ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ମନ୍ତ୍ରୀମଣ୍ଡଳରେ ତୃତୀୟ ଥର ପାଇଁ ହୋଇଛି ଅଦଳବଦଳ। ଖାଲି ପଡ଼ିଥିବା ବିଭାଗରେ ନିଯୁକ୍ତ ହୋଇଛନ୍ତି ମନ୍ତ୍ରୀ। ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥବିଭାଗ,ଶାରଦା ନାୟକଙ୍କୁ ଶ୍ରମ ବିଭାଗ ମିଳିଥିବା ବେଳେ ସୁଦାମ ମାର୍ଣ୍ଡିଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ମନ୍ତ୍ରୀ କରାଯାଇଛି। କିଛି ଜିଲ୍ଲାର ନେତାଙ୍କ ଉପରେ ନବୀନ ବାରମ୍ବାର ଭରସା କରୁଥିଲା ବେଳେ ଅନ୍ୟ ଜିଲ୍ଲାକୁ ଆଡ଼ ଆଖିରେ ବି ଚାହିଁ ନାହାନ୍ତି। ବିଭିନ୍ନ ବିଭାଗରେ ରାଜ୍ୟ ୨୨ ଜଣ ନେତା ମନ୍ତ୍ରୀପଦ ପାଇଥିଲା ବେଳେ ରାଜ୍ୟର ଅନେକ ଜିଲ୍ଲାରୁ ଗୋଟାଏ ବି ମନ୍ତ୍ରୀ ବାଛିନାହାନ୍ତି ନବୀନ ପଟ୍ଟନାୟକ।

ନବଦାସଙ୍କ ପରେ ଝାରସୁଗୁଡ଼ା ମନ୍ତ୍ରୀଶୁନ୍ୟ
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ  ଝାରସୁଗୁଡ଼ା ମନ୍ତ୍ରୀଶୁନ୍ୟ। ତାଙ୍କ ସ୍ଥାନରେ ନବ ନିର୍ବାଚିତ ବିଧାୟକ ଦୀପାଳି ଦାସଙ୍କୁ ଯୁବ ନେତୃତ୍ୱ ଦୃଷ୍ଟିରୁ ଗୁରୁତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଥିଲା ବେଳେ ତାହା ଭୁଲ ପ୍ରମାଣିତ ହୋଇଛି। ଝାରସୁଗୁଡ଼ାର ଟାଣୁଆ ସଂଗଠକ ତଥା ଦୁଇ ଦୁଇଟି ଉପନିର୍ବାଚନରେ ସଂଗଠନକୁ ମଜବୁତ କରିଥିବା ବିଧାୟକ ସୁଶାନ୍ତ ସିଂଙ୍କୁ ମଧ୍ୟ ଏଥର ସ୍ଥାନ ମିଳିନି।

ମୁଖ୍ୟମନ୍ତ୍ରୀଙ୍କ ନଜରରେ ନାହିଁ କି ଏହି ଜିଲ୍ଲା
ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ବାରମ୍ବାର ଅଦଳବଦଳ ପରେ ବି କିଛି ଜିଲ୍ଲା ଉପରେ ପଡ଼ିନି ଶୁଭଦୃଷ୍ଟି। ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ନାହାନ୍ତି ଜିଲ୍ଲାର ଜଣେ ବି ନେତା। ଗଜପତି,କଳାହାଣ୍ଡି,ଜଗତସିଂହପୁର,ଝାରସୁଗୁଡ଼ା,ମାଲକାନଗିରି,ଦେବଗଡ଼,ନୟାଗଡ଼,କନ୍ଧମାଳ,କୋରାପୁଟ,ନବରଙ୍ଗପୁର ଭଦ୍ରକ,ଅନୁଗୋଳ ଏବଂ କେନ୍ଦୁଝରରେ କାହାକୁ ବି ମନ୍ତ୍ରୀପଦ ମିଳିନାହିଁ। ଅବଶ୍ୟ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ଉପବାଚସ୍ପତି ପଦରେ ବସିଥିଲା ବେଳେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସରକାରୀ ଦଳର ମୁଖ୍ୟ ସଚେତକ ପଦରେ ଅଛନ୍ତି। ସେ ଯାହା ବି ହେଉନା କାହିଁକି ମନ୍ତ୍ରୀ ମଣ୍ଡଳ ଗଠନ, ପରିବର୍ତ୍ତନ ତଥା ଅଦଳ ବଦଳ ପରେ ବି ମୁଖ୍ୟମନ୍ତ୍ରୀଙ୍କ ନଜରରୁ ଏ ଜିଲ୍ଲା ବାଦ୍ ପଡ଼ୁଥିବାରୁ ବିଧାୟକଙ୍କ ଉପରେ ଆସ୍ଥା କମ୍ ଥିବା ଚର୍ଚ୍ଚା ହେଉଛି।