ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଡେପୁଟି ମେୟର ନିର୍ବାଚନ ପାଇଁ ଛକାପଞ୍ଝା ଚାଲିଛି। ୬୭ଟି ୱାର୍ଡରୁ ବିଜେଡି ୪୮ଟିରେ ଜିତିଥିବା ହେତୁ ଡେପୁଟି ମେୟର ଆସନ ହାତେଇବା ନିଶ୍ଚିତ। ସେପଟେ ସ୍ୱାଧିନ ଭାବେ ଲଢ଼ି ଜିତିଥିବା କର୍ପୋରେଟଙ୍କୁ ବିଜେଡିରେ ମିଶାଇବା ପାଇଁ ଭୁବନେଶ୍ୱର ମଧ୍ୟ, ଉତ୍ତର ଓ ଏକାମ୍ର ବିଧାୟକ ଚେଷ୍ଟା ଚଳାଇଛନ୍ତି। ତେବେ କିଏ ଏହି ପଦରେ ବସିବ ଓ ବିଜେଡି କାହାକୁ ଡେପୁଟି ମେୟର ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା।
ଅମରେଶଙ୍କ ସହ ଭିଡୁଛନ୍ତି ଲିଟୁ
ଚଳିତ ନିର୍ବାଚନରେ ଜିତିଥିବା କିଛି କର୍ପୋରେଟରଙ୍କ ନାମ ପୂର୍ବରୁ ମେୟର ପଦ ପାଇଁ ମଧ୍ୟ ଚର୍ଚ୍ଚା ହେଉଥିଲା। କିନ୍ତୁ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ପରେ ସେମାନେ ଡେପୁଟି ମେୟର ପଦରେ ସୁନ୍ତୁଷ୍ଟ ହେବା ଲକ୍ଷ୍ୟରେ ଅଛନ୍ତି। ଡେପୁଟି ମେୟର ପଦ ହାତେଇବା ଦୌଡ଼ରେ ୫୯ ନମ୍ବର ୱାର୍ଡର କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର (ଲିଟୁ) ଓ ୪୫ ନମ୍ବର ୱାର୍ଡର କର୍ପୋରେଟର ଅମରେଶ ଜେନା (ବାୟାଁ) ଆଗରେ ଅଛନ୍ତି। ଏହି ଦୁଇ ହେଭିୱେଟ୍ କର୍ପୋରେଟର ଚଳିତ ନିର୍ବାଚନରେ ବିରାଟ ବ୍ୟବଧାନରେ ଜିତିଥିବା ବେଳେ ଏକାଧିକ ଥର କର୍ପୋରେଟର ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ଚଳିତ ନିର୍ବାଚନ ଜିତିବା ପରେ ଲିଟୁ ୪ ଥର ଲାଗି କର୍ପୋରଟର ହୋଇଛନ୍ତି। ଲିଟୁ ମହାସୂପକାର ଗତ ନିର୍ବାଚନରେ ସେ ସ୍ୱାଧୀନ ଭାବେ ବିଜୟୀ ହୋଇଥିଲେ। ସେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହିତ କର୍ପୋରେଟର ଯାତ୍ରା ଆରମ୍ଭ କରିଥିବା ବେଳେ ଶ୍ରୀ ଜେନା କର୍ପୋରେଟରରୁ ମେୟର ଓ ପରେ ବିଧାୟକ ହୋଇଛନ୍ତି। ଏହି କ୍ରମରେ ଲିଟୁ ଡେପୁଟି ମେୟର ପାଇଁ ଦାବିଦାର ଥିବା ସହ ଏହି ପଦ ହାତେଇବା ପାଇଁ ଲବି ଚଳାଇଥିବା ଜଣାପଡ଼ିଛି।
ବିଧାୟକଙ୍କ ନିଷ୍ପତ୍ତିକୁ ମିଳିପାରେ ଗୁରୁତ୍ତ୍ୱ
ଡେପୁପୁଟି ମେୟର ଆସନକୁ ନେଇ ଛକାପଞ୍ଝା ଜାରି ରହିଥିବା ବେଳେ ବିଧାୟକଙ୍କ ମତକୁ ଗୁରୁତ୍ତ୍ୱ ଦେଇ ପାରନ୍ତି ବିଜେଡି ସୁପ୍ରିମୋ। ଲିଟୁଙ୍କୁ ଏକାମ୍ର ବିଧାୟତ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମର୍ଥନ ରହିପାରେ। ସମାନ ଭାବେ ୪୫ ନମ୍ବର ୱାର୍ଡର ହେଭିୱେଟ୍ ତଥା ତିନି ଥର କର୍ପୋରେଟର ଅମରେଶ ଜେନା ମଧ୍ୟ ଏହି ପଦ ପାଇଁ ବଡ଼ ଦାବିଦାର ସାଜିଛନ୍ତି। ଚଳିତ ନିର୍ବାଚନରେ ସେ ନିଜ ୱାର୍ଡରେ ହୋଇଥିବା ପୋଲିଂରୁ ୮୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି। ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସମର୍ଥନ ଅମରେଶଙ୍କୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।