ଭୁବନେଶ୍ୱର : ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦାମ ରାଉତଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ବିଜେଡିର ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ତେବେ ଦାମ ରାଉତଙ୍କୁ କାହିଁକି ଦଳରୁ ବହିଷ୍କାର କରାଗଲା ସେ ସମ୍ପର୍କରେ କୌଣସି କାରଣ ବିଜେଡି ପ୍ରେସ ବିଜ୍ଞପ୍ତିରେ ଲେଖା ଯାଇନାହିଁ । ଅବଶ୍ୟ ଚାରା, ଓମଫେଡ୍ ଜରି କିଣା, ସାର ଦୁର୍ନୀତିର ପର୍ଦ୍ଦାଫାସ କରି ସରକାର ଅଡୁଆରେ ପକାଉ ଥିଲେ ଦାମ ରାଉତ । ସମବାୟ ବ୍ୟାଙ୍କ ଦୁର୍ନୀତି  ଏବଂ ସ୍ୱାସ୍ଥ୍ୟ ବିଭାଗର ଅନିୟମିତ କଥା ଉଠାଇ ଗତ ସପ୍ତାହେ ହେଲାଣି ନିଜ ଦଳର ସରକାରର ମୁଖା ଖୋଲି ଦେଲେ ଦାମ ରାଉତ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକେନ ପାଣ୍ଡିୟାନଙ୍କୁ ସମସ୍ତ ଦୁର୍ନୀତିକାରୀଙ୍କ ଗଡଫାଦର ବୋଲି ଦାମ ବାବୁ ଇଙ୍ଗିତ କଲେ ।  ଯାହା  ଫଳରେ ଦାମ ରାଉତଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଛି ।

BJD PRESS RELEASE

ବୈଜୟନ୍ତ ଫର୍ମୁଲାର ରିପିଟ୍
ନିର୍ବାଚନୀ ବର୍ଷରେ ସରକାରଙ୍କ ଦୁର୍ନୀତିର ଗୁମର ଖୋଲିବା ସହ ଯୁବ ବିଧାୟକଙ୍କୁ ଦାମଙ୍କ ଆଟାକ୍ ବିଜେଡି ନେତାଙ୍କ ଅକଲ ଗୁଡୁମ୍ କରି ଦେଇଥିଲା। ସେଥିପାଇଁ ବୈଜୟନ୍ତ ପଣ୍ଡାଙ୍କ ନିଲମ୍ବନ ସମୟରେ ଯେପରି ଡ୍ରାମା ଦେଖିବାକୁ ମିଳିଥିଲା, ଦାମ ବାବୁଙ୍କ କ୍ଷେତ୍ରରେ ତାହାର ପୁନରାବୃତ୍ତି ଦେଖିବାକୁ ମିଲିଲା। ଜଗତ୍ସିଂହପୁର ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ନବୀନ ପଟ୍ଟନାୟକଙ୍କୁ ଭେଟି ଦଳ ବିରୋଧୀ କାର୍ଯ୍ୟ ପାଇଁ ଦାମଙ୍କୁ ବିଜେଡିରୁ ବହିଷ୍କାର କରିବାକୁ ଦାବି କରିଥିଲେ । ସବୁବେଳେ ମିଡିଆ ଠାରୁ ଦୂରତା ରଖୁଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ କିନ୍ତୁ ଏହି ପ୍ରସଙ୍ଗରେ ମୁହଁ ଖୋଲି ବିଚାର କରୁଥିବା ସାମ୍ବାଦିକଙ୍କୁ ଜଣାଇଥିଲେ । ତେଣୁ ବହିଷ୍କାର ଖବର ଆସିବା ପରେ ଦାମ ବିରୋଧୀ କ୍ୟ।।ମ୍ପରେ ଏବେ ଖୁସିର ଲହରୀ । ସେପଟେ ଦାମ ବି ନଛୋଡବନ୍ଧା । ବିଜେଡରୁ ବିଦା ହେଲା ପରେ ଅନୁଶୋଚନା ଥିଲା ପରି ଲାଗୁ ନାହିଁ। “କାହିଁକି ତାଙ୍କୁ ଦଳରୁ ବହିଷ୍କାର କରାଗଲା ତାର କାରଣ ସେ ଜାଣନ୍ତି ନାହିଁ” ବୋଲି ଦାମ ରାଉତ ପ୍ରତିକ୍ରିୟା ଦେଇଛନ୍ତି ।

ମହଙ୍ଗା ପଡିଲା ବବି-ଅରୁଣ-ଦେବାଶିଷଙ୍କୁ  ଟାର୍ଗେଟ
BAD GROUP

ଅନ୍ୟପକ୍ଷରେ ବିଜେଡିରେ କଣ ଚାଲିଛି  BAD(ବ୍ୟାଡ୍) ରାଜ୍ ?  ପଢିଲା-ଶୁଣିଲା ବେଳକୁ ଟିକେ ଅଡୁଆ ଲାଗୁଛି। କିନ୍ତୁ ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଦାମୋଦର ରାଉତ ଏକଥା କହୁଛନ୍ତି । ଦାମ ବାବୁ କହିଛନ୍ତି ବିଜୁ ପଟ୍ଟନାୟଙ୍କ ଆଦର୍ଶରୁ ବିଜେଡି ଦୂରେଇ ଗଲାଣି । ଦଳ ଏବେ ଜଣେ ଆଇଏଏସ ଅଫିସର ଏବଂ ଯାଜପୁର ବିଧାୟକ ବବି ଦାସ,  ନୟାଗଡ ବିଧାୟକ ଅରୁଣ ସାହୁ ଓ କଟକ ବାରବାଟୀ  ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନିୟନ୍ତ୍ରଣରେ ରହିଛି । କୁଆଡେ, ବିଜେଡିରେ Bobby, Arun ଏବଂ Debasish (BAD)ଙ୍କ ଭାଉ ଅଧିକ ! ପୁରା ବିଜେଡିକୁ ପରିଚାଳିତ କରୁଛନ୍ତି ଏହି BAD ଗ୍ରୁପ । ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ଏଭଳି ମିଡିଆ ଆଗରେ  ବର୍ଣ୍ଣନା କରିଛନ୍ତି ଦାମୋଦର ରାଉତ । ତେବେ ଗତ ଡିସେମ୍ବର ୨୩ରେ ଦାମ ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ ନବୀନ ପଟ୍ଟନାୟକ । ଏପରିକି ବିଜେଡି ଉପସଭାପତି ଓ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ଦାମ ରାଉତଙ୍କୁ ହଟା ଯାଇଥିଲା।

କାମ ଦେଲାନି ବିଜୟ ଢାଲ

bijay-big

ତେବେ କଥା ଚାତୁରୀରେ ମିଡିଆରେ ଚର୍ଚ୍ଚାରେ ରହୁଥିବା ବ୍ୟକ୍ତି ହେଉଛନ୍ତି ଦାମୋଦର ରାଉତ। ଅନେକ ସମୟରେ ସରକାରଙ୍କର ତ୍ରାଣକର୍ତ୍ତା ବି ସାଜିଛନ୍ତି ସେ । ବିରୋଧୀଙ୍କ ଉପରେ କାଉଣ୍ଟର  ଆଟାକ୍ ପାଇଁ ସେ ଯେପରି ଥାନ୍ତି ସର୍ବଦା ପ୍ରସ୍ତୁତ। ବିଜେଡିର ମହାନଦୀ ବଞ୍ଚାଅ ଆନ୍ଦୋଳନର ଗତ ମେ’ ୨୫ରେ ପାରାଦୀପରେ ଶେଷ ହୋଇଥିଲା । ସେହି ସମାବେଶକୁ ସଫଳ କରିବାକୁ ଦାମ ବାବୁଙ୍କୁ ଦାୟିତ୍ୱ ଦେଇଥିଲେ ନବୀନ ପଟ୍ଟନାୟକ। ବିରୋଧୀ ବିଜେପିକୁ ଶାଣିତ ସମାଲୋଚନା କରି ନବୀନଙ୍କ ମନ ଜିଣିଥିଲେ । ଏପଟେ ସୋସିଆଲ୍ ମି଼ଡିଆରେ ସକ୍ରିୟ ହେଲେଣି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ଥ ବିଜୟ ପଟ୍ଟନାୟକ କୁଆଡେ ଦାମଙ୍କୁ ଦଳରୁ ବିଦା କରିବାର ସପକ୍ଷରେ ନଥିଲେ। ନିର୍ବାଚନୀ ବର୍ଷରେ ଦାମଙ୍କୁ ଦଳରୁ ବିଦା କରିବା ବିଜେଡି ପାଇଁ ବୁମେରାଂ ହୋଇପାରେ ବୋଲି ବିଜୟ ନବୀନଙ୍କୁ ବୁଝାଇ ଥିବା ଚର୍ଚ୍ଚା ହେଉଥିଲା ।

ବିଜୟ-ପ୍ୟାରୀଙ୍କ ଦଶା
ତେବେ ୨୬ ଡିସେମ୍ବର, ୧୯୯୭ ମସିହାରେ ବିଜେଡିର ମୁଳଦୁଆ ପଡିଥିଲା । ଦେଖିବାକୁ ଗଲେ ଦଳ ଗଠନ ଠାରୁ ୨୦୧୨ ପର୍ଯ୍ୟନ୍ତ ୨ଜଣ ବ୍ୟକ୍ତିଙ୍କ ଅଖଣ୍ଡ ପ୍ରଭାବ ବିଜେଡି ସଂଗଠନ ଉପରେ ରହିଥିଲା । ଜଣେ ହେଲେ ବିଜୟ ମହାପାତ୍ର ଅନ୍ୟ ଜଣଙ୍କ ହେଉଛନ୍ତି ଦିବଂଗତ ପ୍ୟାରୀମୋହନ ମହାପାତ୍ର । କ୍ଷମତା ଅପହରଣ ପାଇଁ ୨୦୧୨ ମେ ୨୯ର  ମିଡ୍ ନାଇଟ୍ ଅପରେସନ୍ ପରେ ବିଡେଡିରେ ପ୍ୟାରୀ ଯୁଗର ଅବସାନ ହେଲା । ଆଉ ରାଜ୍ୟରେ ସରକାର ଗଠନ ଆଗରୁ, ମାନେ ୫ ଫେବ୍ରୁଆରୀ ୨୦୦୦ରେ ବିଜୟ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରଗଲା। ବାସ୍ତବରେ ବିଜୟ ଓ ପ୍ୟାରୀ ବିଜେଡି ସଂଗଠନ ସୁଦୃଢ ପାଇଁ କାମ କରୁଥିଲେ । ସେପେଟେ ବିଜୁ ଲିଗାସିରେ ବିଶ୍ୱାସ ରଖି ଦଳ ଆରମ୍ଭ କରିଥିବା ଦିଲ୍ଲୀପ ରାୟ, ରାମକୃଷ୍ଣ ପଟ୍ଟନାୟକ, ନଳିନୀ ମହାନ୍ତି, କମଳା ଦାଶ, ବ୍ରଜକିଶୋର ତ୍ରିପାଠୀ ଏବେ ବିଜେଡି ବାହାରେ। ପ୍ରଫୁଲ୍ଲ ଘଡାଇଙ୍କ ପରି ନେତା ଏବେ ଦଳରୁ ବହିଷ୍କୃତ। ଯଦିଓ ସୁର ନାୟକ ଦଳରେ ରହିଛନ୍ତି, ମାତ୍ର ସେ କୋଣଠେସା । ଏସବୁ ଭିତରେ ବିଜେଡିରେ ଏବଂ ସରକାରରେ ଅଫିସର ରାଜର ପ୍ରଭାବ ବଢିଛି। ସେମିତି ବି ଦେଖିବାକୁ ଗଲେ ମନ୍ତ୍ରୀ ପଦେ ଥିଲାବେଳେ ଦାମ ରାଉତ ଚୁପ୍ ରହିଲେ। ଆଉ ପାୱାରୁ ବିତାଡିତ ହେବା ପରେ ନିର୍ବାଚନୀ ବର୍ଷରେ ଦାମ ରାଉତ, ଦଳୀୟ ନେତାଙ୍କ ବିରୋଧରେ ଏମିତି ବିଷ ଉଗାଳିବା ଠିକ୍ ହେଉନଥିଲା ଚର୍ଚ୍ଚା ହେଉଛି ।