ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି  ସେତିକି ବିବାଦ ଦେଖାଦେଉଛି। ସମାଜବାଦୀ ପାର୍ଟି ପୁଣି ଥରେ ସତ୍ତାକୁ ଫେରିବାକୁ ପ୍ରୟାସ ଜାରି ରଖିଥିଲା ବେଳେ ଦଳ ଛାଡୁଛନ୍ତି ଟାଣୁଆ ନେତା ।ବିଜେପିକୁ ମାତ୍‌ ଦେବ ବୋଲି ଜୋରସୋର୍‌ରେ କସରତ୍‌ ଜାରି ରଖିଥିବା ସମାଜବାଦୀ ପାର୍ଟିକୁ ବିଜେପି  ଦେଇଛି ବଡ ଝଟ୍‌କା। ତାଙ୍କରି ଘର ଭିତରୁ ହିଁ ଜଣେ ଟାଣୁଆ ନେତାଙ୍କୁ ନିଜ ଆଡକୁ ଟାଣି ଆଣିଛି ବିଜେପି। 


ଅପର୍ଣ୍ଣା ଯାଦବ

ୟୁପି ରାଜନୀତିରେ ଏକ ନୁଆ ମୋଡ ଦେଖିବାକୁ ମିଳିଛି।ସାଇକେଲରୁ ଓହ୍ଲାଇ ପଦ୍ମ ଧରିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂହ ଯାଦବଙ୍କ ଭାଇବୋହୁ ଅପର୍ଣ୍ଣା ଯାଦବ। ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହ ତାଙ୍କୁ ବିଜେପିରେ ବିଧିବଦ୍ଧ ଭାବେ ସାମିଲ କରାଇଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ଡେପୁଟି ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ।ଅପର୍ଣ୍ଣା ୨୦୧୭ ବିଧାନସଭା ନିର୍ବାଚନ ଲଢ଼ିଥିଲେ ।କେଣଟ ଆସନରୁ ସାଇକଲ ଚିହ୍ନରେ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେତେବେଳେ ତାଙ୍କୁ ୬୩ ହଜାର ଭୋଟ ମିଳିଥିଲା।ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କୁ ଦେଇଥିଲେ କଡା ଟକ୍କର।
ବିଜେପିରେ ସାମିଲ ହେବା ପରେ ଅପର୍ଣ୍ଣା କହିଛନ୍ତି, ‘ମୁଁ ସର୍ବଦା ପିଏମ ମୋଦୀଙ୍କ ଦ୍ୱାରା ପ୍ରଭାବିତ ହୋଇଛି। ଦେଶ ମୋ ପାଇଁ ପ୍ରଥମ ଅଟେ | ମୁଁ ବର୍ତ୍ତମାନ ଦେଶକୁ ପୂଜା କରିବାକୁ ବାହାରିଛି, ଯେଉଁଥିରେ ମୁଁ ସମସ୍ତଙ୍କ ସହଯୋଗ ଚାହୁଁଛି।’ ତେବେ ଆଗକୁ ଅପର୍ଣ୍ଣା କେଉଁ ଆସନରୁ ଲଢ଼ିବେ ଆଉ ନିଜ ଘରର କାହାକୁ ଟକ୍କର ଦେବେ ତାହା ଦେଖିବା ବାକି ରହିଲା।ଅପରଣ୍ଣାଙ୍କ  ଦଳ ଛାଡିବା ପ୍ରସଙ୍ଗରେ ସମାଜବାଦୀ ମୁଖ୍ୟ ସକାରାତ୍ମକ ମନ୍ତବ୍ୟ ପ୍ରଦାନ କରିବା ସହ ରାଜନୈତିକ ଅଭିବୃଦ୍ଧି କାମନା କରିଛନ୍ତି ।
ଏ ଷ୍ଟୋରୀ ଲେଖିଛନ୍ତି-ଦେବେନ୍ଦ୍ର ନାୟକ ।