ଫୁଲ ଆଉ କଥା କହିବନି, କି ଜୀବନ ଯମୁନାରେ ବି ଆଉ ଜୁଆର ଉଠିବନିଏବେ ସବୁ କିଛି ନୀରବ, ନିଶ୍ଚଳ ନିଷ୍ପନ୍ଦ। ଏ ସବୁକୁ ଖୁବ୍ ନିଖୁଣ ଭାବେ ଜୀବନ୍ତ କରିଥିବା କେହିଜଣେ ଏବେ କେବଳ ସ୍ମୃତିରେ। ଓଡ଼ିଆ ସିନେମା ଜଗତକୁ ଜାଗ୍ରତ କରିଥିବା ସେ କଳାକାର ଜଣକ ଏବେ ଗାଢ ନିଦ୍ରାରେ।

ଭାସିଯାଏ ମନେ ମନେ ବିଦାୟ ବେଳାରେ
ନୟନର ନୀର ଧାର ଝରଝର ଝରେ
ଦିନ ଥିଲା ଏ କେବଳ ଗୋଟାଏ ଚଳଚ୍ଚିତ୍ରର ଧାଡି ଥିଲା। କିନ୍ତୁ ଏ ପଦ ଆଜି କେବଳ ଗୀତ ନୁହେଁ ବରଂ ଓଡ଼ିଶାବାସୀଙ୍କ ପାଇଁ ଦୁଃସମ୍ବାଦର ବାର୍ତ୍ତା ଆଣିଛି। ଜୀବନ ଯମୁନାର ଶେଷ ଜୁଆର ପରେ ବେଳାଭୁମି ଛାଡିଛନ୍ତି ପ୍ରଖ୍ୟାତ ଅଭିନେତ୍ରୀ ଝରଣା ଦାସ। ଦିନେ ଅମଡ଼ା ବାଟ ଫିଲ୍ମରେ ନିଖୁଣ ଅଭିନୟ କରିଥିବା ଝରଣା ଦାସ, ଝୁମୁ ଅପା ଏବେ ନିଜେ ଅମଡା ବାଟର ଯାତ୍ରୀ। କେବେ ଚଳଚ୍ଚିତ୍ରରେ ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା ପିନ୍ଧି ସେ ସୁନା ଭାଉଜ ଭାବେ ମନ ମୋହିଛନ୍ତି ତ, ପୁଣି କେବେ ମଲାଜହ୍ନ ସାଜି ଆଶାର ଆକାଶରେ ଅଦିନ ମେଘ ହୋଇ ବୁହାଇଛନ୍ତି ଲୋକପ୍ରିୟତାର ଧାରା।

କେବେ ପୁଣି ପୂଜାଫୁଲ ସାଜି ଶ୍ରୀଜଗନ୍ନାଥଙ୍କ ନିକଟବର୍ତ୍ତି ହୋଇଛନ୍ତି ତ, ପୁଣି କେବେ  ମହାସତୀ ସାବିତ୍ରୀ ଚରିତ୍ରରେ ଟିକେ ହସ ଟିକେ ଲୁହ ପିଇ ସେ, ତୋଳିଛନ୍ତି ଅଭିନୟ ଦୂରଦର୍ଶନ ଓ ନିର୍ଦ୍ଦେଶନା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ୱାକ୍ଷର। ଅଭିନେତ୍ରୀ ଭାବେ ନବଜନ୍ମର ହିସାବ ନିକାସ କରି ସେ ଏବେ  ନାରୀ ଶସକ୍ତି କରଣ ବାର୍ତ୍ତା ଦେଇ ସେ ଅମଡା ବାଟରେ
ଆଉ ହୁଏତ ଶୁଭିବ ନାହିଁ ବେତାରରେ ସେ ଚିହ୍ନା ସ୍ୱର, ସୌଖିନ ରଙ୍ଗମଞ୍ଚରୁ ଲିଭିଯିବ ଅଭିନୟର ଛବି,ପୁନଃ ପରିପ୍ରକାଶ ହେବନି ତାଙ୍କ ସୃଜନର ପୃଥିବୀ। ଷାଠିଏ ଦଶକରେ ଏଭଳି ହୁଏତ କେହି ଜଣେ ଶ୍ରୋତା ନଥିବେ ଯିଏ ଝୁମୁ ଅପାଙ୍କ ସ୍ୱର ସହିତ ପରିଚିତ ନୁହନ୍ତି। ଚଳଚିତ୍ରରେ ଓଡ଼ିଆ ଜୀବନ ଓ ଭାବନାକୁ ନିଖୁଣ ଭାବେ ରୁପାୟିତ କରିପାରିଥିବା ସେ ସମୟର ଉଚ୍ଚଶିକ୍ଷିତ ଅଭିନେତ୍ରୀ ହେଉଛନ୍ତ ଝରଣା ଦାସ।

କେବଳ ସେତିକି ନୁହେଁ,ସୌଖିନ ରଙ୍ଗମଞ୍ଚର ମଧ୍ୟ ଅନ୍ୟତମ ସୁତ୍ରଧର। ମଲା ଜହ୍ନ ଚଳଚ୍ଚିତ୍ରରେ ନାଥନନାଙ୍କୁ ଚିଠି ଲେଖିବାର ଦୃଶ୍ୟ ଆଜିବି ଦର୍ଶକଙ୍କୁ ଛଳଛଳ କରେ। ନବଜନ୍ମ ଫିଲ୍ମରେ ତାଙ୍କ ରଚନାରେ ସୁରଭି ତାର ଚୋରା ସମୀର ସୁନେଲି ଛବି ଆଙ୍କେ। ତାଙ୍କର ନିଖୁଣ ଅଭିନୟ ଏବେବି ଜୀବନ୍ତ। କେବଳ ଅଭିନୟ କାହିଁକି ଓଡ଼ିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜୀବନୀକୁ ସୁନ୍ଦର ଭାବେ ଆଙ୍କି ଏକ ଡକ୍ୟୁମେଣ୍ଟରୀରେ ନିଖୁଣ ନିର୍ଦ୍ଦେଶନା ଦେଇ ଭିନ୍ନ ଏକ କ୍ଷେତ୍ରରେ ମଧ୍ୟ ସଫଳତା ପାଇଛନ୍ତି।

 ୧୯୪୫ ଜାନୁୟାରୀ ପହିଲାରେ କଟକରେ ଜନ୍ମ ହୋଇଥିଲେ ଓଡ଼ିଶାର ଏକ ନୂଆ ସମ୍ଭାବନା ଝରଣା ଦାସ।ତାଙ୍କ ଅନନ୍ୟତା ପାଇଁ ୨୦୧୬ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୧୯୯୭ ରେ ମର୍ଯ୍ୟଦା ଜନକ ଜୟଦେବ ସମ୍ମାନ ଓ ୨୦୧୧ ରେ Odisha Living Legend Award ପ୍ରଦାନ କରାଯାଇଛି। ୭୭ବର୍ଷ ବୟସରେ କଟକ ସ୍ଥିତ ବାସ ଭବନରେ ତାଙ୍କର  ହେହାନ୍ତ ହୋଇଛି। ତାଙ୍କର ଅନୁପସ୍ଥିତି,ଓଡ଼ଶା ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।