ଝାରସୁଗୁଡ଼ାରେ ଶେଷ ପ୍ରଚାର:ଭୋଟରଙ୍କୁ ମନେଇବାକୁ ଶେଷ କସରତ

ଝାରସୁଗୁଡା ଉପନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ଭିତରେ ଛକାପଞ୍ଝା ଚାଲିଛି। ଦିବଂଗତ ବିଧାୟକ ନବ କିଶୋର ଦାସଙ୍କ ମୃତ୍ୟୁପରେ ଖାଲି ପଡ଼ିଥିବା ଆସନ ପାଇଁ ଆସନ୍ତା ମେ’ ୭ରେ ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣକୁ ଆଉ ଦୁଇ ଦିନ ବାକି ଥିଲାବେଳେ କୋଡ଼ ଅଫ୍ କଣ୍ଡକ୍ଟ ଲାଗୁ ହେବାକୁ ଯାଉଛି। ନିଜ ଦଳର ପ୍ରାର୍ଥିଙ୍କ ପାଇଁ ଭୋଟ ସଂଗ୍ରହ କରିବାକୁ ଡ଼େରା ପକାଇଥିବା ନେତା ଜାଗା ଛାଡ଼ିବା ସହ ରୋଡ଼ ସୋ ଏବଂ ପ୍ରଚାର ବନ୍ଦ ହେବ। BJDରୁ ଦୀପାଳି ଦାସ, BJPରୁ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସରୁ ଲଢୁଥିବା ତରୁଣ ପାଣ୍ଡେଙ୍କ ପାଇଁ ପ୍ରଚାରର ଶେଷ ଦିନ।

ନବୀନ ବନାମ ଧର୍ମେନ୍ଦ୍ର,କାହାକୁ ଭରସା କରିବେ ଭୋଟର
ଆଉ ମାତ୍ର ଦିନକ ପରେ ଝାରସୁଗୁଡ଼ା ଉପ ନିର୍ବାଚନ। ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ପ୍ରସ୍ତୁତି ଜୋରଦାର ହେଇଛି। ଝାରସୁଗୁଡ଼ାବାସୀ କାହା ସପକ୍ଷରେ ମତ ଦେବେ, ତା’ ଉପରେ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି। ଗତକାଲି ହାଇଭୋଲଟେଜ୍ ପ୍ରଚାରରେ ଉଠିଥିଲା ପଡିଥିଲା ଝାରସୁଗୁଡ଼ା। ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ତ୍ର ପ୍ରଧାନ। ଦୀପାଳିଙ୍କୁ ବିରୋଧୀ ଦଳ ଆକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ନବୀନ। ନିର୍ବାଚନରେ ହାର୍ ଜିତ୍ ରହିଛି। କିନ୍ତୁ ପ୍ରଚାର ବେଳେ ଶାଳୀନତା ରହିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପାର୍ଶ୍ୱରେ କୋଲାବିରାରେ ଆୟୋଜିତ ଜନ ସମାବେଶରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ରାଜ୍ୟ ସରକାରଙ୍କୁ ଏକାଧିକ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ କଣ? କେନ୍ଦ୍ର ଦେଉଥିବା ଅର୍ଥ କୁଆଡେ ଯାଉଛି? ପ୍ରଧାନମନ୍ତ୍ରୀ ଆବାସ ଘର କାହିଁକି ବଣ୍ଟାଯାଉନି ଏବଂ ଗୁଡୁ ମୁସଲିମ କଥା ଉଠାଇ ବିଜେଡି ନେତାଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ରେସରେ ଆଗରେ ଥିବା ଉଭୟ ଦଳଙ୍କ ଛାମୁଆ ନବୀନ ଏବଂ ଧର୍ମେନ୍ଦ୍ରଙ୍କ ଭିତରୁ କାହା କଥାକୁ ଅଧିକ ସଂଖ୍ୟକ ଭୋଟର ଗ୍ରହଣ କରୁଛନ୍ତି ତାହା ଫଳାଫଳ ପ୍ରକାଶ ପାଇଲା ପରେ ହିଁ ଜଣା ପଡ଼ିବ।
Connect With Us