ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଉପକଣ୍ଠ ଗୁରୁତ୍ୱପୂର୍ଣ୍ଣ ଜୟଦେବ ଆସନରେ ବିଜେଡି ଉଦ୍ଦେଶ୍ୟମୂଳକ ଭାବେ କରୁଛି ଟ୍ରାଏଲ ଆଣ୍ଡ ଏରର ମେଥଡ୍। ସଂଯୋଗ ବଶତଃ ବିନା ଏରରରେ ଫଳାଫଳ ବିଜେଡି ସପକ୍ଷରେ ଯାଉଛି।ଏହା ଅଡୁଆ ଲାଗୁଥିଲେ ବି ସଂପୂର୍ଣ୍ଣ ସତ। କାରଣ ପ୍ରତି ନିର୍ବାଚନରେ ଜୟଦେବ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବଦଳାଇ ନିଜର ସାମର୍ଥ୍ୟ ମାପୁଛି ବିଜେଡି।ପୂର୍ବ ନିର୍ବାଚିତ ପ୍ରାର୍ଥୀ ଯିଏ ବି ହୁଅନ୍ତୁ ନା କହିଁକି,ଯେମିତି ଅର୍ଥମନ୍ତ୍ରୀ ଶଶି ବେହେରା।ଏଠି ବିଜେଡି ଚଳାଇଛି ଅଦଳ ବଦଳ ରାଜନୀତି।ଏଥର ଯିଏ ଆର ଥରକୁ ସିଏ ନୁହେଁ।ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷିତ ଆସନ ଜୟଦେବରେ ଥରେ ଶଶିଭୂଷଣ ବେହେରା ତ ପର ଥରକୁ ଅରବିନ୍ଦ ଢ଼ାଲି। ସେଥିପାଇଁ ୨୦୧୯ନିର୍ବାଚନ ଲାଗି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଟିକେଟ୍ କଟି,ଢ଼ାଲିଙ୍କୁ ଟିକେଟ୍ ଦେଇଛି ବିଜେଡି।ସୀମା ପୁନଃ ନିର୍ଦ୍ଧାରଣ ପରେ ୨୦୦୯ରେ ମାଲକାନଗିରିରୁ ଆଣି ଜୟଦେବ ଆସନରୁ ଢ଼ାଲିଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟୀ ମଧ୍ୟ ହୋଇଥିଲେ। ତେବେ ସୀମା ପୁନଃନିର୍ଦ୍ଧାରଣ ପୂର୍ବରୁ ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିପାଟଣା ଭାବେ ଜଣାଥିଲା।ଆଉ ୨୦୦୪ରୁ ୨୦୦୯ ଯାଏଁ ବାଲିପାଟଣାର ବିଧାୟକ ଥିଲେ ଶଶିଭୂଷଣ ବେହେରା।
ବାଲିପାଟଣାରୁ ରାଜ୍ୟସଭା
୨୦୦୯ନିର୍ବାଚନରେ ଶଶିଙ୍କୁ ଟିକେଟ୍ ନଦେଇ ୨୦୧୦ ଜୁଲାଇରେ ରାଜ୍ୟସଭା ପଠାଇ ଥିଲା ବିଜେଡି।କିନ୍ତୁ ଶଶିଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିବା ଆଗରୁ ୨୦୧୪ରେ ତାଙ୍କୁ ଜୟଦେବ ଆସନରେ ପ୍ରାର୍ଥୀ କରାଇଥିଲା ବିଜେଡି। ଜିତିବା ପରେ ଶଶିଭୂଷଣ ବିଜେଡି ମୁଖପାତ୍ର ହୋଇଥିଲେ।ଆଉ ୨୦୧୭ ମେ’ରୁ ଅର୍ଥ, ଅବକାରୀ ଓ ସାଧାରଣ ଉଦ୍ୟୋଗର କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରୁଛନ୍ତି।ତେବେ ବିଜେଡିର ରହିଛି କହିଁପେ ନିଗାହେଁ,କହିଁପେ ନିଶାନା।ଜୟଦେବରେ ଢାଲିଙ୍କୁ ଟିକେଟ,କିନ୍ତୁ ନଜରରେ ଶହ ଶହ କିଲୋମିଟର ଦୂରରେ ଥିବା ବଙ୍ଗୀୟ ଭୋଟର।ସେହି ଭୋଟ ଆପଣାଇବା ପାଇଁ ଅରବିନ୍ଦ ଢ଼ାଲିଙ୍କୁ ପୁଣି ଭରସା କରିଛି ବିଜେଡି।କାରଣ ଚାରି ଚାରି ଥରର ବିଧାୟକ ଅରବିନ୍ଦ ଢାଲି ମୂଳତଃ ବାଂଲାଦେଶୀ ଶରଣାର୍ଥୀ ପରିବାରର।ମାଲକାନଗିରି ଜିଲ୍ଲାର ଦୁଇଟି ଆସନ ଏବଂ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବିଧାନସଭା କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ବଙ୍ଗାଳି ଭୋଟରଙ୍କ ଉପରେ ଢ଼ାଲିଙ୍କ ପ୍ରଭାବ ରହିଛି।
ବିହନ ନିଗମରୁ ଜୟଦେବ
ମହାକାଳପଡା,ପାଟକୁରା ଏବଂ ରାଜନଗରବିଧାନସଭା ନିର୍ବାଚନର ଫଳାଫଳକୁ ପ୍ରଭାବିତ କରନ୍ତି ବଙ୍ଗୀୟ ଭୋଟର।ହେଲେ ଜମିପଟ୍ଟା ବିବାଦ ଓ ପରିଚୟପତ୍ର ନ ମିଳିବାରୁ ରାଜ୍ୟ ସରକାରଙ୍କ ଉପରେ ସେମାନଙ୍କ ମୋହ ତୁଟିବାକୁ ଲାଗୁଛି। ସେପଟେ ଦଳଡିଆଁ ଅରବିନ୍ଦ ଢାଲି ନିଜର ମୂଳ ଦଳ ବିଜେପିକୁ ଫେରୁଛନ୍ତି ବୋଲି ଚର୍ଚ୍ଚା ହେଲା।ଯଦି ଢାଲି ବିଜେପିକୁ ଫେରିଥାନ୍ତେ ତେବେ ଉମରକୋଟ,ମାଲକାନଗିରି ଏବଂ ଚିତ୍ରକୋଣ୍ଡା ଆସନରେ ବିଜେଡି ଅସୁବିଧାରେ ପଡିଥାନ୍ତା। ଏହାସହ ଖୋର୍ଦ୍ଧା ଜିଲ୍ଲାର ଜୟଦେବ ଆସନରେ ମଧ୍ୟ ଶାସକ ଦଳ ଲାଗି ସମସ୍ୟା ସୃଷ୍ଟି ହୋଇଥାନ୍ତା। ସେଥିପାଇଁ ପ୍ରଥମେ ଢ଼ାଲିଙ୍କୁ ୨୦୧୮ ଜୁଲାଇରେ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ କରାଗଲା।ଏବେ ଜୟଦେବ ଆସନରେ ଥଇଥାନ କରି, ବଙ୍ଗୀୟ ଭୋଟରଙ୍କୁ ନିଜ ପକ୍ଷରେ ରଖିବାକୁ ଉଦ୍ୟମ କରୁଛି ବିଜେଡି।ହେଲେ ଶଶିଙ୍କୁ ଟିକେଟ ନଦେଇ ବିଜେଡି ବାର୍ତ୍ତା ଦେଲା ଯେ କ୍ୟାବିନେଟର ନମ୍ବର-୨ ଅର୍ଥମନ୍ତ୍ରୀଙ୍କ ଅପେକ୍ଷା ବଙ୍ଗୀୟ ଭୋଟର ଅଧିକ ଗୁରୁତ୍ୱ ବହନ କରୁଛନ୍ତି।
ଅର୍ଥମନ୍ତ୍ରୀଙ୍କୁ ଶନି ଦଶା
ତେବେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଅର୍ଥମନ୍ତ୍ରୀଙ୍କ ଶନିଦଶା ପଡିବାରେ ଶଶି ବେହେରା ପ୍ରଥମ ବ୍ୟକ୍ତି ନୁହଁନ୍ତି।୨୦୧୪ର ତତ୍କାଳୀନ ଅର୍ଥମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ଼ର ବିଜେପୁରକୁ ପଠାଗଲା। ଯେଉଁଠୁ ସେ ପରାସ୍ତ ହୋଇଥିଲେ। ସେହିପରି ରାମକୃଷ୍ଣ ପଟ୍ଟନାୟକଙ୍କ,ରାଜନୈତିକ କ୍ୟାରିୟର ସମାପ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହିପରି ୮ବର୍ଷର ଲମ୍ବା ସମୟ ଧରି ଅର୍ଥମନ୍ତ୍ରୀ ଥିବା ପ୍ରଫୁଲ୍ଲ ଘଡ଼ାଇ ବି ଭୋଟ ରାଜନୀତିରୁ ଆଉଟ୍। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମଧ୍ୟ ନିର୍ବାଚନୀ ରାଜନୀତିରୁ ଆଉଟ୍ ହୋଇଯାଇ ଏବେ କଂଗ୍ରେସରେ ମିଶିଛନ୍ତି।ସୌଭାଗ୍ୟ ବଶତଃ ଏହି ତାଲିକାରୁ ବର୍ତ୍ତି ଯାଇଛନ୍ତି ବର୍ତ୍ତମାନର ବାଚସ୍ପତି ପ୍ରଦୀପ ଅମାତ। ଏବେ ଅପେକ୍ଷା ଅର୍ଥମନ୍ତ୍ରୀଙ୍କ ରାଜନୈତିକ ଫେୟାରୱେଲ୍ ଶଶିଙ୍କ ସହ ଯୋଡ଼ି ହେଉଛି,ନା ପୁଣି ଥରେ ରାଜ୍ୟସଭାକୁ ଯାଉଛନ୍ତି!
ପଢ଼ନ୍ତୁ-123ରୁ 47ରେ ପହଞ୍ଚିଥିବା ଜନତା ଦଳର ଭୁଲ ନିଷ୍ପତ୍ତିକୁ ଦୋହରାଉଛି କି BJD?