ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧର ଘନଘଟା ବର୍ତ୍ତମାନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। NATO ପ୍ରସଙ୍ଗକୁ ଭିତ୍ତି କରି ଉଭୟଙ୍କ ମଧ୍ୟରେ ଦାନା ବାନ୍ଧିଥିବା ବିବାଦ ଧିରେଧିରେ ତୀବ୍ରରୁପ ଧାରଣ କରିଛି। ୟୁକ୍ରେନ୍ ସହିତ ଯୁଦ୍ଧ ନେଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନି ପରମାଣୁ ଅସ୍ତ୍ର ପ୍ରସ୍ତୁତ ରଖିବାକୁ ଆଦେଶ ଦେବା ପରେ ସମଗ୍ର ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଇଛି। ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱର ଅର୍ଥନୀତି ପ୍ରଭାବିତ ହେବା ସହ ଦରଦାମ୍ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି।

ପରମାଣୁ ଆକ୍ରମଣ କରିବ  କି ରୁଷିଆ?
ୟୁକ୍ରେନ୍ ଓ ଋଷ୍ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତତା ପରେ ଉଭୟ ରାଷ୍ଟ୍ର ପରସ୍ପରକୁ ଆକ୍ରମଣ କରିବାରେ ଲାଗିଛନ୍ତି। ଋଷର ପ୍ରତିଶୋଧ ପରାୟଣ ମନୋଭାବ ହେତୁ  ସେ ପରମାଣୁ ଆକ୍ରମଣ କରିପାରେ ବୋଲି ସନ୍ଦେହ ପ୍ରକଟ ହେଉଛି। ଏହାରି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେରିକାର ଲୋକଙ୍କୁ ପରମାଣୁ ଲଢ଼େଇର ଭୟ ନ କରିବା ଉଚିତ। ଏହାର ଅର୍ଥ ସିଧାସଳଖ ନହେଲେ ବି ଆମେରିକା ମଧ୍ୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି। 

୭୭ ବର୍ଷ ପରେ….
ପରମାଣୁ ଯୁଦ୍ଧର ଭୟାବହତା ପାଇଁ ଏବେ ସମଗ୍ର ବିଶ୍ୱ ଆତଙ୍କିତ।୧୯୪୫ ମସିହାରେ ଶେଷ ଥର ପାଇଁ ପରମାଣୁ ଯୁଦ୍ଧ ହୋଇଥିଲା। ୭୭ ବର୍ଷ ପରେ ୟୁକ୍ରେନ ଯୁଦ୍ଧ ଯୋଗୁଁ ପୁଣି ଥରେ ଅତୀତର ସେହି ବିପଦ ମାଡ଼ି ଆସୁଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ୩୦ କିଲୋଟନର ପରମାଣୁ ବୋମା ଯଦି ରୁଷିଆ ବ୍ୟବହାର କରେ ତା’ହେଲେ ୪ କିଲୋମିଟର ଅଞ୍ଚଳ ସଂପୂର୍ଣ୍ଣ ରୂପେ ଧ୍ୱଂସ ପାଇଯିବ। ସେହିପରି ୧୦୦୦ କିଲୋଟନ ପରମାଣୁ ବୋମା ୧୦୦ କିମି ପର୍ଯ୍ୟନ୍ତ ପ୍ରଭାବ ପକାଇପାରିବ । ଏହି ଆକ୍ରମଣ ହିରୋସିମା ଓ ନାଗାସାକି ଠାରୁ ମଧ୍ୟ ଅଧିକ କ୍ଷତି କରିବ।