ଗୋପବନ୍ଧୁ ଦାସ ଓଡ଼ିଶାର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ। ସେ ଏକାଧାରାରେ ଜଣେ ସ୍ୱାଧିନତା ସଂଗ୍ରାମୀ,ସମାଜସେବୀ,ସୁ ସାହିତ୍ୟିକ ତଥା ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ଭାବେ ସୁବିଦିତ। ୧୮୭୭ ଅକ୍ଟୋବର ୯ରେ ପୁରୀଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ତାଙ୍କର ଜନ୍ମ। ତାଙ୍କ ପିତା ହେଉଛନ୍ତି ଦୈତାରୀ ଦାସ ଓ ମା ସ୍ୱର୍ଣ୍ଣମୟୀ ଦେବୀ। ଓଡ଼ିଶା ପ୍ରତି ତାଙ୍କର ଅବଦାନ ତାଙ୍କୁ ଚିର ସ୍ମରଣୀୟ କରିଛି। ସେବା ମନୋଭାବକୁ ସମ୍ବଳ କରି ଜଣେ ଅପରିକଳ୍ପନୀୟ ସମାଜସେବୀର ସ୍ୱୀକୃତି ପାଇଛନ୍ତି। ମହାତ୍ମା ଗାନ୍ଧୀଙ୍କୁ ଓଡ଼ିଶା ଆଣିବା ପଛରେ ଗୋପବନ୍ଧୁଙ୍କ ଭୂମିକା ରହିଛି। ତାଙ୍କ ଜୟନ୍ତୀ ଅବସରରେ କିଛି ତଥ୍ୟ ବିଷୟରେ ଜାଣିବା।
ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମୟରେ ଗୋପବନ୍ଧୁଙ୍କ ଉପସ୍ଥିତି
କେମିତି ଥିଲା ଗୋପବନ୍ଧୁଙ୍କ ଜୀବନ
ଗୋପବନ୍ଧୁ ଦାସଙ୍କ ଜୀବନ କୁବ୍ ସଂଘର୍ଷମୟ ଥିଲା। ଖୁବ୍ କମ୍ ବର୍ଷ ବୟସରେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା। ୧୮୯୩ ରେ ସେ ପୁରୀ ଜିଲ୍ଲା ସ୍କୁଲରେ ଅଧ୍ୟୟନ ଆରମ୍ଭ କରିଥିଲେ। ସେଠାରେ ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହ ତାଙ୍କର ଭେଟ ହୋଇଥିଲା। ତାଙ୍କଠୁ ସେ ଦେଶସେବାର ମନ୍ତ୍ର ଶିଖିଥିଲେ। ୧୨ ବର୍ଷ ବୟସରେ ସେ ବିବାହ କରିଥିଲେ। ସେବା ମନୋଭାବକୁ ଆପଣେଇ ସେ ପୁରୀ ସେବା ସମିତି ଗଠନ କରିଥିଲେ। ସେବା ସମିତି ଜରୀଆରେ ସେ ହଇଜା ରୋଗୀଙ୍କ ସେବା କରିବା ସହ ଶବ ସଂସ୍କାର,ପରିଷ୍କାର ପରିଚ୍ଛନତା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ କାମ କରୁଥିଲେ। ମଧୁସୂଦନ ଦାସଙ୍କ ନିଷ୍ପତ୍ତି କ୍ରମେ ସେ ସତ୍ୟବାଦୀର ବକୁଳ ଛୁରୀୟାନାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧିନତା ଆନ୍ଦୋଳନର ପରିଚାଳନା ହେଉଥିଲା। ଓଡ଼ିଆ ଭାଷାର ବିଲୁପ୍ତ ପାଇଁ କରାଯାଇଥିବା ଚକ୍ରାନ୍ତକୁ ସେ ତୀବ୍ର ବିରୋଧ କରୁଥିଲେ। କଟକରେ ପଢ଼ୁଥିବା ସମୟରେ କର୍ତ୍ତବ୍ୟ ବୋଧିନୀ ସମିତି ଗଠନ କରି ଏହାର ତୀବ୍ର ବିରୋଧ କରୁଥିଲେ।୧୯୦୪ରେ ରେଭେନ୍ସାରୁ ବିଏ ପାସ୍ କଲା ପରେ କଲିକତାରେ ବି ଏଲ୍ କରିଥିଲେ। କଲିକତାରେ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଓଡ଼ିଆ ଶ୍ରମୀକ ସଂଘ ଓ ସାନ୍ଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ବନ୍ୟା ସମୟରେ ସେବା କରିବାକୁ ଯାଇ ସେ ତାଙ୍କ ପୁଅକୁ ହରାଇଥିଲେ।
କାହିଁକି ସମାଜ ପ୍ରତିଷ୍ଠା କରିଥିଲେ ଗୋପବନ୍ଧୁ
ସାହିତ୍ୟ ଓ ସମାଜସେବା ସହିତ ଜଡ଼ିତ ଗୋପବନ୍ଧୁଙ୍କ ଅନନ୍ୟ କୃତି ହେଉଛି ସମାଜ। ଓଡ଼ିଶା ଲୋକଙ୍କ ଦୂର୍ଦ୍ଦଶା,ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ,ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା, କଂଗ୍ରେସର ଆଭିମୁଖ୍ୟ ପ୍ରଚାର ପ୍ରସାର ତଥା ସଂଗ୍ରାମ ବିଷୟରେ ଲୋକଙ୍କୁ ଅବଗତ କରାଇବାକୁ ୧୯୧୯ ଅକ୍ଟୋବର ୪ ରେ ଦଶହରା ତିଥିରେ ସେ ସମାଜ ପ୍ରତିଷ୍ଠା କରିଥିଲେ। ପ୍ରଥମେ ଏହା ସତ୍ୟବାଦୀରୁ ପ୍ରକାଶ ପାଉଥିଲା। ପରେ ପରେ ୧୯୨୪ ରେ ପୁରୀରୁ ଓ ୧୯୨୭ରେ କଟକରୁ ପ୍ରକାଶ ପାଇଲା। ୧୯୩୦ ରେ ଏହା ସାପ୍ତାହିକ ଖବର କାଗଜରୁ ଦୈନୀକ ଖବରକାଗଜରେ ପରିଣତ ହେଲା। ପୁଲିସର ଅମାନୁଷିକ ଅତ୍ୟାଚାର,ଇଂରେଜ ସରକାରଙ୍କ ବର୍ବରତା ଖବର ପ୍ରକାଶ କରିବାରୁ ଇଂରେଜ ସରକାର ତାଙ୍କୁ କାରାବଦ୍ଧ ମଧ୍ୟ କରାଇଥିଲେ। ଜେଲରେ ଥିବା ସମୟରେ ବନ୍ଦୀର ଆତ୍ମକଥା ଓ କାରାକବିତା ରଚନା କରିଥିଲେ। ୧୯୨୪ ରେ ଜେଲକୁ ଫେରିବା ସମୟରେ କଟକରେ ଏକ ବିଶାଳ ସମ୍ବର୍ଦ୍ଧନା ସଭାରେ ବୈଜ୍ଞାନୀକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ଉତ୍କଳମଣୀ ସମ୍ବୋଧନ କରିଥିଲେ। ଲୋକେ ଏହାକୁ ତାଳି ମାରି ସମ୍ମତି ବି ଦେଇଥିଲେ। ସେବେଠୁ ଦେଶ ସେବାରେ ଅବଦାନ ପାଇଁ ଲୋକସେବକ ମଣ୍ଡଳୀର ଆଜୀବନ ସଦସ୍ୟ ସାଜିବା ସହ ଉପାଧ୍ୟକ୍ଷ ହୋଇଥିଲେ। ୧୯୨୮ରେ ଲୋକସେବକ ମଣ୍ଡଳୀର ବୈଠକ ପାଇଁ ଲାହୋର ଯିବା ସମୟରେ ସେ ଆନ୍ତ୍ରୀକ ଜ୍ୱରରେ ପୀଡ଼ିତ ହୋଇଥିଲେ। ଧିରେଧିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ୧୯୨୮ ଜୁନ୍ ୧୭ ଟା ୭.୨୫ ରେ ତାଙ୍କର ଦେହାନ୍ତ ହୋଇଥିଲା।। ମୃତ୍ୟୁର ଦୁଇ ଘଣ୍ଟା ପୁର୍ବରୁ ସେ ତାଙ୍କ ଇଚ୍ଛାପତ୍ରରେ ସମାଜ ଓ ସତ୍ୟବାଦୀର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ।
ଏଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା