ଭୁବନେଶ୍ୱର: ସୁପର ସନଡେର ସୁପର ହିଟ୍ ମୁକାବିଲାରେ ସୁପର ସୋ ଦେଖାଇଲେ ହିଟ ମ୍ୟାନ୍ ରୋହିତ ଶର୍ମା ଓ ହାର୍ଡ ହିଟର୍ ଓପନର୍ ଶିଖର ଧଓ୍ୱନ। ସୁପର ସନଡେ୍ ମ୍ୟାଚରେ ୯ଓ୍ୱିକେଟରେ ପାକିସ୍ତାନକୁ ହରାଇ ଏସିଆ କପ୍ ଫାଇନାଲରେ ପ୍ରଥମ ଦଳ ଭାବରେ ସ୍ଥାନ ପକ୍କା କରିଛି ଭାରତ। ରୋହିତ ଅପରାଜିତ ୧୧୧ରନ୍ କରିଥିବା ବେଳେ ଶିଖର ଧଓ୍ୱନ କରିଥିଲେ ୧୧୪ରନ୍ । ଏମାନଙ୍କୁ ଅଟକାଇ ପାରି ନଥିଲେ ପାକିସ୍ତାନୀ ଧୁରନ୍ଧର । ରୋହିତଙ୍କ ବ୍ୟାଟ୍ ଯଦି ଚାଲିଲା ତାଙ୍କୁ ରୋକିବା ବିଶ୍ୱର ଯେ କୌଣସି ବୋଲରଙ୍କ ପକ୍ଷେ କଷ୍ଟକର । ଅପରାଜିତ ଶତକୀୟ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିବା ରୋହିତଙ୍କ କ୍ୟାରିୟରର ଏହା ଥିଲା ୧୯ତମ ଶତକ ।ଫାଷ୍ଟ ୭ହଜାର ରନ୍
ପାକିସ୍ତାନ ବିପକ୍ଷରେ ଅପରାଜିତ ୧୧୧ ରନ୍ ବଳରେ ଦିନିକିଆ କ୍ରିକେଟରେ ୭ହଜାର ରନ୍ ପୂରଣ କରିଛନ୍ତି ରୋହିତ । ଦ୍ରୁତ ୭ହଜାର ରନ୍ କରିବାରେ ସେ ହୋଇଛନ୍ତି ବିଶ୍ଵର ପଞ୍ଚମ କ୍ରିକେଟର। ୧୮୧ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି ରୋହିତ ଶର୍ମା । ବିଶ୍ୱ ରେକର୍ଡ ରହିଛି ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କ ନାଁରେ। ସେ ୧୫୦ଇନିଂସରେ ୭ ହଜାର ରନ୍ ପୂରା କରିଥିଲେ । ଦ୍ୱିତୀୟ ସ୍ଥାନରେ ବିରାଟ କୋହଲି (୧୬୧ ଇନିଂସ), ତୃତୀୟ ଏ. ବି. ଡିଭିଲିୟର୍ସ (୧୬୬ ଇନିଂସ) ଓ ଚତୁର୍ଥ ସ୍ଥାନରେ ସୌରଭ ଗାଙ୍ଗୁଲି (୧୭୪ ଇନିଂସ) ଦ୍ରୁତ ୭ ହଜାର ରନ୍ ପାର କରିଥିବା ରେକର୍ଡର ଅଧିକାରୀ ହୋଇଛନ୍ତି ।
ଦିନିକିଆରେ ୧୯ତମ ଶତକ
୩୧ବର୍ଷୀୟ ରୋହିତ, ପାକିସ୍ତାନ ବିପକ୍ଷରେ ଯେତେବେଳେ ୯୪ରନ୍ କଲେ ସେତେବେଳେ ୭ହଜାର ରନ୍ ପୂରଣ ହୋଇଥିଲା । ଏହାପରେ ତାଙ୍କ ବ୍ୟାଟ୍ ଅଟକି ନଥିଲା। ଦିନିକିଆରେ ହାସଲ କରିଥିଲେ ୧୯ତମ ଶତକ । ଏଥିସହିତ ନ୍ୟୁଜିଲାଣ୍ଡର ରସ୍ ଟେଲର୍, ଓ୍ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା ଓ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କ ସମତୁଲ ହୋଇଛନ୍ତି ରୋହିତ । ସେମାନେ ମଧ୍ୟ ଓ୍ୱାନଡେରେ ୧୯ଟି ଲେଖାଏଁ ଶତକ ମାରିଛନ୍ତି । ସର୍ବାଧିକ ଶତକ ମାରିବାରେ ୧୯ ନମ୍ବର ସ୍ଥାନ
ସର୍ବାଧିକ ଶତକ ହାସଲକାରୀ କ୍ରିକେଟର ତାଲିକାର ୧୯ନମ୍ବର ସ୍ଥାନରେ ନିଜ ନାଁ ଲେଖାଇଛନ୍ତି ରୋହିତ। ସଚିନ ତେନ୍ଦୁଲକର ସବୁଠୁ ଅଧିକ ୪୯ଟି ଦିନିକିଆ ଶତକ ସହ ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ପଛକୁ ବିରାଟ କୋହଲି (୩୫ ଶତକ) ସହ ଦ୍ୱିତୀୟରେ ଅଛନ୍ତି । ରିକି ପଣ୍ଟିଂ, ସନତ୍ ଜୟସୂରିୟା, ହାସିମ୍ ଆମଲା, ଏ.ବି. ଡିଭିଲିୟର୍ସ, କୁମାର ସାଙ୍ଗାକାରା, କ୍ରିସ୍ ଗେଲ୍, ସୌରଭ ଗାଙ୍ଗୁଲି, ତିଲକରତ୍ନେ ଦିଲସାନ୍, ହର୍ସଲ ଗିବସ୍ ଓ ସୟିଦ ଅନଓ୍ୱର ରୋହିତଙ୍କ ଉପରେ ଅଛନ୍ତି ।
ପାକିସ୍ତାନକୁ ଲଗାତାର ହରାଇଲେ କ୍ୟାପଟେନ୍ ରୋହିତ
ପାକିସ୍ତାନ ବିପକ୍ଷରେ ଲଗାତାର ଦୁଇଟି ମ୍ୟାଚ୍ ଜିତାଇଥିବା ପ୍ରଥମ ଭାରତୀୟ କ୍ୟାପଟେନ ହୋଇଛନ୍ତି ରୋହିତ ଶର୍ମା। ପୂର୍ବରୁ ଟିମ୍ ଇଣ୍ଡିଆର ୯ଜଣ କ୍ୟାପଟେନ୍ ଦୁଇଟିରୁ ଗୋଟିଏ ଜିଣିଥିବା ବେଳେ ଆଉ ଗୋଟିଏରେ ପରାଜିତ ହୋଇଛନ୍ତି । ଚଳିତ ଏସିଆ କପର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ୮ ଓ୍ୱିକେଟରେ ହରାଇଥିଲା ଭାରତ । ରୋହିତ ଶର୍ମା ୫୨ ରନ୍ କରିଥିଲେ ।ମିଷ୍ଟର ଷିକ୍ସର
ପାକିସ୍ତାନ ବିରୋଧରେ ରୋହିତ କରିଥିବା ୧୧୧ ରନ୍ ଭିତରେ ରହିଛି ୪ଟି ଛକା । ଏହାସହ ସେ ଅନ୍ତର୍ଜାତୀୟ କ୍ରିକେଟରେ ୩ଶହ ଛକା ମାରିଥିବା ଦ୍ୱିତୀୟ ଖେଳାଳି ହୋଇଛନ୍ତି । ସର୍ବାଧିକ ଛକା ମାରିଥିବା ରେକର୍ଡ ରହିଛି ଟିମ୍ ଇଣ୍ଡିଆର ମିଷ୍ଟର କୁଲ୍ ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ।ସଫଳ ଓପନିଂ ପାର୍ଟନରସିପ୍
ଶିଖର ଧଓ୍ବନଙ୍କ ସହ ମିଶି ପାକିସ୍ତାନ ବିପକ୍ଷରେ ପ୍ରଥମ ଓ୍ବିକେଟରେ ୨୧୦ ରନ୍ ପାର୍ଟନରସିପ୍ କରିଥିଲେ ରୋହିତ ଶର୍ମା। ଏପର୍ଯ୍ୟନ୍ତ ୮୫ ଇନିଂସରେ ଦୁହେଁ ୧୩ଥର ୧୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଶତକୀୟ ଭାଗିଦାରୀ ବିଶ୍ୱ ରେକର୍ଡର ଅଷ୍ଟମ ସ୍ଥାନରେ ଆସୁଛନ୍ତି ରୋହିତ-ଶିଖର ଯୋଡ଼ି । ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସଚିନ ତେନ୍ଦୁଲକର-ସୌରଭ ଗାଙ୍ଗୁଲି ଯୋଡ଼ି । ସେମାନେ ୧୭୬ଟି ମ୍ୟାଚରେ ୨୬ଥର ଶତକୀୟ ଭାଗିଦାରୀ ଇନିଂସ ଖେଳିଛନ୍ତି।