ଅନେକ ସମୟରେ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରି ନିଜ ନାଁ ରେ ନାମିତ କରିଛନ୍ତି। କେନ୍ଦ୍ରୀୟ ଅନୁଦାନକୁ ବାଟବଣା କରି ସେଥିରେ ରାଜ୍ୟ ସରକାରଙ୍କ ଅନୁଦାନର ମୋହର ଲାଗିଛି। ବଜେଟ ଅଧିବେଶନରେ ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଲ୍ଲେଖ କରିବା ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଧ୍ୟ ଏ କଥା ସାମ୍ନାକୁ ଆଣିଛନ୍ତି। ଜନସାଧାରଙ୍କୁ ପ୍ରଭାବିତ କରି ଭୋଟ ବ୍ୟାଙ୍କ ହାତେଇବାକୁ ରାଜ୍ୟ ସରକାର ଯୋଜନାର ହେରଫେର କରିବାର ଅଭିଯୋଗ ଆସିଛି। ପ୍ରାୟୋଜିତ ଯୋଜନାର ନାଁ ଓ ଗାଇଡ଼ଲାଇନ୍ ଚେଞ୍ଜ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର ଏ ନେଇ ତାଙ୍କ ଆଭିମୁଖ୍ୟ କଡ଼ାକଡ଼ି କରିଛନ୍ତି। କେନ୍ଦ୍ରୀୟ ଯୋଜନାର ଗାଇଡ଼ଲାଇନ୍ ପାଳନ ନ କଲେ ପାଣ୍ଠି ବନ୍ଦ ହେବା ନେଇ ସରକାର ନିଷ୍ପତ୍ତି କଠୋର କରିବାକୁ ଯାଉଛନ୍ତି।
ବନ୍ଦ ହେବ ରାଜ୍ୟ ସରକାରଙ୍କ ଚାଲାକି
ବିଭିନ୍ନ ପ୍ରକାର କେନ୍ଦ୍ରୀୟ ଯୋଜନାରେ ଲାଗୁଛି ରାଜ୍ୟ ଯୋଜନାର ଟ୍ୟାଗ୍। ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା,ଆୟୁଷ୍ମାନ ଭାରତ ଯୋଜନା ଆଦିକୁ ନିଜ ନାମରେ ବ୍ରାଣ୍ଡିଂ କରି ରାଜ୍ୟ ସରକାର ଚାଲାକି କରୁଛନ୍ତି। ଏପରିକି କେନ୍ଦ୍ରୀୟ ଲୋଗୋ ହଟାଇ ରାଜ୍ୟ ସରକାର ନିଜ ଲୋଗୋ ଲଗାଇବାକୁ ବି ପଛଉ ନାହାନ୍ତି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଗିଛି ବିଜୁ ପକ୍କାଘର ଲୋଗୋ।
କେବଳ ଓଡ଼ିଶା ନୁହେଁ ପଶ୍ଚିମ ବଙ୍ଗ,ଆନ୍ଧ୍ର ପ୍ରଦେଶ,ପଞ୍ଜାବ,ରାଜସ୍ଥାନ ଆଦି ଅନେକ ରାଜ୍ୟରେ ଏଭଳି ଚାଲିଛି। ବିଭିନ୍ନ ସ୍ଥାନରୁ ଆସୁଛି ଗାଇଡ଼ଲାଇନ ନ ମାନିବାର ଅଭିଯୋଗ। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବଙ୍ଗଳା ଆବାସ ଯୋଜନା,ଆନ୍ଧ୍ରପ୍ରଦେଶରେ ଆୟୁଷ୍ମାନ ଭାରତ ଯୋଜନା ହେଲଥ୍ ଆଣ୍ଡ ୱେଲନେସ କ୍ଲିନିକକୁ ମୋହଲ୍ଲା କ୍ଲିନିକ୍ ଭାବେ ବ୍ରାଣ୍ଡିଂ କରାଯାଇଛି। ଯୋଜନା ପାଇଁ କେନ୍ଦ୍ର ସରକାର ପାଣ୍ଠି ଯୋଗାଉଥିଲା ବେଳେ ରାଜ୍ୟ ସରକାର ଏହାକୁ ନିଜ ନାମରେ ବ୍ରାଣ୍ଡିଂ କରିବା ଷଡ଼ଯନ୍ତ୍ର ବିରୁଦ୍ଧରେ କେନ୍ଦ୍ର ସରକାର ଆଭିମୁଖ୍ୟ କଡା କରିଛନ୍ତି। କେନ୍ଦ୍ରୀୟ ଯୋଜନାର ନାମ ପରିବର୍ତ୍ତନ କଲେ ପାଣ୍ଠି ବନ୍ଦ ହୋଇଯାଇପାରେ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା