଚ
ରଥଖଳା ୧୫,୦୦୦୦୦ ୧,୨୧,୮୧,୧୬୫
ଚନ୍ଦନଯାତ୍ରା ୫,୫୦,୦୦୦ ୧୧,୨୮,୮୫୦
ନୀତିକାନ୍ତି ସାମଗ୍ରୀ ୩,୭୫,୦୦୦ ୫,୦୪,୬୩୦
ସେବକଙ୍କ ଧ୍ୱଜା ପାଉଣା ୮,୭୫,୦୦୦ ୧୩,୮୩,୯୯୪
ବିମାନବଡୁ ପାଉଣା ୧,୬୬,୨୫୦ ୬,୬୪,୩୩୫
ସେବକ ବୀମା ୭୬,୭୫,୦୦ ୩,୧୦,୯୨,୪୮୦
ଇଲେକ୍ଟ୍ରି ଓ ରକ୍ଷଣାବେକ୍ଷଣ ୩୧,୨୫,୦୦୦ ୪୮,୪୭,୭୭୪
କଣ୍ଟିଜେନ୍ସି ୩,୦୦୦୦୦ ୩,୨୬,୧୧୬
ତପୋଭୂମି ଭୋଗଭୂମି ନ ହେଉ
ଐତିହ୍ୟ କରିଡର ପ୍ରସଙ୍ଗରେ ପୁରୀକୁ ଭାଟିକାନ୍ ସିଟି ଢାଞ୍ଚାର ପାଠ ପଢାଇଥିଲେ ସାଂସଦ ପିନାକୀ ମିଶ୍ର। ଏହାର ବିରୋଧରେ ସ୍ପଷ୍ଟୋକ୍ତି ରଖିଥିଲେ ଶ୍ରୀମଦ୍ ଶଙ୍କରାଚାର୍ଯ୍ୟ। ପୁରୀ ଏକ ତପୋଭୁମି ଏହା ଭୋଗଭୂମି ନ ହେଉ ଥିଲା ତାଙ୍କର ଆହ୍ୱାନ୍। ପରିସ୍ଥିତି କିନ୍ତୁ ସମ୍ପୁର୍ଣ୍ଣ ଓଲଟା। ତେବେ ନୁଆ ବର୍ଷରେ ଦୁଇଟି ଭିନ୍ନ ପ୍ରସଙ୍ଗ ଗୋଟାଏ ଜାତିର ମାନସିକତା ବଖାଣୁଛି। ତଥ୍ୟ ଅନୁଯାୟୀ ଭାରତରେ ୭୯.୮ ପ୍ରତିଶତ ହିନ୍ଦୁ,୧୪.୨ ପ୍ରତିଶତ ମୁସଲମାନ୍,୨.୩ ପ୍ରତିଶତ ଖ୍ରୀଷ୍ଟିୟାନ୍ ରହୁଥିଲା ବେଳେ ଜୈନ ଗୋଷ୍ଠୀଙ୍କ ସଂଖ୍ୟା ମାତ୍ର ୦.୪ ପ୍ରତିଶତ। କିନ୍ତୁ ସବୁଠୁ ଆଶ୍ଜର୍ୟ୍ୟ ଜନକ କଥା ହେଉଛି ସେହି ସଂଖ୍ୟାଲଘୁ ଜୈନ ଗୋଷ୍ଠୀଙ୍କ ଧର୍ମଧାରଣା ଏତେ ସୁଦୃଢ ଥିବାବେଳେ ରାଷ୍ଟ୍ରର ସର୍ବାଧିକ ଧାର୍ମିକ ଗୋଷ୍ଠି ହିନ୍ଦୁ ନୀରବ। ଝାଡ଼ଖଣ୍ଡର ତୀର୍ଥସ୍ଥଳୀ ସମୀଦ ଶିଖରଜୀକୁ ପର୍ଯ୍ୟଟନ ସ୍ଥଳୀ ରୁପେ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୁଦ୍ଧରେ ଦୀଲ୍ଲିଠୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ସବୁଠି ବିଦ୍ରୋହ ଦେଖାଦେଇଛି। ହମାରା ଏକ ନାରା ହେଁ,ସମୀଦ ଶିଖର ହମାରା ହୈ ର ନାରା ଦେଉଛନ୍ତି ଜୈନ ଗୋଷ୍ଠୀ।ପର୍ଯ୍ୟଟନ ସ୍ଥଳୀ ହେଲେ ସେଠି ମଦ ମାଂସର ବ୍ୟବହାର ତୀର୍ଥ ସ୍ଥଳର ମର୍ଯ୍ୟଦା ହାନୀ କରିବ ବୋଲି ସେ ଏହାକୁ ବିରୋଧ କରୁଥିଲା ବେଳେ ଶ୍ରୀକ୍ଷେତ୍ରରେ କିନ୍ତୁ ଏସବୁକୁ ଖୋଲାଖୋଲି ସ୍ୱୀକୃତି ଦେଇଛନ୍ତି ସରକାର।ଏପରିକି ଶ୍ରୀ ଲିଙ୍ଗରାଜଙ୍କ ଜମିରେ ନିର୍ମିତ ଦୁଦୁୱାଲା ଧର୍ମଶାଳାକୁ ବି ବିକି ସାରିଲେଣି। ଗୋଟାଏ ସଂଖ୍ୟାଲଘୁ ଗୋଷ୍ଠୀ ଧର୍ମର ସୁରକ୍ଷା ପାଇଁ ସରକାରକୁ ବିରୋଧ କରୁଛି ମାତ୍ର ଓଡ଼ିଶାରେ ଏତେ ସବୁ ଅଘଟଣ ପରେ ବି ରାଜ୍ୟବାସୀ ଚୁପ୍। ଏ ପ୍ରସଙ୍ଗକୁ ଭିତ୍ତିକରି ସେମାନେ ରାଷ୍ଟ୍ରପତିଙ୍କୁ ଭେଟିବା ପ୍ରସଙ୍ଗ ଉଠୁଥିବା ବେଳେ ହିନ୍ଦୁ ମାନେ ଯେପରି ତାଙ୍କ ଦେବାଦେବୀଙ୍କ ପ୍ରତି ଅଯତ୍ନଶୀଳ।
ବିଭିନ୍ନ ସମୟୟରେ ଧର୍ମ ନାଁରେ ବିବାଦ ସୃଷ୍ଟି ହେଉଥିଲେ ସୁଦ୍ଧା କେଉଁଠି ନା କେଉଁଠି ହିନ୍ଦୁ ଗୋଷ୍ଠୀ ଦେବତାଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିନି। ଆଖି ସାମ୍ନାରେ ମଠ ମନ୍ଦିରର ସମାଧି ହେଉଥିଲେ ବି ହିନ୍ଦୁ ଚୁପ୍। ଗୋଟାଏ ଗୋଷ୍ଠୀ ଧର୍ମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲା ବେଳେ ଓଡ଼ିଶାରେ କିନ୍ତୁ ସ୍ଥିତି ଅଲଗା। ରାଜ୍ୟର ପ୍ରମୁଖ ପ୍ରସଙ୍ଗ ରେ ଚୁପ୍ ରହିଛନ୍ତି ଭକ୍ତଗୋଷ୍ଠୀ ଏବଂ ରାଜ୍ୟବାସୀ। ଏପରି ହେଲେ ଆଗାମୀ ଦିନରେ ଦେବାଳୟର ସୁରକ୍ଷା ଏକ ପ୍ରଶ୍ନବାଚୀ ପାଲଟି ପାରେ।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା