ସବୁ ସସ୍ପେନ୍ସର ଅନ୍ତ ଘଟି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥିଙ୍କ ନାଁ ଆଗକୁ ଆସିଛି। ପ୍ରାର୍ଥୀତ୍ୱକୁ ନେଇ ଅନେକ ନାଁ ଚର୍ଚ୍ଚାକୁ ଆସୁଥିଲା ବେଳେ ଏବେ ଫାଇନାଲ୍ ଆଉଟପୁଟ୍ ସାମ୍ନାକୁ ଆସିଛି। ଦୀର୍ଘ ୨୦ ବର୍ଷ ପରେ କଂଗ୍ରେସ ଗାନ୍ଧି ପରିବାରକୁ ବାଦ ଦେଇ ନିର୍ବାଚିନ ଜରିଆରେ ନିଜର ଅଧ୍ୟକ୍ଷ ଚୟନ କରିବାକୁ ଯାଉଛି। ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରକାରର ହସ୍ତକ୍ଷେପ କରୁନାହାନ୍ତି। ପ୍ରାର୍ଥୀଙ୍କ ଲମ୍ବା ରେସରୁ କିଛି ପ୍ରର୍ଥୀ ଓହରିଯାଇଛନ୍ତି।ଚର୍ଚ୍ଚାରେ ଥିବା ଅଶୋକ ଗେହେଲଟ୍ ଓ ଦିଗବିଜୟ ସିଂ ମଧ୍ୟ ରେସରୁ ଓହରି ଯାଇଛନ୍ତି। ଅଧ୍ୟକ୍ଷ ପଦବୀ ପାଇଁ ଶଶୀ ଥରୁର ଓ ମଲ୍ଲିକାର୍ଜୁନ ଖଡ଼ଗେ ସାମ୍ନାସାମ୍ନି ହେବେ। ତେବେ କିଏ କଂଗ୍ରେସର ଆଗାମୀ ଅଧ୍ୟକ୍ଷ ହେବେ ସେ ନେଇ ଏବେଠୁ ଅଙ୍କକଶା ଆରମ୍ଭ ହେଇଯାଇଛି ।ରେସରୁ ହଟିଥିବା ଗୋଷ୍ଠୀ ତଥା ଗାନ୍ଧୀ ପରିବାରଙ୍କ ସମର୍ଥନ କାହା ସପକ୍ଷରେ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର।
ଥରୁର ଖଡ଼ଗେ ସାମ୍ନାସାମ୍ନି
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପ୍ରାର୍ଥୀ। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଅଧ୍ୟକ୍ଷ ପଦ ରେସରୁ ଓହରି ଯାଇଛନ୍ତି। ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖଡଗେଙ୍କ ଏଣ୍ଟ୍ରି ପରେ ଦିଗବିଜୟ ଏଥିରୁ ଓହରି ଯାଇଛନ୍ତି। ଖଡଗେଙ୍କ ପାଇଁ ଦିଗବିଜୟ ପ୍ରସ୍ତାବକ ହୋଇଛନ୍ତି। ଥରୁର ହୀନ୍ଦି ଭାଷା ସହ ଏତେଟା ପରିଚିତ ନଥିଲା ବେଳେ ଅନେକ ସମୟରେ ବିବାଦର କାଠଗଡ଼ାରେ ଛିଡା ହୋଇ ଚର୍ଚ୍ଚାରେ ରହିଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ସେ କିପରି ଖଡଗେଙ୍କୁ ସାମ୍ନା କରିବେ ଓ ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ ତାକୁ ଅପେକ୍ଷା।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା