ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ଏବେ ପୌର ନିର୍ବାଚନ ଉପରେ ସମସ୍ତଙ୍କ ନଜର। ଆସନ୍ତା ୨୪ରେ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ହେବାକୁ ଯାଉଛି। ଭୁବନେଶ୍ୱରରେ ଏବେ ରାଜନୀତି ଖୁବ୍ ଚଳଚଞ୍ଚଳ ହୋଇଉଠିଛି। ନିର୍ବାଚନକୁ ମାସେରୁ କମ ସମୟ ଥିବାରୁ ନିର୍ବାଚନ ବୈତରଣୀ ପାର ହେବାକୁ ତିନି ଦଳ ପକ୍ଷରୁ କସରତ ଆରମ୍ଭ ହୋଇଛି। ରାଜ୍ୟର ତିନି ପ୍ରମୁଖ ଦଳ କଂଗ୍ରେସ , ବିଜେପି ଓ ବିଜେଡି ନିର୍ବାଚନରେ ବିଜୟୀ ହେବା ନେଇ ସାଧାରଣରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମେୟର ପଦକୁ ନେଇ ଆରମ୍ଭ ହୋଇଛି ଅଙ୍କଶା। ଯଦିଓ ଏଯାଏ କୌଣସି ଦଳ କାର୍ଡ ଖୋଲିନାହାନ୍ତି କି କେହି ମୁଁହ ଖୋଲି ଦାବିଦାରୀ ରଖୁନାହାନ୍ତି, ତଥାପି ମେୟର୍ ପଦକୁ ନେଇ ଏବେ ଜୋର ଚର୍ଚ୍ଚା ଧରିଛି।

ଗୋପରେ ବଢୁଛନ୍ତି ମେୟର ପାର୍ଥୀ
ସସ୍ପେନ୍ସରେ ମେୟର ପ୍ରାର୍ଥୀl ପ୍ରଥମ ଥର ପାଇଁ ସିଧାସଳଖ  ଲୋକଙ୍କ ଭୋଟରେ ନିର୍ବାଚିତ ହେବେ ମେୟର। ସିଧାସଳଖ ଲଢେଇ ହେଉଥିବାରୁ କୌଣସି ଦଳ ରିକ୍ସ ନେବାକୁ ଚାଁହୁନାହାଁନ୍ତି। ମେୟର ପଦ ସବୁ ଦଳ ପାଇଁ ଗୁରୁତ୍ୱପୂର୍ଣl ଯେଉଁ ଦଳର ମେୟର ପ୍ରାର୍ଥୀ ଜିତିବେ,ତା’ ହାତରେ ପୂରା ରାଜଧାନୀ ରହିବ। ତେଣୁ ସବୁ ଦଳ ଏମିତି ବ୍ୟକ୍ତିତ୍ୱ ଖୋଜୁଛନ୍ତି,ଯିଏ ଭୋଟରଙ୍କୁ ନିଜ ଯୋଗ୍ୟତା ବଳରେ ଆକର୍ଷିତ କରିପାରିବ। ଯଦିଓ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ବିପୁଳ ସମର୍ଥନ ସାଉଁଟିଛି ତଥାପି  ବିରୋଧୀ ବିଦ୍ରୋହ ଆଶଙ୍କା ଥିବାରୁ ସବୁ ମାପିଚୁପି ବାଟ ଚାଲୁଛି ଶାଷକ ଦଳ। କୌଣସି ନୂଆ ମୁଁହଙ୍କୁ ମେୟର  ଟିକେଟ ମିଳିପାରେ ବୋଲି ଅନୁମାନ କରାଯାଉଛି। ବିଜେଡିରୁ ମେୟର ପ୍ରାର୍ଥୀ ଜିତାପଟ ସମ୍ଭାବନା ଅଧିକ। ତେଣୁ ବିଜେଡିରେ ମାଳ ମାଳ ଆଶାୟୀ। ଅନ୍ୟପଟେ କଂଗ୍ରେସ ଓ ବିଜେପି ମଧ୍ୟ ପଞ୍ଚାୟତ ନିର୍ବାଚନରେ ବିଫଳତା ପରେ ସ୍ଥିତି ସୁଧାରିବା ସହିତ ପୌର ନିର୍ବାଚନକୁ ଫୁଲ୍ ଦମରେ ଫୋକସ୍ କରି ମେୟର୍ ଆସନ ହାତେଇବାକୁ କସରତ କରିବା ଆଶା କରାଯାଉଛି।

ବିଏମ୍ସି କାହାର?
ବିଏମ୍ସି ହେଉଛି ବିଜେଡିର ଗଡ଼। ଗତ ୨୦୧୪ ନିର୍ବାଚନ ରେ ୬୭ଟି ୱାର୍ଡରୁ ୪୯ଟି ଜିତିଥିଲେ ବିଜେଡି। ବିଜେପି ୪ଟି ଓ କଂଗ୍ରେସ ୨ଟି ଆସନ  ଜିତିଥିଲେ। ବିଜେଡି ଟିକେଟ  ନ ପାଇ ବିଦ୍ରୋହୀ ସାଜି ନିର୍ଦ୍ଦଳିୟ  ଭାବେ ଲଢ଼ୁଥିବା  ୧୨ ଜଣ ପାର୍ଥି ଗତ ଥର ବିଜୟୀ ହୋଇଥିଲେ। ଗତ ନିର୍ବାଚନରେ ବିରୋଧୀଙ୍କ ଠାରୁ ବିଦ୍ରୋହୀ ବିଜେଡି ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଥିଲେ। ତଥାପି ଗତ ନିର୍ବାଚନରେ ଭୁବନେଶ୍ୱର ସାଂସଦ ଆସନ ବିଜେପି ଛଡାଇ ନେଇଥିଲା। ବିଜେପି ବି ଏଥର ବିଏମସି ନିର୍ବାଚନରେ ଆସନ ହାତେଇବାକୁ ପୁରା ପ୍ରସ୍ତୁତ। ଭୁବନେଶ୍ୱର ସାଂସଦ ଆସନ ଅକ୍ତିଆର କରିବା ପରଠୁ ବିଜେପିର ମନୋବଳ ବଢୁଛି। ତେଣୁ ଭୁବନେଶ୍ୱର ମେୟର ଆସନ ଉପରେ ବିଜେପିର ନଜର ରହିଛି। ଦଳ ପାଇଁ ବିଏମସି ନିର୍ବାଚନର ମଙ୍ଗ ଧରିଛନ୍ତି ସାଂସଦ ଅପରାଜିତା ଷଢଙ୍ଗି। ଏଥିପାଇଁ ବିଜେଡି କୌଣସି ରିକ୍ସ ନେବାକୁ ଚାଁହୁନି। ତିନି ବିଧାୟକ ଏବଂ ଦଳର କିଛି ପ୍ରମୁଖ ନେତାଙ୍କୁ ବିଏମ୍ସି ନିର୍ବାଚନର ଗୁରୁ ଦାୟିତ୍ୱ ଓ ଟାର୍ଗେଟ ଦିଆଯାଇଛି। କଂଗ୍ରେସ ଏଯାଏ  ରାଜଧାନୀରେ ସଂଗଠନକୁ ତେଜି ପାରୁନି। ଗତ ଥର ଦଳ ମାତ୍ର ୨ଟି ୱାର୍ଡରେ ଜିତିଥିଲେ। ପରବର୍ତୀ ସମୟରେ ସେମାନେ ବି ଦଳକୁ ବାଏବାଏ କହିଥିଲେ। ଏଥର ଦଳ ଅବସ୍ଥା ପୂର୍ବ ଠାରୁ ବି ଶୋଚନୀୟ। ତଥାପି କେତେକ ୱାର୍ଡରେ କଂଗ୍ରେସ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି। ଏହାସହ ମେୟର ଆସନ ପାଇଁ ସବୁ ଦଳ   ବ୍ୟକ୍ତିତ୍ୱ ସନ୍ଧାନରେ ଅଛନ୍ତି।