ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଧିରେଧିରେ ବିବାଦ ବୃଦ୍ଧି ପାଉଛି। ନିର୍ମାଣ କାର୍ଯ୍ୟକୁ ବିଜେପିର ଦୁଇ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ବେଆଇନ କହି ଜୋରଦାର ବିରୋଧ କରୁଥିବା ବେଳେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି ଯେ ସେ ଏହାକୁ କେବେ ବି ବିରୋଧ କରି ନାହାନ୍ତି। ଏହା ସହିତ ଏହି କାମକୁ ତୁରନ୍ତ ଶେଷ କରାଯାଉ ବୋଲି ସେ କହିଛନ୍ତି।

ରାଷ୍ଟ୍ରୀୟ ମୁଖପାତ୍ରଙ୍କ ବିରୋଧ,ସମର୍ଥନ କରୁଛନ୍ତି ବିଧାୟକ
ପୁରୀ ପରିକ୍ରମା ପ୍ରକଳ୍ପକୁ ପ୍ରଥମେ ଅପରାଜିତା ଓ ଏବେ ସମ୍ବିତ ପାତ୍ର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ଥିବା ବେଳେ ସରକାରୀ ଦଳର ହଁ ରେ ସ୍ୱର ମିଶାଇଛନ୍ତି ପୁରୀ ବିଧାୟକ। ସେ କହିଛନ୍ତି, “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ମୁଁ କେବେ ବି ବିରୋଧ କରିନି। ପ୍ରାରମ୍ଭରୁ ମୋର ଏଥିପ୍ରତି ସମର୍ଥନ ରହିଛି, ଆଜି ବି ଅଛି। ପୁରା ପ୍ରକଳ୍ପ କାମ ଶେଷ ହେବା ପର୍ଯ୍ୟନ୍ତ ସମର୍ଥନ ରହିବ। ମୁଁ କେବେ ମତ ବଦଳେଇନି। ଏମାର ମଠ ଭଙ୍ଗା ହେଲା ଦିନଠୁ ମୁଁ ଏହାକୁ ସମର୍ଥନ କରୁଛି। ଜଗନ୍ନାଥ ମନ୍ଦିରରେ ଯେଉଁ ପ୍ରକଳ୍ପ ଚାଲିଛି, ତାକୁ ନେଇ କୌଣସି ପ୍ରକାର ରାଜନୀତ କରା ନଯାଉ। ଏହାକୁ ସମସ୍ତେ ସହଯୋଗ କରନ୍ତୁ। ରାଜ୍ୟ ସରକାର ଓ ଭାରତ ସରକାର ମିଶିକି କାମଟାକୁ ସାରି ଦିଅନ୍ତୁ।ଏହାକୁ ଯେତେ ବିବାଦ ଭିତରକୁ ଟାଣିବେ ଶ୍ରୀମନ୍ଦିର ଓ ପୁରୀ ସହରବାସୀଙ୍କର ସେତେ ଅଧିକ କ୍ଷତି ହେବ।”
ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ସରକାରକୁ ସୁହାଇଲା ଭଳି ମନ୍ତବ୍ୟ ଦେଇଥିବାରୁ ଏବେ ସସ୍ପେନ୍ସ ଜୋନରେ ପୁରୀ ବିଧାୟକ।