BSKYରେ ଆୟୁର୍ବେଦିକ ଚିକିତ୍ସାକୁ ଅଣଦେଖା

୨୦୧୮ ଅଗଷ୍ଟ ୧୫ରେ ଓଡ଼ିଶା ସରକାର ସ୍ୱାସ୍ଥ କ୍ଷେତ୍ରରେ କରିଥିଲେ ଏକ ନୁଆ ଘୋଷଣା। ଯାହାର ନାଁ ଥିଲା BSKY ଅର୍ଥାତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସହ ୧୫ ଲକ୍ଷ ଲେଖାଏଁ ମେଡ଼ିକାଲ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଥିଲେ ସରକାର। କେବଳ ସରକାରୀ ଡ଼ାକ୍ତରଖାନା ନୁହେଁ ପ୍ରାଇଭେଟ୍ ହସ୍ପିଟାଲରେ ମଧ୍ୟ ଏ ନେଇ ଚୁକ୍ତି ହୋଇଛି।

ମାତ୍ର ଏଥିରୁ ବାଦ ପଡ଼ିଛି ଆୟୁର୍ବେଦିକ ଚିକିତ୍ସା। ଆୟୁର୍ବେଦିକ ଚିକିତ୍ସା ଉପରେ ଅନେକ ଲୋକ ନିର୍ଭର କରୁଥିଲା ବେଳେ ରାଜ୍ୟରେ ରହିଛି ମାତ୍ର ୩ ଟି ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ।ଯାହାର ସଂଖ୍ୟା ଆବଶ୍ୟକତାଠୁ ଢେର୍ କମ୍। ଆୟୁର୍ବେଦିକ ଚିକିତ୍ସା ପାଇଁ ଲୋକଙ୍କ ଆଗ୍ରହ ବଢିଥିଲା ବେଳେ BSKY କାର୍ଡରେ ମିଳୁନି ସୁବିଧା। ପଞ୍ଚକର୍ମ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ। ରୋଗୀଙ୍କୁ ଦେବାକୁ ପଡ଼ୁଛି ୟୁଜର୍ସ ଫି।

ଶିରୋଧାରା,ଶିରୋବସ୍ତି,ଶାସ୍ତିକ ଶାଳୀ ପିଣ୍ଡ,ସନ୍ଧିବାତ ଭଳି ଚିକିତ୍ସା ପାଇଁ ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଶିରୋଧାରା ପାଇଁ ଦିନକୁ ୧୦୦୦ ଟଙ୍କା ଦବାକୁ ପଡୁଥିଲା ବେଳେ କିଛି ଚିକିତ୍ସାର ଦୈନିକ ଖର୍ଚ୍ଚ ୨୦୦୦ ଡେଉଁଛି। ଅଧିକାଂଶ ହସ୍ପିଟାଲରେ କାମ କରୁନି ପାଥୋଲୋଜି ଓ ଡ଼ାଇଗ୍ନୋଷ୍ଟିକ୍ ପରି ସ୍ୱାସ୍ଥ୍ୟ ସୁବିଧା। ଔଷଧର ଗୁଣବତ୍ତାକୁ ନେଇ ମଧ୍ୟ ଅନେକ ସମୟରେ ଅଭିଯୋଗ ଆସୁଛି।

ସରକାର ଘରୋଇ ହସ୍ପିଟାଲକୁ ୨୦୨୧ ରେ ୨୨୪.୮୭ କୋଟି ଦେଇଥିଲା ବେଳେ ୨୦୨୨ରେ ଦେଇଛନ୍ତି ୧୪୫୬ କୋଟି। ତେବେ ଏଲୋପାଥିକ୍ ଅପେକ୍ଷା ଆୟୁର୍ବେଦିକ ଚିକିତ୍ସାରେ କମ୍ ଖର୍ଚ୍ଚ ବହନ କରିବାକୁ ପଡ଼ୁଥିଲା ବେଳେ ସରକାର ଏହାକୁ BSKYରେ ସାମିଲ ନ କରିବା ଚିନ୍ତାର ବିଷୟ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us