ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଘୋଷଣା କରିଛି। ଓଡିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ କରିଛି। ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜୟଲାଭ କରିବାର ସମ୍ଭାବନା ଅଧିକ।ତାଙ୍କର ବିଜୟ ଓଡ଼ିଶା ପାଇଁ ଶୁଭଙ୍କର ହେବ। ସେ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର ସୌଭାଗ୍ୟ ଲାଭ କରିବା ସହିତ ଓଡିଶାର ପ୍ରଥମ ମହିଳା ଭାବେ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରି ରେକର୍ଡ କରିବେ। ଜଣେ କାଉନସିଲରୁ ଦ୍ରୌପଦୀ ମୁର୍ମୁ ତାଙ୍କ ରାଜନୈତିକ ଜୀବନ ଯାତ୍ରା ଆରମ୍ଭ କରିବା ସହିତ ଏସଟି ମୋର୍ଚ୍ଚାର ଉପ-ସଭାପତି ପଦରେ ରହିଥିଲେ।
କିପରି ଥିଲା ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଯାତ୍ରା
ରାଜ୍ୟ ବିଜେପିର ଏସଟି ମୋର୍ଚ୍ଚାର ଉପ-ସଭାପତି ଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ ମସିହାରେ ପ୍ରଥମ କରି ଜଣେ କାଉନସିଲର ଭାବେ ସେ ବିଜୟୀ ହୋଇଥିଲେ। ଏଥି ସହିତ ସେ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ରହିଥିଲେ। ପରେ ପରେ ୨୦୦୦ରୁ ୨୦୦୪ ଏବଂ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ବିଧାୟିକା ଭାବେ ନିର୍ବାଚନ ଜିତିଥିଲେ ।ସେ ବିଜେପି ଏସଟି ମୋର୍ଚ୍ଚାର ନ୍ୟାସନାଲ ଏକ୍ସକୁଟିଭ୍ ମେମ୍ବର ସହିତ ରାଜ୍ୟ ବିଜେପି ଏସଟି ମୋର୍ଚ୍ଚାର ସଭାପତି ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ ।
୨୦୦୭ ମସିହାରେ ସେ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ଆୱାର୍ଡ ମଧ୍ୟ ଜିତିଥିଲେ ।୨୦୧୦ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ମୟୁରଭଞ୍ଜ (ପଶ୍ଚିମ)ର ଜିଲ୍ଲା ବିଜେପି ସଭାପତି ରହିଥିଲେ । ୨୦୧୫ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ରାଜ୍ୟପାଳ ଥିଲେ।ନିଜ ରାଜନୈତିକ ଜୀବନରେ କୌଣସି ବିବାଦର ସମ୍ମୁଖିନ ନ ହୋଇ ସେ ପ୍ରତେକଟି କାର୍ଯ୍ୟକୁ ସୁଚାରୁରୁପେ ତୁଲାଇଛନ୍ତି।ରାଷ୍ଟ୍ରପତି ନିର୍ବାଚନ କ୍ଷେତ୍ରରେ ମହିଲା ଓ ଆଦିବାସୀ ସମ୍ପ୍ରଦାୟଙ୍କୁ ଗୁରୁତ୍ୱ ଦେଇ ତାଙ୍କୁ ପ୍ରାର୍ଥି କରାଯାଇଛି।ତାଙ୍କର ବିଜୟ ଓଡ଼ିଶା ପାଇଁ ଏକ ବଡ ସଫଳତା ଆଣିଦେବ।