ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶପଥ ନେଇଛନ୍ତି ରାଜ୍ୟର ତିନି ନୂଆ ମନ୍ତ୍ରୀ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ନବ ନିଯୁକ୍ତ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ,ଶାରଦା ନାୟକଙ୍କୁ ଶ୍ରମ ବିଭାଗ ଏବଂ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ କରାଯାଇଛି। ନୂଆ ଚେହେରାକୁ ନେଇ ଚର୍ଚ୍ଚା ହେଉଥିଲା ବେଳେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମକୁ ଫେରିଛନ୍ତି ପୁରୁଣା ଚେହେରା।

ବିକ୍ରମ କେଶରୀଙ୍କୁ ଅର୍ଥ ବିଭାଗ
ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସିଛନ୍ତି। ଗତ ବର୍ଷ ଜୁନ୍ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। ତାଙ୍କୁ ବାଚସ୍ପତି କରାଯାଇଥିଲା। ବାଚସ୍ପତି ପଦବିରେ ଗୋଟିଏ ବର୍ଷ ନ ପୂରୁଣୁ ମେ’ ୧୨ରେ ସେ ଇସ୍ତଫା ଦେଇଥିଲେ। ନୂଆ ମନ୍ତ୍ରୀମଣ୍ଡଳରେ ତାଙ୍କୁ ଅର୍ଥବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଛି।

ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ
ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ବଣ୍ଟନ କରାଯାଇଛି। ପୂର୍ବରୁ ସମୀର ଦାଶ ଏହି ପଦରୁ ଇସ୍ତଫା ଦେଇଥିଲେ। ବିଜେଡିରେ ଯୋଗ ଦେଇ ୨୦୧୪ ଓ ୨୦୧୯ରେ ଦୁଇ ଥର ବିଜେଡି ପ୍ରାର୍ଥୀ ଭାବେ ବାଙ୍ଗିରୀପୋଷିରୁ ନିର୍ବାଚିତ ହୋଇଛନ୍ତି। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ର ମନ୍ତ୍ରୀ,୨୦୧୯ରେ କ୍ୟାବିନେଟ୍ ମନ୍ତ୍ରୀ ହୋଇ ରାଜସ୍ବ ବିଭାଗ ପାଇଥିଲେ। ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। ବର୍ଷକ ପରେ ପୁଣି ଥରେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ସ୍ଥାପନ କରି ଫେରାଇ ଆଣିଛନ୍ତି।

ଶାରଦା ନାୟକଙ୍କୁ ମିଳିଲା ଶ୍ରମ ବିଭାଗ
ବିଧାୟକ ଶାରଦା ନାୟକ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୯ରୁ ୨୦୧୨ ଯାଏ ସେ ରାଷ୍ଟ୍ର ମନ୍ତ୍ରୀ ଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିଜେଡି ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ସ୍ଥାପନ କରିଛନ୍ତି। ତାଙ୍କୁ ଶ୍ରମ ବିଭାଗର ଦାୟିତ୍ୱ ମିଳିଛି।